www.samajalive.in
Sunday, December 14, 2025
26.1 C
Bhubaneswar

ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ସିବିଆଇ ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦେଶ

କଟକ: ଓଡ଼ିଶାର ଗୋ-ଖାଦ୍ୟ ଦୁର୍ନୀତି ଅଭିଯୋଗର ତଦନ୍ତ କରିବ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)। ଏ ନେଇ ଆସିଥିବା ମାମଲାକୁ ରୁଜୁକରି ତା’ର ତଦନ୍ତ କରିବାକୁ ଓଡ଼ିଶା ହାଇକୋର୍ଟ ଶୁକ୍ରବାର ନିର୍ଦେଶ ଦେଇଛନ୍ତି। ଗୋ-ଖାଦ୍ୟ ଦୁର୍ନୀତି ନେଇ ହୋଇଥିବା ଅଭିଯୋଗକୁ ଏତଲା ଭାବେ ଗ୍ରହଣ କରିବାକୁ ସିବିଆଇକୁ ଜଷ୍ଟିସ ଡକ୍ଟର ବିଦ୍ୟୁତ୍‌ରଞ୍ଜନ ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଏହି ପ୍ରସଙ୍ଗରେ ଆଇନ ଅନୁସାରେ ପଦକ୍ଷେପ ନେବାକୁ ସିବିଆଇକୁ ହାଇକୋର୍ଟ ଆଦେଶ ଦେଇଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ କଟକ ଜିଲା ସମବାୟ ଦୁଗ୍ଧ ଉତ୍ପାଦକ ୟୁନିୟନରେ ଗୋ-ଖାଦ୍ୟ କ୍ରୟ, ବିକ୍ରୟ, ଯୋଗାଣ ସହିତ ଏଥିରେ ନିଯୋଜିତ ଶ୍ରମିକଙ୍କ ଦେୟ ପ୍ରଦାନରେ ବ୍ୟାପକ ଆର୍ଥିକ ଅନିୟମିତତାକୁ ନେଇ ସନ୍ତୋଷ କୁମାର ସାମଲଙ୍କ ପକ୍ଷରୁ ଦାୟର ଏହି ମାମଲାରେ ସମଗ୍ର ଘଟଣାର ସିବିଆଇ କିମ୍ବା କୌଣସି ସ୍ବାଧୀନ ଏଜେନ୍ସି ମାଧ୍ୟମରେ ତଦନ୍ତ ପାଇଁ ପ୍ରାର୍ଥନା କରିିଯାଇଥିଲା। କଟକରେ ୧୩ଲକ୍ଷ ଟଙ୍କାରୁ ଅଧିକ ଆର୍ଥିକ ଅନିୟମିତତା ନେଇ ଆବେଦନକାରୀ ଅଭିଯୋଗ କରିଥିଲେ। ଏପରି ଅନିୟମିତତା ନେଇ ଅଡିଟରେ ଧରାପଡିଥିଲା ବୋଲି ଆବେଦନରେ ଉଲ୍ଲେଖ କରାଯିବା ସହିତ ଘଟଣାର ତଦନ୍ତ କରାଯିବା ଆବଶ୍ୟକ ବୋଲି ଦର୍ଶାଯାଇଥିଲା। ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ ଲିମିଟେଡ ସହିତ ରାଜ୍ୟର ବିଭିନ୍ନ ଦୁଗ୍ଧ ଉତ୍ପାଦକ ୟୁନିୟନ ଅନୁବନ୍ଧିତ ହୋଇଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାର ଦୁଗ୍ଧ ଉତ୍ପାଦନ ଓ ଚାଷୀଙ୍କ ଉନ୍ନତି ପାଇଁ ବହୁ ସମୟରେ ଅନୁଦାନ ପ୍ରଦାନ କରୁଛନ୍ତି।

ଏହାର ଫାଇଦା କିନ୍ତୁ ଦୁଗ୍ଧ ଚାଷୀ ପାଇ ପାରୁ ନାହାନ୍ତି ଓ ବ୍ୟାପକ ଅର୍ଥ ତୋଷାରପାତ କରାଯାଉଛି ବୋଲି ଆବେଦନକାରୀ ଅଭିଯୋଗ କରିଥିଲେ। ରାଜ୍ୟର ବିଭିନ୍ନ ଜିଲାରେ ଥିବା ସମବାୟ ଦୁଗ୍ଧ ଉତ୍ପାଦକ ୟୁନିୟନରେ ଏପରି ଦୁର୍ନୀତି ହେଉଥିବା ବେଳେ ଏଥିରେ ଉଚ୍ଚପଦସ୍ଥ ଅଧିକାରୀ, ରାଜନୈତିକ ନେତା ଓ ବହୁ ପ୍ରଭାବଶାଳୀ ବ୍ୟକ୍ତି ସଂପୃକ୍ତ। ଏଭଳି ଦୁର୍ନୀତି ବିହାରର ଗୋ-ଖାଦ୍ୟ ଦୁର୍ନୀତି ସହିତ ତୁଳନୀୟ ବୋଲି ଆବେଦନରେ ଦର୍ଶାଯାଇଥିଲା। ଏପରି ଦୁର୍ନୀତି ବିରୋଧରେ କଟକ ଜିଲା ସମବାୟ ଦୁଗ୍ଧ ଉତ୍ପାଦକ ୟୁନିୟନରେ ପ୍ଲାଣ୍ଟ ଅପରେଟର ଭାବେ କାର୍ଯ୍ୟ କରୁଥିବା ଆବେଦନକାରୀ ସ୍ବର ଉଠାଇବା ପରେ ‌ଆକ୍ରୋଶର ଶିକାର ହୋଇଥିଲେ। ଏ ନେଇ ସେ ସିବିଆଇ ନିର୍ଦ୍ଦେଶକଙ୍କ ନିକଟରେ ୨୦୧୯ ଅକ୍ଟୋବରରେ ଅଭିଯୋଗ କରିବା ପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ଏହାପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏହି ମାମଲାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ, ରାଜ୍ୟ ଗୃହ ବିଭାଗ, ସିବିଆଇ ନିର୍ଦ୍ଦେଶକ, ଭୁବନେଶ୍ବର ସିବିଆଇ ଏସପି, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଯୁଗ୍ମ ନିର୍ଦ୍ଦେଶକଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିପ୍ଳବ ବାହାଲି, କଳିଙ୍ଗ କେଶରୀ ମହାପାତ୍ର ଓ ସୁଶୀଲ ମହାପାତ୍ର ମାମଲା ପରିଚାଳନା କରୁଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories