www.samajalive.in
Sunday, December 14, 2025
26.1 C
Bhubaneswar

୪୦ ବର୍ଷ ଚୁପ୍‌ !

ପୁରୀ : ହଜିଛି ରତ୍ନଭଣ୍ଡାର ଚାବି। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବିବରଣୀରୁ ଏହା ସ୍ପଷ୍ଟ ହୋଇଛି। ଚାବି ହଜିବା ସମ୍ପର୍କରେ ଥାନାରେ ଏତଲା ଦିଆଯାଇ ନାହିଁ। ଜଗନ୍ନାଥ ମନ୍ଦିର ଆଇନରେ ଥିବା ବ୍ୟବସ୍ଥା ଅନୁଯାୟୀ ଜିଲା କୋଷାଗାର (ଟ୍ରେଜେରୀ)ରେ ରତ୍ନଭଣ୍ଡାର ଚାବି ରଖାଯିବା କଥା। ୧୯୭୮ରେ ରତ୍ନଭଣ୍ଡାର ଖୋଲାଯାଇ ମୂଲ୍ୟବାନ ହୀରନୀଳା ଓ ସୁନାରୁପା ଅଳଙ୍କାର ତାଲିକା ପ୍ରସ୍ତୁତ କରାଯାଇଥିଲା। ଏହାପରେ ରତ୍ନଭଣ୍ଡାର ଚାବି ଜିଲା ଟ୍ରେଜେରୀକୁ ଫେରିଛି କି ନାହିଁ ତା’ର ପ୍ରମାଣ ମିଳୁନାହିଁ। ଚାବି ରଖିବା ପାଇଁ ଟ୍ରେଜେରୀ ଷ୍ଟ୍ରଙ୍ଗରୁମ୍‍ରେ ଥିବା ସ୍ୱତନ୍ତ୍ର ବାକ୍ସ ଖାଲିପଡ଼ିଛି। ମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ମଧ୍ୟ ଚାବି ନଥିବା ଜଣାପଡ଼ିଛି। ଗତ ଏପ୍ରିଲ ୪ତାରିଖ ଦିନ ରତ୍ନଭଣ୍ଡାର ଖୋଲିନପାରି ଯାଞ୍ଚକାରୀ ଦଳ ଫେରିବା ପରେ ଏହି ଘଟଣା ପ୍ରଶାସନ ଦୃଷ୍ଟିକୁ ଆସିଥିଲା। ଚାବି ନଥିବାରୁ ଲୁହାଗ୍ରିଲ୍‍ ଭିତରେ ସର୍ଚ୍ଚଲାଇଟ ପକାଇ ଭିତର ଭଣ୍ଡାରଘର (ରତ୍ନଭଣ୍ଡାର) ସ୍ଥିତି କମିଟି ଅନୁଧ୍ୟାନ କରିଥିଲା।
ରତ୍ନଭଣ୍ଡାର ସମ୍ପର୍କରେ ଯଦି ଓଡ଼ିଶା ହାଇକୋର୍ଟ ନିର୍ଦେଶ ଦେଇ ନ ଥାଆନ୍ତେ ତାହେଲେ ଚାବି ହଜିବା ରହସ୍ୟ ଲୋକଲୋଚନକୁ ଆସି ନ ଥାଆନ୍ତା। ଚାବି ହଜିବା ସମ୍ପର୍କରେ ମୁଖ୍ୟ ପ୍ରଶାସକ ଗତ ଏପ୍ରିଲ ୪ତାରିଖରେ ପରିଚାଳନା କମିଟିକୁ ଜଣାଇଥିଲେ। ଖୋଜାଖୋଜି ପରେ ଯଦି ଚାବି ନମିଳେ ତାହେଲେ ତାଲା ଭାଙ୍ଗିବାକୁ ଅନୁମତି ଦିଆଯିବ ବୋଲି ପରିଚାଳନା କମିଟି ବୈଠକରେ ସ୍ଥିର କରାଯାଇଛି। ୨ମାସ ବିତି ଯାଇଥିଲେ ମଧ୍ୟ ଏଥିନେଇ ମନ୍ଦିର ପ୍ରଶାସନ ପକ୍ଷରୁ ଥାନାରେ ଏତଲା ଦିଆଯାଇ ନାହିଁ କିମ୍ବା ରାଜ୍ୟ ସରକାରଙ୍କୁ ଅବଗତ କରାଯାଇ ନାହିଁ।
ସୂଚନା ଅନୁଯାୟୀ ରତ୍ନଭଣ୍ଡାର ଲୁହା ଫାଟକରେ ୩ଟି ଚାବି ପଡିଛି। ସେଥିରୁ ଗୋଟିକରେ ଜଉମୁଦ ସିଲ୍‍ ଥିବାବେଳେ ଅନ୍ୟ ୨ଟି ଫାଙ୍କା ରହିଛି। ମୁଖ୍ୟ ପ୍ରଶାସକ ଏବଂ ଜିଲାପାଳଙ୍କ ସମେତ ୧୭ଜଣିଆ କମିଟି ରତ୍ନଭଣ୍ଡାର ଯାଞ୍ଚ କରିବାକୁ ଏପ୍ରିଲ ୪ତାରିଖରେ ଭିତରକୁ ଯାଇଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ସର୍ତ୍ତମୂଳକ ଅନୁମତି ଦିଆଯାଇଥିଲା। ମନ୍ଦିର ପ୍ରଶାସନ ପାଖରେ ରହିଥିବା ଚାବି ରତ୍ନଭଣ୍ଡାରର ନୁହେଁ ବୋଲି ସେଦିନ ଜଣାପଡ଼ିଥିଲା। ୧୯୭୮ର ରତ୍ନଭଣ୍ଡାର ଖୋଲାଯିବା ଫାଇଲ୍‍ ଏବଂ ଗହଣା ତାଲିକା ମନ୍ଦିର ପ୍ରଶାସନ ଖୋଜି ବାହାର କରିଛି। ତେବେ ସେତେବେଳେ ଚାବି ଟ୍ରେଜେରୀକୁ ଫେରା ଯାଇଥିଲା କି ନାହିଁ ଏବଂ ଯଦି ଟ୍ରେଜେରୀକୁ ଦିଆଯାଇ ନଥିଲା ତାହାଲେ କେଉଁ ଅଧିକାରୀ ତାହାକୁ ପାଖରେ ରଖିଥିଲେ ସେ ସମ୍ପର୍କରେ ଫାଇଲରୁ କୌଣସି ସୂଚନା ମିଳୁନାହିଁ। ତେଣୁ ରତ୍ନଭଣ୍ଡାର ଚାବି ହଜିବା ନେଇ ପ୍ରଶାସନ ଅନ୍ଧାରରେ ବାଡ଼ି ବୁଲାଉଛି।
ଶ୍ରୀଜଗନ୍ନାଥ ମନ୍ଦିର ଆଇନରେ ଥିବା ବ୍ୟବସ୍ଥା ଅନୁଯାୟୀ ନୂଆ ପରିଚାଳନା କମିଟି ଦାୟିତ୍ୱ ନେବାପରେ ରତ୍ନଭଣ୍ଡାର ଯାଞ୍ଚ୍‍ କରିବା ସହ ଗହଣା ତାଲିକା ଅନୁଧ୍ୟାନ କରିବା କଥା। ରାଜ୍ୟ ସରକାର ଶ୍ରୀମନ୍ଦିର ପରିଚାଳନା ଦାୟିତ୍ୱ ନେବାଠାରୁ ଏପର୍ଯ୍ୟନ୍ତ ଏହି ଆଇନଗତ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇ ନାହିଁ। ରତ୍ନଭଣ୍ଡାର ଚାବି ହଜିବା ନେଇ କାଦୁଅ ଫିଙ୍ଗା ଆରମ୍ଭ ହୋଇଛି। ଏତେବଡ଼ ସମ୍ବେଦନଶୀଳ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ନିରବତା କୋଟି କୋଟି ଜଗନ୍ନାଥପ୍ରେମୀଙ୍କୁ ବ୍ୟଥିତ କରିଛି। ଏ ସମ୍ପର୍କରେ ମତାମତ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନାଙ୍କ ମୋବାଇଲ ଫୋନ୍‍ରେ ଯୋଗାଯୋଗ କରାଯାଇଥିଲା। ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories