ବେଲଗାଁ: ସରକାରୀ ଉଦାସୀନତାରୁ ଦାରିଦ୍ର୍ୟତା ଏଭଳି ସୀମା ଲଙ୍ଘିଛି ଯେ ଶିଶୁ ମା’ ଡାକରୁ ବଞ୍ଚିତ ହୋଇଛି। ଏଭଳି ଏକ ହୃଦୟ ବିଦାରକ ଘଟଣାରେ ଟିଟିଲାଗଡ ଚାଇଲ୍ଡ ହେଲ୍ପ ଲାଇନ ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଭୋଇରପଡା ଗ୍ରାମର ୮ ଏବଂ ୯ ବର୍ଷ ବୟସର ଦୁଇ ନାବାଳିକା ଶିଶୁଙ୍କୁ ଉଦ୍ଧାର କରିଛି। ଏନେଇ ଟିଟିଲାଗଡ ଚାଇଲ୍ଡ ହେଲ୍ପ ଲାଇନ ସଦସ୍ୟ ଶିବାନନ୍ଦ ବେହେରା ସୋମବାର ସେହି ଗ୍ରାମକୁ ଯାଇ ଦୁଇ ନାବାଳିକାଙ୍କୁ ନେଇ ବଲାଙ୍ଗିର ଜିଲା ଶିଶୁ ମଙ୍ଗଳ କମିଟିରେ ହାଜିର କରିଛନ୍ତି। ଶିଶୁ ମଙ୍ଗଳ କମିଟି ଏବଂ ଜିଲା ଶିଶୁ ସୁରକ୍ଷା ଅଧିକାରୀ ସେହି ୨ ଶିଶୁର ଲାଳନ ପାଳନ ଏବଂ ଶିକ୍ଷା ଗ୍ରହଣ ଦାୟିତ୍ୱ ଗ୍ରହଣ କରିଥିବା ସେ ସୂଚନା ଦେଇଛନ୍ତି।
ଭୋଇରପଡା ଗ୍ରାମର କୁଲଦୀପ କୁମ୍ଭାରଙ୍କ ଚାରି ବର୍ଷ ତଳେ ମୃତ୍ୟୁ ହୋଇଥିଲା। ସ୍ୱାମୀଙ୍କ ମୃତ୍ୟୁ ପରେ ପତ୍ନୀ ପେଟପାଟଣା ପାଇଁ ଦାଦନ ଖଟିବାକୁ ଯାଇ ପ୍ରାୟ ଦୁଇ ବର୍ଷ ହେଲା ଆଉ ଘରକୁ ଫେରିନଥିବା ଶିଶୁ ଦ୍ୱୟ କହିଛନ୍ତି। ପାଖ ପଡୋଶୀ, ସମ୍ପର୍କିୟ ଦୁଇ ଶିଶୁଙ୍କୁ କିଛି ସହାୟତା କରୁଥିଲେ। ତେବେ ସେମାନଙ୍କ ମଧ୍ୟରୁ ଅନେକ ପେଟପାଟଣା ପାଇଁ ଭିଟାମାଟି ଛାଡିବା ନେଇ ସଂକଟ ଘନେଇଥିଲା। ଖବର ପାଇ ଚାଇଲ୍ଡ ହେଲ୍ପ ଲାଇନ ଦୁଇ ଶିଶୁଙ୍କୁ ଉଦ୍ଧାର କରିଥିବା ବେଳେ ପରାଶ୍ରୟରେ ଅନ୍ୟତ୍ର ରହୁଥିବା ସେମାନଙ୍କ ୧୩ ବର୍ଷର ଅନ୍ୟ ଏକ ଭଉଣୀଙ୍କୁ ମଧ୍ୟ ଶିଶୁ ମଙ୍ଗଲ କମିଟି ସହାୟତା ପ୍ରଦାନ କରିବ ବୋଲି ସଦସ୍ୟ ଶିବାନନ୍ଦ ବେହେରା କହିଛନ୍ତି।



