www.samajalive.in
Saturday, December 13, 2025
26.1 C
Bhubaneswar

ମହାପ୍ରଭୁ ସରକାରଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ, ଗଜପତି

ଶ୍ରୀମନ୍ଦିର ପରିଚାଳନା କମିଟି ଗଠନରେ ବିଳମ୍ବ

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପୁନର୍ଗଠନରେ ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ଅସନ୍ତୋଷ ପ୍ରକାଶ କରିଛନ୍ତି । ମହାପ୍ରଭୁ ସରକାରଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ ବୋଲି ସେ ମତ ଦେଇଛନ୍ତି । ଭିତର ସେବାୟତ ନିଯୋଗ ପକ୍ଷରୁ ଶନିବାର ଅନୁଷ୍ଠିତ ସ୍ୱାସ୍ଥ୍ୟ ଶିବିର ଉଦ୍‌ଘାଟନ କରି ଗଜପତି ମହାରାଜା କହିଲେ ପରିଚାଳନା କମିଟି ଗଠନରେ ବିଳମ୍ବ ଶ୍ରୀମନ୍ଦିର ପରିଚାଳନା ଏବଂ ବଜେଟ ଉପରେ ପ୍ରଭାବ ପକାଉଛି । ଏଥିନେଇ ସେ ମୁଖ୍ୟମନ୍ତ୍ରୀଙ୍କ ସମେତ ଆଇନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମଧ୍ୟ ତାହାର କୌଣସି ପ୍ରଭାବ ପଡିନାହିଁ । ଶ୍ରୀମନ୍ଦିର ପରିଚାଳନା ସରକାରଙ୍କ ଅଧିନରେ ରହିଛି । ମୁଖ୍ୟ ପ୍ରଶାସକ ହେଉଛନ୍ତି ଜଣେ ସରକାରୀ ଅଧିକାରୀ । ନିର୍ଦ୍ଧାରିତ ସମୟରେ ପରିଚାଳନା କମିଟି ଗଠନ କରିବା ସରକାରଙ୍କ କର୍ତ୍ତବ୍ୟ । ଶ୍ରୀମନ୍ଦିର ପରିଚାଳନା ସମ୍ପର୍କିତ ସମସ୍ତ ନିଷ୍ପତ୍ତି କେବଳ ପରିଚାଳନା କମିଟି ନେଇପାରିବ । ଗତବର୍ଷ ଜୁଲାଇ ୨୨ତାରିଖଠାରୁ କମିଟି କାର୍ଯ୍ୟକାଳ ଶେଷ ହୋଇଛି । ସାତମାସ ହେଲା ତାହା ପୁନର୍ଗଠନ କରାଯାଇ ନାହିଁ ।
ଏହାଛଡା ପରିଚାଳନା କମିଟି ବୈଠକରେ ଗ୍ରହଣ କରାଯାଉଥିବା ଅନେକ ନିଷ୍ପତ୍ତି ଠିକ୍‌ ଭାବେ କାର୍ଯ୍ୟକାରୀ କରାଯାଉ ନଥିବା ଗଜପତି ମହାରାଜା ଗଣମାଧ୍ୟମକୁ କହିଛନ୍ତି। ସେବାୟତଙ୍କ କଲ୍ୟାଣମୂଳକ ଯୋଜନା କାର୍ଯ୍ୟକାରୀରେ ଅବହେଳା କରାଯାଉଥିବା ସେ ପ୍ରକାଶ କରିଛନ୍ତି । ଏହାପୂର୍ବରୁ ଶ୍ରୀଜୀଉଙ୍କ ବ୍ରହ୍ମସଂସ୍ଥାପନ ବିଭ୍ରାଟ ତଦନ୍ତ ରିପୋର୍ଟ ପରିଚାଳନା କମିଟି ବୈଠକରେ ଉପସ୍ଥାପନ ପାଇଁ ସେ ପରାମର୍ଶ ଦେଇଥିଲେ । ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇ ନାହିଁ । ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ଚନ୍ଦ୍ର ମହାପାତ୍ର ତଦନ୍ତ ରିପୋର୍ଟ ଦାଖଲ କରି ସାରିଛନ୍ତି । କିନ୍ତୁ ପରିଚାଳନା କମିଟି ନଥିବାରୁ ତାହା ପ୍ରଶାସନର ନାଲିଫିତା ତଳେ ଚାପିହୋଇ ରହିଯାଇଛି ।
ଗତବର୍ଷ ମାର୍ଚ୍ଚ ୫ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସି ବଜେଟ ଅନୁମୋଦନ ହୋଇଥିଲା । ଆଗାମୀ ୨୦୧୮-୧୯ ଆର୍ଥିକବର୍ଷ ପାଇଁ ମନ୍ଦିର ପ୍ରଶାସନ ବଜେଟ ପ୍ରସ୍ତୁତ କରିଥିଲେ ମଧ୍ୟ ପରିଚାଳନା କମିଟି ନଥିବାରୁ ବୈଠକ ଡକାଯାଇ ପାରୁନାହିଁ । ଏହାଛଡା ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଅଟକି ରହିଛି । ମିଳିଥିବା ସୂଚନା ଅନୁଯାୟୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା ନୂତନ କମିଟି ଗଠନ ନିମନ୍ତେ ସେବାୟତ ସଭ୍ୟଙ୍କ ତାଲିକା ସରକାରଙ୍କୁ ପ୍ରଦାନ କରିଛନ୍ତି। ବେସରକାରୀ ସଭ୍ୟ ମନୋନୀତ କରିବା ନେଇ ରାଜନୈତିକ ମହଲରେ ଭାଗ ଛିଡୁନଥିବା ଚର୍ଚ୍ଚା ହେଉଛି। ଏଥିଯୋଗୁଁ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପୁନର୍ଗଠନ ବିଳମ୍ବ ହେଉଛି । ଶ୍ରୀମନ୍ଦିର ପ୍ରତି ରାଜ୍ୟ ସରକାର ଅବହେଳା କରୁଥିବା ଶନିବାର ଗଜପତି ମହାରାଜାଙ୍କ ଅସନ୍ତୋଷରୁ ସ୍ପଷ୍ଟ ହୋଇଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories