ଭୁବନେଶ୍ୱର : କରୋନା ମହାମାରୀ ସଂକ୍ରମଣକୁ ପ୍ରତିହତ ଓ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ପୁଲିସ୍ ବାହିନୀ ସବୁବେଳେ ପ୍ରସ୍ତୁତ ରହିଛି। କରୋନା ସଂକ୍ରମଣକୁ ଭୟ ନକରି ସେମାନେ ଲୋକଙ୍କୁ ସେବା ଯୋଗାଇ ଆସୁଛନ୍ତି ଓ କରୋନା ଲଢେଇରେ ମୁଖ୍ୟ ଯୋଦ୍ଧା ଭାବେ ଦାୟିତ୍ବ ନିର୍ବାହ କରୁଛନ୍ତି। ନିଜ ଜୀବନକୁ ବାଜି ଲଗାଇ ସମାଜର ହିତରେ ନିଜକୁ ଉତ୍ସର୍ଗ କରିଥିବା ଏହି ଯୋଦ୍ଧାଙ୍କ ସୁରକ୍ଷା ପାଇଁ ସ୍ବେଚ୍ଛାସେବୀ ସଂଗଠନ ରେଡ୍ ସ୍ବସ୍ତିକ୍ ଓଡିଶା ଶାଖା ପକ୍ଷରୁ ସହାୟତାର ହାତ ବଢ଼ାଇଛି। କରୋନା ଭୂତାଣୁ ସେମାନଙ୍କୁ ଯେଭଳି ସଂକ୍ରମିତ ନ କରିବା ସେଥିପାଇଁ କମିସନରେଟ୍ ପୋଲିସଙ୍କୁ ୫୦୦ ଭାଇଜର୍ ପ୍ରଦାନ କରାଯାଇଛି। କମିଶନରେଟ୍ ପୁଲିସ କାର୍ଯ୍ୟାଳୟଠାରେ ଆୟୋଜିତ ନିରାଡ଼ମ୍ବର କାର୍ଯ୍ୟକ୍ରମରେ ପୁଲିସ କମିସନର ଡଃ ସୁଧାଂଶୁ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ଏହି ୫୦୦ ଭାଇଜର ପ୍ରଦାନ କରାଯାଇଛି। ସେହିପରି ଅନ୍ୟତମ କରେନା ଯୋଦ୍ଧା ସଫେଇ କର୍ମଚାରୀଙ୍କୁ ମଧ୍ୟ ରେଡ୍ ସ୍ବସ୍ତିକ୍ ପକ୍ଷରୁ ମାଗଣା ଶୁଖିଲା ଖାଦ୍ୟ ପୁଡ଼ିଆ ବଣ୍ଟନ କରାଯାଇଛି। ଭିଏସ୍ଏସ୍ନଗର ୟୁଜିୟୁପି ସ୍କୁଲରେ ଆୟୋଜିତ କାର୍ଯ୍ୟକ୍ରମରେ ରେଡ୍ ସ୍ବସ୍ତିକ୍ ଏବଂ ଅଲ୍ ଓଡ଼ିଶା ବ୍ୟାଙ୍କ ଏମ୍ପ୍ଲୟିଜ୍ ଆସୋସିଏସନ ପକ୍ଷରୁ ବିଏମ୍ସି କମଚାରୀଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ପୁଡ଼ିଆ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେଡ୍ ସ୍ବସ୍ତିକ୍ ଓଡ଼ିଶା ଶାଖାର ସଚିବ ଦେବାଶିଷ୍ ପଟ୍ଟନାୟକଙ୍କ ସହ ଅନ୍ୟ କର୍ମକର୍ତା ମାନେ ଉପସ୍ଥିତ ଥିଲେ। ଆଗାମୀ ଦିନର ରେଡ୍ ସ୍ବସ୍ତିକ୍ ପକ୍ଷରୁ ଏହି ଭଳି ଅନନ୍ୟ ପ୍ରୟାସ କାର୍ଯ୍ୟକ୍ରମ ଜାରି ରହିବ ବୋଲି ସଚିବ ଦେବାଶିଷ ପଟ୍ଟନାୟକ ପ୍ରକାଶ କରିଥିଲେ। ଏହି ଅବସରରେ କରେନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସମସ୍ତେ ନିୟମିତ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ବ ବଜାୟ ରଖିବା ନେଇ ସଚେତନତା ସୃଷ୍ଟି କରାଯାଇଥିଲା।
‘ରେଡ୍ ସ୍ବସ୍ତିକ୍’ର କରୋନା ସହାୟତା: କମିଶନରେଟ୍ ପୁଲିସକୁ ୫୦୦ ଭାଇଜର୍, ସଫେଇ କର୍ମଚାରୀଙ୍କୁ ଶୁଖିଲା ଖାଦ୍ୟ ପୁଡ଼ିଆ
Popular Categories



