୨୬/୧୧ ମୁମ୍ବଇ ଆକ୍ରମଣ ପ୍ରସଙ୍ଗ: ଫଳ ଯାହାବି ହେଉ, ସତ କହିବି : ସରିଫ

0

ଇସଲାମାବାଦ : ୨୬/୧୧ ମୁମ୍ବଇ ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର ହାତ ଥିଲା ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ମୁସଲିମ ଲିଗ୍‌(ପିଏମ୍‌ଏଲଏନ୍‌) ନେତା ନୱାଜ ସରିଫଙ୍କ ସ୍ୱୀକାରୋକ୍ତିକୁ ନେଇ ପାକିସ୍ତାନରେ ହଟଚମଟ ସୃଷ୍ଟି ହୋଇଛି । ପାକିସ୍ତାନର ବିଭିନ୍ନ ଟିଭି ଚ୍ୟାନେଲରେ ବିତର୍କ ଜାରି ରହିଛି । ପାକିସ୍ତାନର ଅନେକ ରାଜନେତା ନୱାଜଙ୍କୁ ଦେଶଦ୍ରୋହୀ ବୋଲି ସମ୍ବୋଧିତ କରିବା ସହ କଡ଼ା ସମାଲୋଚନା କରିଛନ୍ତି । ସୋମବାର ପାକିସ୍ତାନ ଜାତୀୟ ସୁରକ୍ଷା କମିଟି (ଏନ୍‌ଏସ୍‌ସି) ନୱାଜଙ୍କ ମନ୍ତବ୍ୟକୁ ଭୁଲ ଓ ବିଭ୍ରାନ୍ତିକର ବୋଲି କହିଛି । ଏନ୍‌ଏସ୍‌ସିର ମନ୍ତବ୍ୟ ପରେ ନୱାଜଙ୍କ ତରଫରୁ ତାଙ୍କ ଭାଇ ଶାହବାଜ ସରିଫ ସ୍ପଷ୍ଟୋକ୍ତି ଦେଇଛନ୍ତି । ଯାହା ବି ଫଳାଫଳ ହେଉ, ନୱାଜ ସତ କହିଛନ୍ତି ଓ ସର୍ବଦା ସତ କହିବେ ବୋଲି ସେ କହିଛନ୍ତି । ଉଲ୍ଲେଖ ଯେ ୧୨ ମେ’ରେ ପାକିସ୍ତାନର ପ୍ରତିଷ୍ଠିତ ଗଣମାଧ୍ୟମ ‘ଡନ୍‌’କୁ ସାକ୍ଷାତକାର ଦେଇ ନୱାଜ ସରିଫ କହିଥିଲେ ଯେ ୨୬/୧୧ ମୁମ୍ବଇ ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନୀ ଆତଙ୍କବାଦୀ ହିଁ ସମ୍ପୃକ୍ତ ଥିଲେ। ପାକିସ୍ତାନରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ତଥା ଏହାର ସଦସ୍ୟମାନେ ହିଁ ଏହି ଭୟଙ୍କର ଆକ୍ରମଣ ଘଟାଇଥିଲେ। ଏହି ଆକ୍ରମଣକୁ ଏବେ ଦଶ ବର୍ଷ ପୂରଣ ହେବାକୁ ବସିଥିବାବେଳେ ଭାରତ ଏ ନେଇ ଯେତେ ପ୍ରମାଣ ଉପସ୍ଥାପନ କଲେ ମଧ୍ୟ ପାକିସ୍ତାନ ବିଭିନ୍ନ ଆଳ ଦେଖାଇ ଏହାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନକୁ ଏଡ଼ାଇ ଆସୁଛି। ଏହାକୁ ଆଦୌ ଗୁରୁତ୍ୱ ମଧ୍ୟ ଦେଉ ନାହିଁ। ଶାହବାଜ ସରିଫଙ୍କ ପକ୍ଷରୁ ଜାରି ନୱାଜଙ୍କ ବୟାନ ଅନୁସାରେ ଫଳାଫଳ ଯାହା ବି ହେଉ ସତ କୁହାଯିବ । ଏହା ପୂର୍ବରୁ ‘ଡନ୍‌’ ନୱାଜଙ୍କ ସାକ୍ଷାତକାରକୁ ବିଭ୍ରାନ୍ତିକର କରି ପ୍ରକାଶ କରିଥିବା ଅଭିଯୋଗ ହୋଇଥିଲା । ମାତ୍ର ନୱାଜଙ୍କ ସାନ ଭାଇ ଶାହାବାଜ ଏହି ଖବରକୁ ଖଣ୍ଡନ କରିଛନ୍ତି । ଏହା ପୂର୍ବରୁ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫ, ପୂର୍ବତନ ଆଭ୍ୟନ୍ତରୀଣ ମନ୍ତ୍ରୀ ରହମାନ ମଲ୍ଲିକ ଏବଂ ପୂର୍ବତନ ଜାତୀୟ ସୁରକ୍ଷା ପରାମର୍ଶଦାତା ମହମୁଦ ଦୁରାନୀ ୨୬/୧୧ ମୁମ୍ବଇ ଆକ୍ରମଣ ପଛରେ ପାକିସ୍ତାନ ଆତଙ୍କବାଦୀଙ୍କ ହାତ ଥିବା ସ୍ୱୀକାର କରିସାରିଛନ୍ତି । ଆତଙ୍କବାଦୀ ବିରୋଧୀ ଲଢେଇରେ ଆମର ୫୦ ହଜାର ଲୋକଙ୍କ ବଳିଦାନ ପରେ ବି ବିଶ୍ୱ କାହିଁକି ଆମ କଥା ଶୁଣୁନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ଏହାସହ ଯିଏ ସତ କହୁଛି ତାକୁ ରାଷ୍ଟ୍ରଦୋହୀ ବୋଲି ଅଭିହିତ କରାଯାଉଛି ବୋଲି ସେ କ୍ଷୋଭର ସହ କହିଛନ୍ତି ।

Leave A Reply