www.samajalive.in
Saturday, December 13, 2025
26.1 C
Bhubaneswar

ରଣଜୀ ଟ୍ରଫି : ଛତିଶଗଡ଼ର ୧୩୪ ରନ୍ ଜବାବରେ ଓଡ଼ିଶା ୩/୪୮

କଟକ : ଚମତ୍କାର ବୋଲିଂ ପ୍ରଦର୍ଶନ ସହ ଓଡ଼ିଶାର ସିନିୟର କ୍ରିକେଟ ଦଳ ୨୦୧୯-୨୦ ସିଜିନ୍‌ରେ ‌ତା’ର ରଣଜୀ ଟ୍ରଫି ଅଭିଯାନ ଆରମ୍ଭ କରିଛି। ରାୟପୁରର ସହିଦ୍ ବୀର ନାରାୟଣ ସିଂହ ଆନ୍ତର୍ଜାତିକ ଷ୍ଟାଡିୟମ୍‌ରେ ସୋମବାର ଆରମ୍ଭ ହୋଇଥିବା ଏଲିଟ୍‌ ଗ୍ରୁପ୍ ‘ସି’ର ଏହି ମ୍ୟାଚ୍‌ରେ ଯୁବ ଉଦୀୟମାନ ପେସ୍ ବୋଲର ରାଜେଶ ମହାନ୍ତି ୬ଟି ଓ ଅଭିଜ୍ଞ ପେସ୍ ବୋଲର ବସନ୍ତ ମହାନ୍ତି ୩ଟି ୱିକେଟ ନେଇଛନ୍ତି। ଓଡ଼ିଶାର ପେସ୍ ବାହିନୀ ବୋଲିଂ ଉପଯୋଗୀ ପିଚ୍ ଓ ବାତାବରଣର ଭରପୂର ଫାଇଦା ଉଠାଇ ଛତିଶଗଡ଼ର ବ୍ୟାଟିଂକୁ ଧ୍ବସ୍ତ କରିଛନ୍ତି। ଫଳରେ ଘରୋଇ ଛତିଶଗଡ଼ ପ୍ରଥମ ଇନିଂସରେ ୧୩୪ ରନ୍‌କରି ଅଲ୍‌ଆଉଟ ହୋଇଯାଇଛି। ପରେ ପ୍ରଥମଦିନର ଷ୍ଟମ୍ପ୍ ଅପସାରଣ ସୁଦ୍ଧା ଓଡ଼ିଶା ପ୍ରଥମ ଇନିଂସରେ ୩ ୱିକେଟ ହରାଇ ୪୮ ରନ୍ କରିପାରିଛି। ୭ଟି ୱିକେଟ ବାକିଥିବା ବେଳେ ଓଡ଼ିଶା ଏବେ ୮୬ ରନ୍ ପଛରେ ରହିଛି।
ରଣଜୀ ଟ୍ରଫି ଇତିହାସରେ ଏହା ଛତିଶଗଡ଼ ବିପକ୍ଷରେ ଓଡ଼ିଶାର ପ୍ରଥମ ମୁକାବିଲା। ଏହି ମୁକାବିଲାରେ ଓଡ଼ିଶା ଟସ୍ ଜିତି ଫିଲ୍‌ଡିଂର ନିଷ୍ପତ୍ତି ନେଇଥିଲା। ପିଚ୍‌ରେ ବାଉନ୍‌ସ ଥିବା ବେଳେ ସାମାନ୍ୟ ଘାସ ମଧ୍ୟ ଥିଲା। ଫଳରେ ଓଡ଼ିଶାର ୩ ଜଣିଆ ପେସ୍ ବୋଲର ଏହାର ଫାଇଦା ଉଠାଇ ପାରିଥିଲେ। ୪ର୍ଥ ଓଭରରେ ଛତିଶଗଡ଼ ପ୍ରଥମ ୱିକେଟ ହରାଇଥିଲା। ଅବିନାଶ ଧାଲିୱାଲ ଖାତା ଖୋଲିବା ପୂର୍ବରୁ ରାଜେଶ ମହାନ୍ତିଙ୍କ ପ୍ରଥମ ଶିକାର ହୋଇଥିଲେ। ପୂର୍ବରୁ ପଞ୍ଜାବ ପାଇଁ ଖେଳିଥିବା ଓପ୍‌ନର ଜୀବନଜୋତ୍‌ ସିଂହ ୪୫ ବଲ୍‌ର ମୁକାବିଲା କରି ୧୨ ରନ୍‌କରି ବିଦାୟ ନେଇଥିଲେ। ଏହାପରେ ବସନ୍ତ ମହାନ୍ତି ଓ ରାଜେଶ ମହାନ୍ତି ଛତିଶଗଡ଼ର ମଧ୍ୟକ୍ରମକୁ ଧ୍ବସ୍ତ କରିଥିଲେ। ଆଶୁତୋଶ ସିଂହ ୬ ରନ୍‌କରି ଆଉଟ ହୋଇଥିଲେ। ଗତ ସିଜିନ୍‌ରେ ଛତିଶଗଡ଼ ପାଇଁ ସର୍ବାଧିକ ରନ୍ କରିଥିବା ଅଧିନାୟକ ହରପ୍ରୀତ ସିଂହ ଭାଟିଆଙ୍କ ଗୁରୁତ୍ବପୂର୍ଣ୍ଣ ୱିକେଟ ବସନ୍ତ ନେଇଥିଲେ। ହରପ୍ରୀତ ୯ ରନ୍ କରିଥିଲେ। ଏହି ୱିକେଟ ପଡ଼ିଯିବା ସହ ଛତିଶଗଡ଼ ୨୪ ରନ୍‌ରେ ୫ଟି ୱିକେଟ ହରାଇଥିଲା। ଶଶାଙ୍କ ସିଂହ ୮ ଓ ମନୋଜ ସିଂହ ୧ ରନ୍‌କରି ଆଉଟ ହୋଇଥିଲେ। ଜୁନିୟର ଭାରତୀୟ ଦଳ ପାଇଁ ଖେଳିଥିବା ଅମନପ୍ରୀତ ଖରେ ୩୩ ବଲ୍‌ରୁ ୪ଟି ଚୌକା ସହ ୨୦ ରନ୍‌କରି ବିଦାୟ ନେଇଥିଲେ। ପରେ ପୁନିତ ଦାତେ ୫ ରନ୍‌କରି ଆଉଟ ହେବା ବେଳକୁ ଛତିଶଗଡ଼ର ସ୍କୋର୍ ଥିଲା ୮ ୱିକେଟରେ ୭୬ ରନ୍। ପରେ ଅଜୟ ମଣ୍ଡଳ ଓ ବୀର ପ୍ରତାପ ସିଂହ ୧୬ ରନ୍ ଯୋଡ଼ିଥିଲେ। ୯୨ ରନ୍‌ରେ ଛତିଶଗଡ଼ ୯ଟି ୱିକେଟ ହରାଇବା ପରେ ଦଳକୁ ୧୩୪ ରନ୍‌ରେ ପହଞ୍ଚାଇଥିଲେ ଅଜୟ ମଣ୍ଡଳ ଓ ପଙ୍କଜ ରାଓ। ଦୁହେଁ ୯ ଓଭର କ୍ରିଜ୍‌ରେ ରହି ଅନ୍ତିମ ୱିକେଟ ପାଇଁ ମୂଲ୍ୟବାନ ୪୨ ରନ୍ ଯୋଗ କରିଥିଲେ। ଅଜୟ ମଣ୍ଡଳ ୬୯ ବଲ୍‌ ଖେଳି ଗୋଟିଏ ଛକା ଓ ୭ଟି ଚୌକା ସହ ୪୭ ରନ୍ କରିଥିଲେ। ପଙ୍କଜ ରାଓ ୧୩ ବଲ୍‌ରୁ ୫ ରନ୍‌କରି ଅପରାଜିତ ଥିଲେ। ରାଜେଶ ମହାନ୍ତି ୪୭ ରନ୍‌ଦେଇ ୬ଟି ୱିକେଟ ପାଇଥିଲେ। ୧୦ମ ରଣଜୀ ଟ୍ରଫି ମ୍ୟାଚ୍‌ରେ ୪ର୍ଥ ଥର ପାଇଁ ରାଜେଶ ଏକ ଇନିଂସରେ ୫ କିମ୍ବା ଅଧିକ ୱିକେଟ ନେଇଛନ୍ତି। ବସନ୍ତ ମହାନ୍ତି ୨୪ ରନ୍‌ଦେଇ ୩ଟି ୱିକେଟ ନେଇଛନ୍ତି। ସୂର୍ଯ୍ୟକାନ୍ତ ପ୍ରଧାନ ଗୋଟିଏ ୱିକେଟ ନେଇଥିଲେ।
ଚା’ପାନ ବିରତି ପରେ ଛତିଶଗଡ଼ ଅଲ୍‌ଆଉଟ ହେବା ପରେ ଓଡ଼ିଶା ଇନିଂସ ଆରମ୍ଭ କରିଥିଲା। ଓପ୍‌ନର ସନ୍ଦୀପ ପଟ୍ଟନାୟକଙ୍କ ଶରୀରରେ ବଲ୍‌ ବାଜିବାରୁ ସେ ରିଟାୟର୍ଡ ହର୍ଟ ହୋଇଥିଲେ। ପରେ ଅନ୍ୟ ଓପ୍‌ନର ଅନୁରାଗ ଷଡ଼ଙ୍ଗୀ ଓ ଦେବାଶିଷ ସାମନ୍ତରାୟ ସ୍କୋର୍‌କୁ ୨୨ ରନ୍‌ରେ ପହଞ୍ଚାଇଥିଲେ। ୩ଟି ଚୌକା ସହ ୧୪ ରନ୍‌ କରିଥିବା ଅନୁରାଗଙ୍କୁ ଆଉଟ୍‌କରି ପୁନିତ ଦାତେ ଘରୋଇ ଦଳକୁ ପ୍ରଥମ ସଫଳତା ଦେଇଥିଲେ। ପରେ ଦେବାଶିଷ ସାମନ୍ତରାୟ ୮ ରନ୍‌କରି ବିଦାୟ ନେଇଥିଲେ। ଦିନର ଶେଷଆଡ଼କୁ ପୁନିତ ଦାତେ ଛତିଶଗଡ଼କୁ ସବୁଠାରୁ ମୂଲ୍ୟବାନ ୱିକେଟ ଦେଇଥିଲେ। ଫର୍ମରେ ଥିବା ଅଧିନାୟକ ଶୁଭ୍ରାଂଶୁ ସେନାପତି ୩ଟି ଚୌକା ସହ ୧୬ ରନ୍‌କରି ଆଉଟ ହୋଇଥିଲେ। ଷ୍ଟମ୍ପ୍ ଅପସାରଣ ବେଳକୁ ଦୁଇ ପୂର୍ବତନ ଅଧିନାୟକ ବିପ୍ଳବ ସାମନ୍ତରାୟ ୪ ଓ ଗୋବିନ୍ଦ ପୋଦ୍ଦାର ବିନା ସ୍କୋର୍‌ରେ ଅପରାଜିତ ଅଛନ୍ତି। ପୁନିତ ଦାତେ ୨ଟି ଓ ପଙ୍କଜ ରାଓ ଗୋଟିଏ ୱିକେଟ ନେଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories