ଦୁବାଇ, ୨୩।୪: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏହି େବୖଠକରେ ବିଭିନ୍ନ କ୍ରିକେଟ୍ ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଥିଲେ।
କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ବିଶ୍ବବ୍ୟାପୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆୟୋଜନ ବନ୍ଦ ରହିଥିବା ବେଳେ ଭବିଷ୍ୟତର କାର୍ଯ୍ୟପନ୍ଥା ସ୍ଥିର କରିବାକୁ ଏହି ବୈଠକରେ ଆଲୋଚନା ହୋଇଥିଲା। ଆଇସିସି ଆନୁକୂଲ୍ୟରେ ଆୟୋଜିତ ବିଶ୍ବ ଟେଷ୍ଟ ଚମ୍ପିଆନ୍ସିପ ଓ ଆସନ୍ତା ଜୁନ୍ରୁ ଆରମ୍ଭ ହେବାକୁ ଥିବା ଦିନିକିଆ କ୍ରିକେଟ୍ ଲିଗ୍ ସଂପର୍କରେ ବୈଠକରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ତେବେ ଏହି ଦୁଇଟି ଟୁର୍ଣ୍ଣାମେଣ୍ଟ ଆୟୋଜନ ସଂପର୍କରେ କୌଣସି ପ୍ରକାର ଚୂଡ଼ାନ୍ତ ନିଷ୍ପତ୍ତି ହୋଇ ପାରିନଥିଲା। ପରିସ୍ଥିତିକୁ ଦେଖି ପରବର୍ତ୍ତୀ ବୈଠକରେ ଏ ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଆଇସିିସି ତରଫରୁ ପ୍ରକାଶିତ ବିଜ୍ଞପ୍ତିରେ ଦର୍ଶାଯାଇଛି। ସେହିପରି ଆସନ୍ତା ଅକ୍ଟୋବରରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଟ୍ବେଣ୍ଟି୨୦ ବିଶ୍ବକପ୍ ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା। ବର୍ତ୍ତମାନ ପରିସ୍ଥିତିରେ ଏହି ବିଶ୍ବକପ୍ ସ୍ଥଗିତ ରଖିବାର କୌଣସି ଆବଶ୍ୟକତା ନ ଥିବା ବୈଠକରେ ମତପ୍ରକାଶ ପାଇଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।
ଆଇସିସିର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ
Popular Categories



