ପାକ୍‍ ଗୁଳିରେ ଯବାନଙ୍କ ସମେତ ୩ ଆହତ

0

ଜାମ୍ମୁ : ପାକିସ୍ତାନ ସେନା ବୁଧବାର ରାତିରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଜାମ୍ମୁ କାଶ୍ମୀରର ସାମ୍ବା ଏବଂ କଠୁଆ ଆନ୍ତର୍ଜାତିକ ସୀମାରେ ପ୍ରବଳ ଗୁଳିଗୋଳା ଓ ଗ୍ରେନେଡ ବର୍ଷଣ କରିଛି। ସାମ୍ବା ଏବଂ କଠୁଆରେ ଥିବା ୧୫ଟି ଭାରତୀୟ ସେନା ଶିବରିକୁ ଲକ୍ଷ୍ୟ କରି ପାକ ସୈନ୍ୟ ଗ୍ରେନେଡ ମାଡ଼ କରିଛନ୍ତି। ଏଥିରେ ଜଣେ ବିଏସ୍‍ଏଫ ଯବାନଙ୍କ ସମେତ କଠୁଆର ୨ ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ବିଏସ୍‍ଏଫର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ଯେ ବୁଧବାର ବିଳମ୍ବିତ ରାତିରେ ପାକ୍‍ ସେନା ସାମ୍ବା ଏବଂ କଠୁଆ ସୀମାରେ ଗୁଳିଗୋଳ ବର୍ଷଣ କରିଥିଲା। ରାତି ପ୍ରାୟ ୧୦ଟା ବେଳେ କଠୁଆର ହୀରାନଗର ସୀମାରୁ ଗୁଳି ମାଡ଼ ଆରମ୍ଭ ହୋଇଥିଲା। ପ୍ରାୟ ୧୫ଟି ସେନା ଶିବିରକୁ ଲକ୍ଷ୍ୟ କରି ସେମାନେ ଗୁଳି ଓ ଗ୍ରେନେଡ ମାଡ଼ କରିଥିଲେ। ବିଏସ୍‍ଏଫ ଯବାନ ଏହାର ପ୍ରତିଜବାବ ଦେଇଥିଲେ। ଫଳରେ ପାକିସ୍ତାନ ରେଞ୍ଜର୍ସ ଏବଂ ବିଏସ୍‍ଏଫ ଯବାନଙ୍କ ମଧ୍ୟରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଗୁଳିଗୋଳା ବିନିମୟ ଜାରି ରହିଥିଲା। ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକରେ ସ୍କୁଲଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦେଶ ଦେଇଛି। ପାକ୍‍ ଗୁଳିରେ ଜଣେ ବିଏସ୍‍ଏଫ ଯବାନ ଏବଂ କଠୁଆ ସୀମାବର୍ତ୍ତୀ ଅଞ୍ଚଳର ୨ ଜଣ ନାଗରିକ ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରକାଶ ଯେ ଉତ୍ତର କାଶ୍ମୀରରେ କିଶେନଗଙ୍ଗା ପ୍ରକଳ୍ପର ଉଦ୍‍ଘାଟନ ନିମନ୍ତେ ପ୍ରଧାନମନ୍ତ୍ରୀ ମେ’ ୧୯ରେ କାଶ୍ମୀର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହାପୂର୍ବରୁ ପାକିସ୍ତାନ ସେନା ଅସ୍ତ୍ର ବିରତି ଉଲ୍ଲଙ୍ଘନ କରିଛି।

Leave A Reply