www.samajalive.in
Wednesday, December 10, 2025
23.1 C
Bhubaneswar

ବାତ୍ୟା ଅମ୍ଫନ୍‍ – ସବିଶେଷ ତଥ୍ୟ ଦେଲେ ସ୍ୱତନ୍ତ୍ର ରିଲିଫ କମିଶନର

– ଓଡ୍ରାଫ୍‍ ୨୦ ଟି ଦଳ, ଏନ୍‍.ଡି.ଆର୍‍.ଏଫ୍‍ ର ୧୭ ଟି ଦଳ ଏବଂ ଅଗ୍ନି ଓ ବିପର୍ଯ୍ୟୟ ପରିଚାଳନାର ୩୩୫ ୟୁନିଟ୍‍ ପ୍ରସ୍ତୁତ
– ମେ’ ୧୮ ସନ୍ଧ୍ୟାରୁ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳର ଅଧିକାଂଶ ସ୍ଥାନରେ ବର୍ଷା
– ଦକ୍ଷିଣ-ଓଡ଼ିଶା ଉପକୂଳରେ ପବନର ବେଗ ଘଣ୍ଟା ପ୍ରତି ୪୫-୫୫ କି.ମି.
– ଉତ୍ତର-ଓଡ଼ିଶା ଉପକୂଳରେ ଘଣ୍ଟା ପ୍ରତି ପବନର ବେଗ ୭୫-୮୫ କି.ମି.
– ମତ୍ସ୍ୟଜୀବୀମାନଙ୍କୁ ଓଡ଼ିଶା ଉପକୂଳ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ
– ବହୁମୁଖୀ ବାତ୍ୟା/ବନ୍ୟା ଆଶ୍ରୟସ୍ଥଳୀଗୁଡିକୁ ପ୍ରସ୍ତୁତ ରଖିବା ନିମନ୍ତେ ନିର୍ଦ୍ଦେଶ
– ପ୍ରଭାବିତ ଅଞ୍ଚଳରେ ଚିକିତ୍ସାଳୟ ଓ ଭାମ୍ୟମାଣ ସ୍ୱାସ୍ଥ୍ୟ ଟିମ୍‍ ନିୟୋଜିତ
– ପାଇପ୍‍ ଜଳ ଯୋଗାଣ ପ୍ରକଳ୍ପ ଚାଲୁ ରଖିବା ପାଇଁ ନିର୍ଦ୍ଦେଶ
– ୬ ଗୋଟି ଉପକୂଳବର୍ତ୍ତୀ ଜିଲ୍ଲାରେ ଡିଜିଟାଲ୍‍ ମୋବାଇଲ୍‍ ରେଡିଓ ପ୍ରସ୍ତୁତ
– ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ଏବଂ ଖୋର୍ଦ୍ଧା, ଯାଜପୁର ଓ କଟକରେ ଭି-ସ୍ୟାଟ୍‍ ଯୋଗାଯୋଗ ବ୍ୟବସ୍ଥା

ସମାଜ ପୋର୍ଟାଲ ଡେସ୍କ: ବାତ୍ୟା ଅମ୍ଫନ୍‍ ନେଇ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି। ଏଥିରେ ସବିଶେଷ ତଥ୍ୟ ପ୍ରଦାନ କରି ବିଭାଗ ପକ୍ଷରୁ କୁହାଯାଇଛି ଯେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଉପରେ ଲଘୁଚାପ ସୃଷ୍ଟି ହୋଇ ଅବପାତର ରୂପ ନେଇଛି ଏବଂ ପାରାଦ୍ୱୀପର ଦକ୍ଷିଣକୁ ୧୦୪୦ କି.ମି. ଦୂରରେ ରହିଅଛି। ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ତୀବ୍ର ହୋଇ ବାତ୍ୟା ରୂପ ଧାରଣ କରିବ ଏବଂ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ଭୟଙ୍କର ବାତ୍ୟାର ରୂପ ନେବ। ୧୮ ତାରିଖ ସକାଳ ସୁଦ୍ଧା ଏହା ଅତି ଭୟଙ୍କର ବାତ୍ୟା ଧାରଣ କରିବ। ଏହା ମେ’ ୧୭, ପର୍ଯ୍ୟନ୍ତ ପ୍ରାଥମିକ ଭାବେ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ ଏବଂ ମେ’ ୧୮-୨୦, ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଦେଇ ଅତିକ୍ରମ କରି ପଶ୍ଚିମବଙ୍ଗ ଓ ସଂଲଗ୍ନ ଓଡ଼ିଶା ଉପକୂଳ ମୁହାଁ ହେବ। ଫଳସ୍ୱରୂପ, ମେ’ ୧୮ ସନ୍ଧ୍ୟାରୁ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବୃଷ୍ଟିପାତ ହେବା ସହିତ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହେବ ଏବଂ ୧୯ ତାରିଖରେ ମଧ୍ୟ କେତେକ ସ୍ଥାନରେ ଅତିରୁ ଅତି ପ୍ରବଳ ବର୍ଷା ହେବ।

ଏହା ଯୋଗୁଁ ୨୦ ମଇରେ ଉତ୍ତର-ପୂର୍ବ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହେବ। ୧୮ ମଇ ସନ୍ଧ୍ୟା ସୁଦ୍ଧା ଦକ୍ଷିଣ-ଓଡ଼ିଶା ଉପକୂଳରେ ପବନର ବେଗ ଘଣ୍ଟା ପ୍ରତି ୪୫-୫୫ କି.ମି. ରହିବ ଏବଂ ସ୍ଥଳବିଶେଷରେ ପବନର ବେଗ ବୃଦ୍ଧି ପାଇ ଘଣ୍ଟା ପ୍ରତି ୬୫ କି.ମି. ହୋଇପାରେ ଏବଂ ୧୯ ତାରିଖ ସକାଳ ଠାରୁ ଉତ୍ତର-ଓଡ଼ିଶା ଉପକୂଳରେ ଏହି ପ୍ରଭାବ ଅନୁଭୂତ ହେବ। ୨୦ ମଇ ସକାଳ ସୁଦ୍ଧା ପବନର ବେଗ କ୍ରମଶଃ ବୃଦ୍ଧିପାଇ ବତାସ ରୂପ ନେଇ ଉତ୍ତର-ଓଡ଼ିଶା ଉପକୂୂଳରେ ଘଣ୍ଟା ପ୍ରତି ୭୫-୮୫ କି.ମି. ରହିବ ଏବଂ ଏହାର କ୍ଷୀପ୍ର ବେଗ ଘଣ୍ଟା ପ୍ରତି ୯୫ କି.ମି. ହେବାର ଅନୁମାନ କରାଯାଇଛି। ମେ’ ୧୬ ତାରିଖ ସନ୍ଧ୍ୟା ଠାରୁ ବଙ୍ଗୋପସାଗରର ଦକ୍ଷିଣ-ପଶ୍ଚିମ ଓ ନିକଟବର୍ତ୍ତୀ ଅଞ୍ଚଳ ଅଶାନ୍ତ ରହିବା ସହ ୧୭ ତାରିଖ ସକାଳ ଠାରୁ ଏହା ତୀବ୍ର ହେବ। ୧୮ ରୁ ୨୦ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ଓଡ଼ିଶା ଉପକୂଳ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କରାଯାଇଛି। ସଂପୃକ୍ତ ସରକାରୀ ବିଭାଗ ଏବଂ ଉପକୂଳବର୍ତ୍ତୀ ଓ ତତ୍‍ସଂଲଗ୍ନ ୧୨ ଗୋଟି ଜିଲ୍ଲା ଗଜପତି, ଗଞ୍ଜାମ, ନୟାଗଡ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ମୟୁରଭଞ୍ଜକୁ ସତର୍କ କରାଯାଇଅଛି ଏବଂ ସମ୍ଭାବ୍ୟ ବିପର୍ଯ୍ୟୟକୁ ପ୍ରଭାବପୂର୍ଣ୍ଣ ଭାବେ ମୁକାବିଲା କରିବା ନିମନ୍ତେ ପ୍ରସ୍ତୁତ ରହିବା ପାଇଁ କୁହାଯାଇଛି।

- Advertisement -

ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଏବଂ ଜଗତସିଂହପୁର ଜିଲ୍ଲା ପୂର୍ଣ୍ଣ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିପଦସଙ୍କୁଳ ଜିଲ୍ଲାଗୁଡିକର ଜିଲ୍ଲା ପ୍ରଶାସନକୁ ବହୁମୁଖୀ ବାତ୍ୟା/ବନ୍ୟା ଆଶ୍ରୟସ୍ଥଳୀଗୁଡିକୁ ପ୍ରସ୍ତୁତ ରଖିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି ଏବଂ ଆବଶ୍ୟକ ସ୍ଥଳେ ସୁରକ୍ଷିତ ପକ୍କା ସରକାରୀ କୋଠା ଘରକୁ ନିରାପଦ ଆଶ୍ରୟସ୍ଥଳ ଭାବରେ ବ୍ୟବହାର ପାଇଁ ଚିହ୍ନଟ କରିବାକୁ କୁହାଯାଇଛି। ପ୍ରତ୍ୟେକ ଆଶ୍ରୟସ୍ଥଳୀରେ ଖାଦ୍ୟ, ପାନୀୟଜଳ, ଆଲୋକ ବ୍ୟବସ୍ଥା, ସ୍ୱାସ୍ଥ୍ୟ ଓ ପରିମଳ ସୁବିଧା ଉପଲବ୍ଧ କରିବା ନିମନ୍ତେ କୁହାଯାଇଛି। ବହୁମୁଖୀ ବାତ୍ୟା/ବନ୍ୟା ଆଶ୍ରୟସ୍ଥଳୀରେ ଟାୱାର ଲାଇଟ୍‍, ଚେନ୍‍ ଏବଂ ଅନ୍ୟ ଜରୁରୀକାଳୀନ ଉପକରଣକୁ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ଓଡ୍ରାଫ୍‍ ୨୦ ଟି ଦଳ, ଏନ୍‍.ଡି.ଆର୍‍.ଏଫ୍‍ ର ୧୭ ଟି ଦଳ ଏବଂ ଅଗ୍ନି ଓ ବିପର୍ଯ୍ୟୟ ପରିଚାଳନାର ୩୩୫ ୟୁନିଟ୍‍ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ୪ଗୋଟି ଏନ୍‍.ଡି.ଆର୍‍.ଏଫ ଟିମ୍‍କୁ କେନ୍ଦ୍ରାପଡା, ଭଦ୍ରକ, ଜଗତ୍‍ସିଂହପୁର ଓ ବାଲେଶ୍ୱର ଜିଲ୍ଲାକୁ ପଠାଯାଇଛି। ୮ ଟି ଉପକୂଳବର୍ତ୍ତୀ ଏବଂ ପାର୍ଶ୍ବବର୍ତ୍ତୀ ଜିଲ୍ଲାରେ ୧୧ ଟି ଓଡ୍ରାଫ୍‍ ୟୁନିଟ୍‍ ପୂର୍ବରୁ ମୂତୟନ କରାଯାଇଅଛି।

ସମସ୍ତ ପ୍ରଭାବିତ ଅଞ୍ଚଳରେ ଚିକିତ୍ସାଳୟ ଓ ଭାମ୍ୟମାଣ ସ୍ୱାସ୍ଥ୍ୟ ଟିମ୍‍ ନିୟୋଜିତ କରାଯାଇଅଛି। ସମସ୍ତ ଚିକିତ୍ସାଳୟରେ ବିକଳ୍ପ ଶକ୍ତି ଯୋଗାଣ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଅଛି। ଓପିଟିସିଏଲ୍‍ ଏବଂ ବିତରଣ ସଂସ୍ଥାଗୁଡିକ ବାତ୍ୟା ପରବର୍ତ୍ତୀ ସମୟରେ ତତ୍‍କ୍ଷଣାତ୍‍ ପୁନଃରୁଦ୍ଧାର କାର୍ଯ୍ୟ କରିବା ପାଇଁ କୁଶଳୀ କର୍ମଚାରୀଙ୍କୁ ସଜାଗ ରଖିବା ସହ ଉପକରଣମାନ ମହଜୁଦ୍‍ ପାଇଁ ଆଗୁଆ ପଦକ୍ଷେପ ନେଇଛନ୍ତି। ବାତ୍ୟା ପୂର୍ବରୁ ବିଦ୍ୟୁତ ଯୋଗାଣ ବନ୍ଦ ହୋଇଯିବାର ସମ୍ଭାବନା ଥିବାରୁ ସଂପୃକ୍ତ ସଂସ୍ଥା ଓ ସରକାରୀ କାର୍ଯ୍ୟାଳୟ ବିକଳ୍ପ ଶକ୍ତିର ବ୍ୟବସ୍ଥା ସ୍ୱରୂପ ଜେନେରେଟର ସେଟ୍‍ ଓ ପର୍ଯ୍ୟାପ୍ତ ଇନ୍ଧନ ମହଜୁଦ୍‍ ରଖିବାକୁ କୁହାଯାଇଛି। ରାଜ୍ୟରେ ଟେଲିକମ ସେବା ପ୍ରଦାନକାରୀ ସଂସ୍ଥାମାନଙ୍କ ସହ ବୈଠକ କରାଯାଇ ଆଗୁଆ ପଦକ୍ଷେପ ନିମନ୍ତେ ସେମାନଙ୍କୁ ଜେନେରେଟର ସେଟ୍‍, ମୋବାଇଲ୍‍ ଟାୱାରଗୁଡିକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ଯଥେଷ୍ଟ ପରିମାଣର ଇନ୍ଧନ ଗଚ୍ଛିତ ରଖିବାକୁ ପରାମର୍ଶ ଦିଆଯାଇଛି। ଟେଲିକମ୍‍ ସେବା ବାଧାପ୍ରାପ୍ତ ହେଲେ ତାହାର ପୁନଃରୁଦ୍ଧାର ପାଇଁ ସେଲ୍‌ଫ-ଅନ୍‍-ହୁଇଲ୍‍ ବ୍ୟବସ୍ଥା କରିବା ପାଇଁ ସେମାନଙ୍କୁ କୁହାଯାଇଛି। ପ୍ରଭାବିତ ଅଞ୍ଚଳରେ ଜନସାଧାରଣଙ୍କୁ ଏସ୍‍ଏମ୍‍ଏସ୍‍ ଦ୍ୱାରା ପ୍ରାକ୍‍ ସତର୍କ ସୂଚନା ପ୍ରଦାନ ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି। ବିଦ୍ୟୁତ୍‍ ନଥିବା ସମୟରେ ଗ୍ରାମ୍ୟ ପାଇପ୍‍ ଜଳ ଯୋଗାଣ ପ୍ରକଳ୍ପକୁ ଚାଲୁ ରଖିବା ପାଇଁ ଜେନେରେଟର ବ୍ୟବସ୍ଥା କରାଯାଇଛି। ସେହିପରି ପାନୀୟ ଜଳ ଯୋଗାଣ ପାଇଁ ଟ୍ୟାଙ୍କର ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଅଛି।

ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ମତ୍ସ୍ୟଜୀବୀମାନଙ୍କ ପାଇଁ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀକୁ କଠୋର ଭାବରେ ପାଳନ କରାଯାଉଛି। ୧୮ ତାରିଖରୁ ମାଛଧରା ସଂପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି। ସମୁଦ୍ର ଭିତରେ ଥିବା ମତ୍ସ୍ୟଜୀବୀମାନଙ୍କୁ ୧୭ ତାରିଖ ସୁଦ୍ଧା କୂଳକୁ ଫେରିଆସିବାକୁ କୁହାଯାଇଅଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ଧାମରା ଅଞ୍ଚଳର, ସମୁଦ୍ର ମଧ୍ୟକୁ ସମସ୍ତ ମତ୍ସ୍ୟଜିବୀ ସେମାନଙ୍କ ଡଙ୍ଗା ସହିତ କୂଳକୁ ଫେରିଆସିଛନ୍ତି। ଗୋରୁଗାଈ ଓ ଗୃହପାଳିତ ପଶୁମାନଙ୍କୁ ନିରାପଦ ସ୍ଥାନକୁ ନେଇ ରଖିବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି। ଆବଶ୍ୟକ ସ୍ଥଳେ ବହୁମୁଖୀ ବାତ୍ୟା/ବନ୍ୟା ଆଶ୍ରୟସ୍ଥଳୀର ତଳ ମହଲା ଓ ଅନ୍ୟ ଉପଯୁକ୍ତ କୋଠାକୁ ସ୍ଥାନାନ୍ତର କରିବାକୁ କୁହାଯାଇଛି। ବାତ୍ୟା ପ୍ରଭାବରେ ବର୍ଷାକୁ ଦୃଷ୍ଟିରେ ରଖି ପାଚିଲା ଖରାଦିନିଆ ଫସଲର ସୁରକ୍ଷା ନିମନ୍ତେ କୃଷକଙ୍କ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। କୃଷି ବିଭାଗର କ୍ଷେତ୍ର ଅଧିକାରୀମାନେ ଚାଷୀମାନଙ୍କ ସହିତ ନିୟମିତ ଯୋଗାଯୋଗରେ ରହିଛନ୍ତି। ବାତ୍ୟା ଯୋଗୁଁ ଅଧିକ ବର୍ଷାର ମାତ୍ରାକୁ ଦୃଷ୍ଟିରେ ରଖି ଜିଲ୍ଲାଗୁଡିକରେ ଥିବା ମଧ୍ୟମ ଜଳଭଣ୍ଡାରଗୁଡିକରୁ ଜଳ ନିଷ୍କାସନ କରାଯିବ। ସମସ୍ତ ଜିଲ୍ଲାପାଳ, ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଦଳ ଏବଂ ଅନ୍ୟ ସଂପୃକ୍ତ ଅଧିକାରୀଙ୍କ ପାଖରେ ଥିବା ସାଟେଲାଇଟ୍‍ ଫୋନ୍‍ଗୁଡିକୁ ରିଚାର୍ଜ ଓ ବ୍ୟବହାର ଉପଯୋଗୀ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ୬ ଗୋଟି ଉପକୂଳବର୍ତ୍ତୀ ଜିଲ୍ଲାରେ ଥିବା ଡିଜିଟାଲ୍‍ ମୋବାଇଲ୍‍ ରେଡିଓ କୁ ପ୍ରସ୍ତୁତ ରଖାଯାଇଛି। ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ଏବଂ ଖୋର୍ଦ୍ଧା, ଯାଜପୁର ଓ କଟକ ରେ ଭି-ସ୍ୟାଟ୍‍ ଯୋଗାଯୋଗ ବ୍ୟବସ୍ଥା କରାଯାଇଛି।

Hot this week

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

Related Articles

Popular Categories