www.samajalive.in
Friday, December 12, 2025
14.1 C
Bhubaneswar

ଓଡ଼ିଶାରେ ପୌର ନିର୍ବାଚନ ଲଢ଼ିବ ଆପ୍‌

କଟକ : ଓଡ଼ିଶାରେ ଆମ ଆଦମୀ ପାର୍ଟି(ଆପ) ନିଜର ସଂଗଠନକୁ ମଜବୁତ କରିବା ପାଇଁ ପ୍ରୟାସ ଚଳାଇଛି। ଆସନ୍ତା ମ୍ୟୁନିସିପାଲ ନିର୍ବାଚନରେ ଦଳ ପ୍ରାର୍ଥୀ ଦେବ। ଏହି ନିର୍ବାଚନରେ ସଫଳତା ମିଳିଲେ ୨୦୨୪ ସାଧାରଣ ନିର୍ବାଚନ ନେଇ ଦଳ ରଣନୀତି ପ୍ରସ୍ତୁତ କରିବ ବୋଲି ଆପ ସାଂସଦ ସଞ୍ଜୟ ସିଂହ କହିଛନ୍ତି। ଓଡ଼ିଶାରେ ପର୍ଯ୍ୟାପ୍ତ ଖଣିଜ ସମ୍ପଦ ରହିଛି। ଏହି ଖଣିଜ ସମ୍ପଦର ସୁବିନିଯୋଗ କରାଗଲେ ରାଜ୍ୟ ଅର୍ଥନୀତି ସୁଦୃଢ ହେବ ବୋଲି ସାଂସଦ ଶ୍ରୀ ସିଂହ ଶନିବାର ଗୋପବନ୍ଧୁ ଭବନ ପରିଦର୍ଶନରେ ଆସିଥିବା ଅବସରରେ ସୂଚନା ଦେଇଥିଲେ। ବର୍ତ୍ତମାନ ଦେଶରେ ହିନ୍ଦୁ, ମୁସଲମାନ, ହିନ୍ଦୁସ୍ତାନ ଓ ପାକିସ୍ତାନ ନାମରେ ଶାସନ ଚାଲିଛି। ଲୋକଙ୍କ ବିକାଶକୁ କେହି ପ୍ରସଙ୍ଗ କରୁନାହାନ୍ତି। ଦିଲ୍ଲୀ ନିର୍ବାଚନରେ ବିଜେପି ହିନ୍ଦୁ, ମୁସଲମାନ, ସାହିନବାଗ ପ୍ରସଙ୍ଗ କରି ନିର୍ବାଚନରେ ବିଜୟୀ ହେବାକୁ ଲକ୍ଷ୍ୟ ରଖିଥିଲା।
ଦିଲ୍ଲୀବାସୀ ସାମ୍ପ୍ରଦାୟିକ ପ୍ରସଙ୍ଗ ବଦଳରେ ବିକାଶକୁ ପସନ୍ଦ କଲେ। ୨୦୧୫ ନିର୍ବାଚନ ପରି ୨୦୨୦ ନିର୍ବାଚନରେ ଆପ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରିବାରେ ସମର୍ଥ ହୋଇଥିଲା। ବର୍ତ୍ତମାନ କେନ୍ଦ୍ରର ବିଜେପି ସରକାର ଲୋକଙ୍କ ବିକାଶକୁ ଗୌଣ କରିଦେଇଛି। ଦେଶର ବିକାଶ ବଦଳରେ ସାମ୍ପ୍ରଦାୟିକତା ନାଁରେ ବିଜେପି ଶାସନ କରିବାକୁ ଚାହୁଁଛି। ଦେଶର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡିଛି। ଗୋଟିଏ ପରେ ଗୋଟିଏ ବ୍ୟାଙ୍କ ଦୁର୍ନୀତି ହେଉଛି ବିଜେପି ଶାସନର ବଡ ସଫଳତା ବୋଲି ସେ କଟାକ୍ଷ କରି କହିଥିଲେ। ୨୦୧୪ରେ ଦେଶର ବଡବଡ ପୁଞ୍ଜିପତି ୮.୫ଲକ୍ଷ କୋଟି ଟଙ୍କା ବିଭିନ୍ନ ରାଷ୍ଟ୍ରାୟତ୍ତ ଏବଂ ଘରୋଇ ବ୍ୟାଙ୍କରୁ ଋଣ ନେଇଥିଲେ। ବର୍ତ୍ତମାନ ଏହି ଋଣ ପରିମାଣ ୧୦.୫ଲକ୍ଷ କୋଟିରେ ପହଞ୍ଚିଲାଣି। ପୁଞ୍ଜିପତିଙ୍କଠାରୁ ଋଣ ଆଦାୟ କରିବାକୁ କେନ୍ଦ୍ର ସରକାର କୌଣସି ଆନ୍ତରିକତା ପ୍ରକାଶ କରୁନାହାନ୍ତି; ବରଂ କ୍ଷତିରେ ଥିବା ଶିଳ୍ପସଂସ୍ଥାର ପୁଞ୍ଜିପତି ମାଲିକଙ୍କୁ ଋଣ ଦେବାକୁ ବହୁ ବ୍ୟାଙ୍କକୁ ସରକାର ନିର୍ଦେଶ ଦେଉଛନ୍ତି। ସରକାରଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁଁ ଅନେକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଦେବାଳିଆ ଅବସ୍ଥାରେ ପହଞ୍ଚିଲେଣି। ବର୍ତ୍ତମାନ ୟେସ ବ୍ୟାଙ୍କ ଦୁର୍ନୀତି ହେଉଛି ଏହାର ନଗ୍ନ ଉଦାହରଣ। ଏହି ଦୁର୍ନୀତିରେ କେନ୍ଦ୍ର ସରକାର ସମ୍ପୃକ୍ତ ଅଛନ୍ତି। କ୍ଷତିରେ ଚାଲିଥିବା ଅନେକ ପୁଞ୍ଜିପତିଙ୍କ ଶିଳ୍ପ ସଂସ୍ଥାକୁ ଏହି ବ୍ୟାଙ୍କରୁ ଋଣ ଦିଆଯାଇଛି। ସରକାରଙ୍କ ଜାଣତରେ ଏହା ହୋଇଛି; କିନ୍ତୁ ଅର୍ଥମନ୍ତ୍ରୀ ଏହା ୨୦୧୪ପୂର୍ବରୁ ହୋଇଥିବା ମିଥ୍ୟା ତଥ୍ୟ ଦେଇ ବିଭ୍ରାନ୍ତି କରିବାକୁ ପ୍ରୟାସ କରୁଥିବା ସାଂସଦ ଶ୍ରୀ ସିଂହ ଅଭିଯୋଗ କରିଛନ୍ତି।
୨୦୧୭ରେ ସଂସଦରେ ବ୍ୟାଙ୍କ ଦୁର୍ନୀତି ଏହି ପ୍ରସଙ୍ଗ ଉଠାଇଥିଲେ। କେଉଁ ଶିଳ୍ପ ସଂସ୍ଥା ଓ ପୁଞ୍ଜିପତିଙ୍କୁ କେତେ କୋଟି ଟଙ୍କା ଋଣ ଦିଆଯାଇଛି ସେ ସମ୍ପର୍କରେ ସଂସଦରେ ତଥ୍ୟ ରଖିଥିଲେ। ୫୦କୋଟିରୁ ଅଧିକ ଟଙ୍କା ଋଣ ନେଇଥିବା ଶିଳ୍ପପତିଙ୍କ ପାସପୋର୍ଟ ଜବତ କରିବାକୁ ସେ ପ୍ରବର୍ତ୍ତନ ନିର୍ଦେଶାଳୟକୁ ଚିଠି ଲେଖିଥିଲେ; କିନ୍ତୁ ଏ ଦିଗରେ କୌଣସି ପଦକ୍ଷେପ ନିଆଗଲାନାହିଁ। ବ୍ୟାଙ୍କରୁ ଋଣ ନେଇ ନୀରବ ମୋଦୀ, ବିଜୟ ମାଲ୍ୟାଙ୍କ ପରି ପୁଞ୍ଜିପତି ଦେଶଛାଡି ପଳାଉଛନ୍ତି। ସରକାର କେବଳ ନୀରବଦ୍ରଷ୍ଟା ରହୁଛନ୍ତି।
କେବଳ ପୁଞ୍ଜିପତିଙ୍କୁ ଋଣ ଦେବା ନୁହେଁ, ଲାଭ କରୁଥିବା ରାଷ୍ଟ୍ରାୟତ୍ତ ସଂସ୍ଥାକୁ ବିକ୍ରି କରିବା ପ୍ରକ୍ରିୟା ଆରମ୍ଭ ହେଲାଣି। ରେଳବାଇ, ବିଏସଏନଏଲ, ଏଲଆଇସି, ଇଣ୍ଡିଆନ ଏୟାର ଲାଇନ୍ସ, ବିପିସିଏଲକୁ ସରକାର ବିକ୍ରି କରି ଦେଶର ଅର୍ଥନୀତିକୁ ସଜାଡିବା ବୋଲି କହିବା ଦୁର୍ଭାଗ୍ୟଜନକ। ଯେ ପର୍ଯ୍ୟନ୍ତ ଲୋକଙ୍କ ବାସ୍ତବ ସମସ୍ୟା ସମାଧାନ ନ ହୋଇଛି, ସେ ପର୍ଯ୍ୟନ୍ତ ଦେଶର ବିକାଶ କିପରି ହେବ ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି। ଦିଲ୍ଲୀରେ ୨୦୧୫ ଆପ ସରକାରକୁ ଆସିବା ସମୟରେ ୩୨୦୦୦କୋଟି ଟଙ୍କାର ବଜେଟ ଥିଲା। ବର୍ତ୍ତମାନ ତାହା ୬୨ହଜାର କୋଟି ଟଙ୍କାରେ ପହଞ୍ଚିଲାଣି।
ଦେଶର ଜିଡିପି ୪.୫ପ୍ରତିଶତ ଥିବାବେଳେ ଦିଲ୍ଲୀ ପ୍ରଦେଶର ଜିଡିପି ୮.୬ପ୍ରତିଶତ ରହିଛି। କେବଳ ଲୋକଙ୍କ ବିକାଶ ଦ୍ୱାରା ଦିଲ୍ଲୀର ଜିଡିପି ବୃଦ୍ଧି ପାଇଛି ବୋଲି ସେ କହିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories