www.samajalive.in
Saturday, December 13, 2025
21.1 C
Bhubaneswar

ଦେଶର ୧୭୦ ଜିଲା ‘ହଟ୍‌ସ୍ପଟ୍‌’

ନୂଆଦିଲ୍ଲୀ: ଦେଶର ୧୭୦ଜିଲାକୁ କରୋନା ‘ହଟ୍‌ସ୍ପଟ୍‌’ ଭାବେ ଚିହ୍ନଟ କରାଯାଇଛି। ଏହି ଜିଲାଗୁଡ଼ିକରେ ସର୍ବାଧିକ କରୋନା ସଂକ୍ରମଣ ହୋଇଥିବାରୁ ସମ୍ପୃକ୍ତ ଅଞ୍ଚଳକୁ ‘କଣ୍ଟେନ୍‌ମେଣ୍ଟ’ ଘୋଷଣା ସହ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ମହାରାଷ୍ଟ୍ରର ୧୪, ଉତ୍ତରପ୍ରଦେଶର ୧୩, ରାଜସ୍ଥାନର ୧୨, ଆନ୍ଧ୍ରପ୍ରଦେଶର ୧୧, ଦିଲ୍ଲୀର ୧୦ ଓ ତାମିଲନାଡୁର ୨୨ ଜିଲା ହଟ୍‌ସ୍ପଟ୍‌ ତାଲିକାରେ ରହିଛି। ସେହିଭଳି ଦେଶର ୨୦୭ ଜିଲା ଅଣ-ହଟ୍‌ସ୍ପଟ୍‌ ଚିହ୍ନିତ ହୋଇଛି। ଏହି ଜିଲାଗୁଡ଼ିକରେ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲେ ମଧ୍ୟ ସଂକ୍ରମଣ ବ୍ୟାପୁ ନାହିଁ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ହଟ୍‌ସ୍ପଟ୍‌ ଭାବେ ଚିହ୍ନିତ ଜିଲାଗୁଡ଼ିକ ରେଡ୍‌ ଜୋନ୍‌, ଅଣ-ହଟ୍‌ସ୍ପଟ୍‌ ଜିଲାଗୁଡ଼ିକୁ ଅରେଞ୍ଜ ଜୋନ୍‌ ଓ ଅବଶିଷ୍ଟ ଜିଲାଗୁଡ଼ିକୁ ସବୁଜ ବା ଗ୍ରୀନ୍‌ ଜୋନ୍‌ରେ ରଖାଯାଇଛି। ଗ୍ରୀନ୍‌ ଜୋନ୍‌ ଅଞ୍ଚଳରେ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସି ନାହିଁ। କରୋନା ମୁକାବିଲା ପାଇଁ ସରକାର ସମଗ୍ର ଦେଶକୁ ଏଭଳି ତିନି ଜୋନ୍‌ରେ ବିଭକ୍ତ କରିଛନ୍ତି। ଏଭଳି କୌଶଳ ଅବଲମ୍ବନ ସମ୍ପର୍କରେ ଦୁଇ ଦିନ ପୂର୍ବେ ସରକାର ନିଷ୍ପତ୍ତି ନେଇଥିଲେ। ଏହି ପରିପ୍ରେକ୍ଷୀରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲଙ୍କ ସୂଚନାନୁଯାୟୀ, ବୁଧବାର କ୍ୟାବିନେଟ ସଚିବ ବିଭିନ୍ନ ରାଜ୍ୟର ମୁଖ୍ୟ ଶାସନ ସଚିବ, ପୁଲିସ ମହାନିର୍ଦେଶକ, ସ୍ବାସ୍ଥ୍ୟ ସଚିବ, ଜିଲାପାଳ, ପୁଲିସ ଅଧୀକ୍ଷକ, ପୌର ନିଗମ କମିସନର ଓ ଜିଲା ମୁଖ୍ୟ ଚିକିତ୍ସାଧିକାରୀମାନଙ୍କ ସହ ଭିଡିଓ କନ୍‌ଫରେନ୍ସରେ ଆଲୋଚନା କରିଛନ୍ତି। ହଟ୍‌ସ୍ପଟ୍‌ ଜିଲାଗୁଡ଼ିକରେ ଘରଘର ବୁଲି ସନ୍ଦିଗ୍ଧ ସଂକ୍ରମିତ ଓ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଠାବ କରିବାକୁ କ୍ୟାବିନେଟ ସଚିବ ପରାମର୍ଶ ଦେଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ସ୍ବତନ୍ତ୍ର ଯାଞ୍ଚ କାର୍ୟ୍ୟକ୍ରମ ଜାରି ରଖିବାକୁ ଯୁଗ୍ମ ସଚିବ ଅଗ୍ରୱାଲ ପରାମର୍ଶ ଦେଇଛନ୍ତି।

ଦେଶରେ ଏବେ ସୁଦ୍ଧା କରୋନା ଭୂତାଣୁର ଗୋଷ୍ଠୀ ସଂକ୍ରମଣ ହୋଇ ନାହିଁ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ବୁଧବାର କହିଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଉଥିବା ଦୈନିକ ସୂଚନା ଅନୁଯାୟୀ କରୋନା ଭୂତାଣୁର ସଂକ୍ରମଣ ଏବେ ଦ୍ବିତୀୟ ପର୍ୟ୍ୟାୟ ରହିଛି। ସୂଚନା ଅନୁଯାୟୀ ଦେଶରେ ୨୪ଘଣ୍ଟା ମଧ୍ୟରେ ୧୧୭୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ଭାରତରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨ହଜାର ନିକଟତର ହୋଇଛି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧, ୯୩୩ ହୋଇଛି। ଏଥିରୁ ୧୩୪୩ଜଣ ସୁସ୍ଥ ହୋଇଛନ୍ତି। ଦେଶର ମୋଟ ସଂକ୍ରମିତଙ୍କ ମଧ୍ୟରୁ ୧୧.୪୧ ପ୍ରତିଶତ ସୁସ୍ଥ ହୋଇଛନ୍ତି। ସେହିପରି ଦେଶରେ ମୋଟ ମୃତ୍ୟସଂଖ୍ୟା ୩୯୨ ହୋଇଛି। ମହାରାଷ୍ଟ୍ରରେ ସର୍ବାଧିକ ୨୬୮୭ ଜଣ ସଂକ୍ରମିତ ହୋଇଥିବାବେଳେ ୧୭୮ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ୧୫୬୧ ଜଣ ସଂକ୍ରମିତ ହୋଇଥିବାବେଳେ ୩୦ଜଣଙ୍କର ମୃତ୍ୟୁ ହୋଇଛି। ମଧ୍ୟପ୍ରଦେଶରେ ୯୮୭ଜଣ ସଂକ୍ରମିତ ହୋଇଥିବାବେଳେ ୫୩ଜଣଙ୍କର ମୃତ୍ୟୁ ହୋଇଛି। ଗୁଜରାଟରେ ୬୯୫ଜଣ ସଂକ୍ରମିତ ହୋଇଥିବାବେଳେ ୩୦ଜଣଙ୍କର ମୃତ୍ୟୁ ହୋଇଛି। ତାମିଲନାଡୁରେ ୧୨୦୪ଜଣ ସଂକ୍ରମିତ ହୋଇଥିବାବେଳେ ୧୨ଜଣଙ୍କର ମୃତ୍ୟୁ ହୋଇଛି। ତେଲଙ୍ଗାନାରେ ୬୪୭ ସଂକ୍ରମିତ ଓ ୧୮ ମୃତ୍ୟୁ, ଉତ୍ତରପ୍ରଦେଶରେ ୭୩୭ ସଂକ୍ରମିତ ୧୧ ମୃତ୍ୟୁ, ପଞ୍ଜାବ ୧୮୬ ସଂକ୍ରମିତ ଓ ୧୩ ମୃତ, କର୍ଣ୍ଣାଟକରେ ୨୭୭ ଆକ୍ରାନ୍ତ ଓ ୧୧ଜଣଙ୍କର ମୃତ୍ୟୁ ହୋଇଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଦେଶକୁ ତିନିଟି ବର୍ଗରେ ବିଭକ୍ତ କରାଯାଇଛି। ଏହା ହେଲା ହଟସ୍ପଟ, ନନ୍ ହଟସ୍ପଟ ଓ ଗ୍ରୀନ ଜୋନ। ଦେଶର ୧୭୦ଟି ଜିଲାକୁ ହଟସ୍ପଟ ଭାବେ ଚିହ୍ନଟ କରାଯାଇଥିବାବେଳେ ୨୦୭ ଜିଲାକୁ ନନ୍ ହଟସ୍ପଟ ଭାବେ ଚିହ୍ନଟ କରାଯାଇଛି।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories