ସୁଆଣ୍ଡୋ : କରୋନା ପାଇଁ ଲକ ଡାଉନ । କେଉଁଠି ସଟ ଡାଉନ ତ ଅନ୍ୟ କେଉଁଠି କ୍ୟାଣ୍ଟନମେଣ୍ଟ ଜୋନ । ସେହିପରି ସାମାଜିକ ଦୂରତା ବି କଡାକଡି । ଅଟୋ ଚଳେଇ ସବୁବେଳେ ଢୋକେ ପିଇ ଦଣ୍ଡେ ବଞ୍ଚୁଥିବା ଚାଳକଙ୍କ ଅବସ୍ଥା ଏଇଲେ କହିଲେ ନସରେ । କରୋନା ଛଡେଇ ନେଇଛି ତାଙ୍କ ବେଉସା । ସେମାନଙ୍କ ଜୀବନ ଦୁର୍ବିସହ ହୋଇପଡିଛି । ରାତି ପାହିଲେ ଅଟୋ ଧରି ଦଉଡୁଥିବା ମଣିଷଟି କରୋନା ମାଡରେ ଆଜି ନିରବି ଯାଇଛି । ସହର ଠାରୁ ଆରମ୍ଭକରି ଗାଁ ଗଣ୍ଡାରେ ହଜାର ହଜାର ଅଟୋ ଥୁଆ ହୋଇଛି । ମୁଣ୍ଡପିଛା ପାଞ୍ଚ କିଲୋ ସରକାରୀ ଚାଉଳ ସେମାନଙ୍କୁ ମିଳିଛି । ମାତ୍ର ପାଖରେ ଟଙ୍କା ନଥିବା ହେତୁ ପରିବା ରେସନ ସାମଗ୍ରୀ ଓ ବୟସ୍କ ବାପା ମାଆଙ୍କ ପାଇଁ ଔଷଧ କିଣି ପାରୁନାହାନ୍ତି ବୋଲି ଅଭିଯୋଗ ହେଉଛି । ଏ ସମ୍ପର୍କରେ ଅଟୋଚାଳକ ସୁଟୁ ଦାଶ କହନ୍ତି ଅଟୋ ଲୋନ କରି ଆଣିଥିଲି । ରୂଣ ଶୁଝିପାରୁନି । ଏଣେ ପିଲାଛୁଆ ଓ ବାପାମାଆଙ୍କ ମୁହଁରେ ଆହାର ଯୋଗାଇବା କଷ୍ଟକର ହେଉଛି । କରୋନା କମିବ କଟକଣା ହଟିଲେ ଅଟୋ ଚାଲିବ ସେହି ଆଶାନେଇ ରହିଛି ବୋଲି କହିଥିଲେ । ନିତି ଖଟିଖିଆ ଲୋକ ମାନେ ବଡ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସମସ୍ତେ ଯେ ରିଲିଫ କେନ୍ଦ୍ରରେ ମାଗଣା ଭୋଜନ କରିବେ ଏହା ସମ୍ଭବ ନୁହେଁ । ଏ ସମ୍ପର୍କରେ ସରକାରଙ୍କ ପକ୍ଷରୁ ସେମାନଙ୍କୁ କୌଣସି ସହାୟତା ଦେବାକୁ କୁହାଯାଉଛି ।
Popular Categories



