‘ଦଳିତ’ ଶବ୍ଦ ବ୍ୟବହାର ମନା

0

ମୁମ୍ବଇ : ‘ଦଳିତ’ ଶବ୍ଦ ଆପତ୍ତିଜନକ; ଏହାର ବ୍ୟବହାର ନ କରିବାକୁ ବମ୍ବେ ହାଇକୋର୍ଟ ମହାରାଷ୍ଟ୍ର କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ନିର୍ଦେଶ ଦେଇଛନ୍ତି। ଗଣମାଧ୍ୟମଗୁଡ଼ିକ ଏହି ଶବ୍ଦ ବ୍ୟବହାର ନ କରିବା ପାଇଁ ନିର୍ଦେଶନାମା ଜାରି କରିବାକୁ ଏଥିରେ କୁହାଯାଇଛି। ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ ଦଳିତ ଶବ୍ଦ ବ୍ୟବହାର ନ କରିବା ପାଇଁ ଏକ ନିର୍ଦେଶନାମା ଜାରି କରାଯାଇଥିବା ପରିପ୍ରେକ୍ଷୀରେ ହାଇକୋର୍ଟର ନାଗପୁର ପୀଠ ଏପରି ନିର୍ଦେଶ ଦେଇଛନ୍ତି। ବିଚାରପତି ବି.ପି ଧର୍ମାଧିକାରୀ ଓ ଜେଡ୍‍.ଏ ହକ୍‍ଙ୍କୁ ନେଇ ଗଠିତ ପୀଠ ପଙ୍କଜ ମେଶ୍ରାମ ନାମକ ଜଣେ ସାମାଜିକ କର୍ମୀଙ୍କ ଆବେଦନ ଉପରେ ଏହି ନିର୍ଦେଶ ଦେଇଛନ୍ତି। ମେଶ୍ରାମ ସରକାରୀ ନଥିପତ୍ରରୁ ‘ଦଳିତ’ ଶବ୍ଦ ବ୍ୟବହାର ହଟାଇବାକୁ ଏକ ଜନସ୍ୱାର୍ଥ ମାମଲା ଜରିଆରେ ଆବେଦନ କରିଥିଲେ।
ଉଲ୍ଲେଖଯୋଗ୍ୟ ଯେ ୨୦୧୭ ନଭେମ୍ବରରେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ସରକାରୀ ନଥିପତ୍ରରେ ଉକ୍ତ ଶବ୍ଦ ବ୍ୟବହାର ବନ୍ଦ କରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ ଓ ଚଳିତ ବର୍ଷ ମାର୍ଚ୍ଚ ୧୫ରେ କେନ୍ଦ୍ର ତଥା ସମସ୍ତ ରାଜ୍ୟ ସରକାରଙ୍କୁ ଏ ସଂକ୍ରାନ୍ତ ନିର୍ଦେଶନାମା ଜାରି କରିଥିଲେ। ଏହି ଶବ୍ଦ ବଦଳରେ ‘ଅନୁସୂଚିତ ଜାତି ବର୍ଗ’ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ ଗଣମାଧ୍ୟମଗୁଡ଼ିକ ମଧ୍ୟ ଉକ୍ତ ଶବ୍ଦ ବ୍ୟବହାର ନ କରିବାକୁ ହାଇକୋର୍ଟ କହିଛନ୍ତି। ଏ ନେଇ ପ୍ରେସ୍‍ କାଉନ୍‍ସିଲ ଅଫ ଇଣ୍ଡିଆକୁ ମଧ୍ୟ ନିର୍ଦେଶ ଦିଆଯାଇଛି। ଆସନ୍ତା ଛ’ମାସ ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରିବାକୁ କୁହାଯାଇଛି।

Leave A Reply