ରମ୍‍ଜାନ୍‍ ଅବସରରେ ଜିହାଦ ପାଇଁ ଉସ୍‍କାଉଛି ଜେୟୁଡି

0

ରାୱଲକୋଟ୍‍ : ଆତଙ୍କବାଦୀ ସଂଗଠନ ଜମାତ୍‍-ଉଦ୍‍-ଦାୱା (ଜେୟୁଡି) ଏବେ ଖୋଲାଖୋଲି ଆତଙ୍କବାଦ ପ୍ରସାର କରିବାର ଧୃଷ୍ଟତା ଦେଖାଇଛି। ସଂଗଠନର ନିଶାଣରେ ଭାରତ ଏବଂ ଏହାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରହିଛନ୍ତି। ମୋଦୀଙ୍କୁ ହତ୍ୟା କରିବା ସହିତ ଭାରତ ଓ ଇସ୍ରାଏଲ୍‍ର ବିଭାଜନ ଯୋଜନା କରିଛି ଏହି ସଂଗଠନ। ମୁମ୍ବଇ ଆକ୍ରମଣ-୨୦୦୮ର ମାଷ୍ଟର ମାଇଣ୍ଡ ହାଫିଜ୍‍ ସୟିଦ ନେତୃତ୍ୱାଧୀନ ଜେୟୁଡିର ବରିଷ୍ଠ ସଦସ୍ୟ ମୌଲାନା ବଶିର ଅହମ୍ମଦ ଖାକି ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ର ପୁଞ୍ଚ ଜିଲା ଅନ୍ତର୍ଗତ ରାୱଲକୋଟ୍‍ଠାରେ ଶୁକ୍ରବାର ଏକ ଧାର୍ମିକ ଜନସମାବେଶକୁ ଉଦ୍‍ବୋଧନ ଦେଇ ଏହା କହିଛି। ସେ କହିଛି, ଭାରତ ଓ ଆମେରିକାରେ ଇସ୍‍ଲାମ୍‍ ଧ୍ୱଜା ଉତ୍ତୋଳନ କରାଯିବ। ମୋଦୀଙ୍କୁ ହତ୍ୟା କରାଯିବ। ଭାରତ ଓ ଇସ୍ରାଏଲ୍‍ର ବହୁ ନାଗରିକଙ୍କୁ ଜିହାଦରେ ସାମିଲ ପୂର୍ବକ ସଂଖ୍ୟାଧିକ ସହିଦ ପ୍ରସ୍ତୁତ କରାଯିବ। ଏହି ଦୁଇ ଦେଶକୁ ବିଭାଜିତ କରାଯିବ। ରମଜାନକୁ ‘ଜିହାଦ-ଓ-କାତିଲ’ (ଜିହାଦ ଏବଂ ହତ୍ୟା)ର ପବିତ୍ର ମାସ ବୋଲି ସେ ଦର୍ଶାଇ ଏହି ଅବସରରେ ଜିହାଦରେ ସାମିଲ ହେବାକୁ ସେ ଶ୍ରୋତାଙ୍କୁ ଉସ୍‍କାଇଛି। ଏପରିକି ପ୍ରାଣ ହରାଉଥିବା ଜିହାଦୀଙ୍କ ପାଇଁ ସ୍ୱର୍ଗର ଦ୍ୱାର ଉନ୍ମୁକ୍ତ ବୋଲି କହି ସେ ଶ୍ରୋତାମାନଙ୍କୁ ଉଦ୍‍ବୁଦ୍ଧ କରିବାର ଉଦ୍ୟମ କରିଛି।
ଭାରତକୁ ଧ୍ୱଂସ କରିବା ତଥା କାଶ୍ମୀରକୁ ସ୍ୱାଧୀନତା ପ୍ରଦାନ ଉଦ୍ଦେଶ୍ୟରେ ସମ୍ପ୍ରତି ଜେୟୁଡି କ୍ୟାଡରମାନେ କାଶ୍ମୀରରେ ଭାରତୀୟ ସେନା ଉପରେ ଆକ୍ରମଣ ପୂର୍ବକ ଜିହାଦ ଜାରି ରଖିଥିବା ସେ ଦର୍ଶାଇଛି। ଏହି ଜିହାଦରେ ସାମିଲ ହେବା ନିମନ୍ତେ ନିଜ ପୁତ୍ର ସନ୍ତାନମାନଙ୍କୁ ଅନୁମତି ପ୍ରଦାନ କରିବାକୁ ପିଓକେବାସୀଙ୍କୁ ବଶିର୍‍ ନିବେଦନ କରିଛି। ଆତଙ୍କବାଦ ନିମନ୍ତେ ଜେୟୁଡି ନିକଟରେ ପାଣ୍ଠିର ଅଭାବ ରହିଥିବା ବଶିର୍‍ଙ୍କ ବକ୍ତବ୍ୟରୁ ବାରି ହୋଇପଡିଛି। ଜିହାଦ୍‍କୁ ଆଗେଇ ନେବା ନିମନ୍ତେ ଜେୟୁଡି ଏବଂ ମୁଜାହିଦ୍ଦିନକୁ ଧାନ, ରାସନ ଏବଂ ନଗଦ ଟଙ୍କା ଅନୁଦାନ ଆକାରରେ ପ୍ରଦାନ କରିବାକୁ ସେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକଙ୍କୁ ନିବେଦନ କରିଛି। ଏପରିକି କାଶ୍ମୀରରେ ଜିହାଦ ଜାରି ରଖିଥିବା ମୁଜାହିଦ୍ଦିନଙ୍କ ସହାୟତା ନିମନ୍ତେ ମା’ମାନେ ସେମାନଙ୍କ ପୁତ୍ର ଓ ଅର୍ଥ ଦାନ କରନ୍ତୁ ବୋଲି ସେ କହିଛି।
ତେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହତ୍ୟା କରିବା ନେଇ ଏହା ଆତଙ୍କବାଦୀଙ୍କର ପ୍ରଥମ ଯୋଜନା ନୁହେଁ। ଏହା ପୂର୍ବରୁ ୨୦୧୮ ମେ’ ମାସରେ ମୋଦୀଙ୍କୁ ହତ୍ୟା ନିମନ୍ତେ ଆଇଏସ୍‍ଆଇଏସ୍‍ ଆତଙ୍କବାଦୀଙ୍କ ଯୋଜନାକୁ ଗୁଜରାଟ ଆତଙ୍କବାଦ ନିରୋଧୀ ଦଳ (ଏଟିଏସ୍‍) ପଣ୍ଡ କରିଥିଲା। ଆତଙ୍କବାଦୀମାନେ ମୋଦୀଙ୍କୁ ଏକ ସ୍ନିପର ବନ୍ଧୁକ ଦ୍ୱାରା ହତ୍ୟା ଯୋଜନା କରିଥିଲେ। ସେହିଭଳି ହାଫିଜ୍‍ ଏବଂ ତା’ର ପ୍ରମୁଖ ସହଯୋଗୀ ଖୋଲାଖୋଲି ଭାବେ ମଦ୍ରାସା ଛାତ୍ରଙ୍କୁ ଆତଙ୍କବାଦରେ ସାମିଲ କରୁଥିବା ଏଲ୍‍ଇଟିର ଗିରଫ ଆତଙ୍କବାଦୀ ଜଇବୁଲ୍ଲା ହାମଜା ନିକଟରେ ସ୍ୱୀକାର କରିଥିଲା। ହାମଜାକୁ ୨୦୧୮ ଏପ୍ରିଲରେ ଗିରଫ କରାଯାଇଥିଲା। ଏହି ଛାତ୍ରମାନଙ୍କୁ ପ୍ରଥମେ ପାକିସ୍ତାନ ଏବଂ ପାକିସ୍ତାନର ଆଜାଦ କାଶ୍ମୀର କୁହାଯାଉଥିବା ଅଞ୍ଚଳରେ ୨ ବର୍ଷ ପର୍ଯ୍ୟନ୍ତ ପ୍ରଶିକ୍ଷଣ ଦିଆଯାଇଥାଏ ବୋଲି ହାମଜା ଜେରା ବେଳେ ପ୍ରକାଶ କରିଥିଲା।

Leave A Reply