ପବିତ୍ର ମହାଳୟାରୁ ମାଆ ଦ୍ୱାରସେନୀଙ୍କ ଛତର ଦାଣ୍ଡି ଯାତ୍ରା ଆରମ୍ଭ

ବଲାଙ୍ଗୀର: ବଲାଙ୍ଗୀର ଜିଲା ସିନେଧକେଲାରେ ପାଟଣା ରାଜ୍ୟ ସମୟରେ ଏଠାରେ ରାଜପରିବାରର ରାଜୁତି ଚାଲୁଥିଲା। ଆଜି ମଧ୍ୟ ଏହି ଅଞ୍ଚଳରେ ରାଜବଂଶର ଖ୍ୟାତି ରହିଛି। ରାଜା ରାଜୁଡା ଅମଳରୁ ପୂଜା ପାଇଆସୁଥିବା ମା ଦ୍ୱାରସେନୀଙ୍କ ଯାତ୍ରା ଦଶହରା ସମୟରେ ବେଶ ଜମିଥାଏ। ଅତି ନିଷ୍ଠାର ସହ ରୀତିନିତି ଅନୁସାରେ ମାଙ୍କୁ ଆବାହନ କରାଯାଇଥାଏ। ମାଙ୍କ ଷୋହଳ ପୂଜା ମୂଳାଷ୍ଟମୀ ଦିନରୁ ଆରମ୍ଭ ହୋଇଥାଏ। ପାରମ୍ପରିକ ବାଦ୍ୟରେ ରାଜପରିବାର ସଦସ୍ୟ, ଦେହୁରୀଙ୍କୁ ନେଇ ପବିତ୍ର ପୋଖରୀରେ ଖଣ୍ଡାଧୁଆ ପରମ୍ପରା ଅନୁଷ୍ଠିତ ହୋଇଥାଏ। ଏହି ଖଣ୍ଡାବସା ଉତ୍ସବରେ ରାଜପରିବାର ସଦସ୍ୟଙ୍କ ସହିତ ବଙ୍ଗୋମୁଣ୍ଡା, ଚାନ୍ଦୋତରା, ଅଳଣ୍ଡା ଜମିଦାର ମାନେ ମଧ୍ୟ ଉପସ୍ଥିତ ରହିଥାନ୍ତି। ଖଣ୍ଡା ଧୋଇ ଆଣିବା ପାଇଁ ଖଣ୍ଡାକୁ ଶକ୍ତି ଭାବେ ପୂଜା କରାଯାଇଥାଏ। ରୀତିନିତି ଅନୁସାରେ ମା ବିଜୟାଦଶମୀ ପର୍ୟ୍ୟନ୍ତ ବିଭିନ୍ନ ବିଧୀରେ ପୂଜା ପାଇଥାନ୍ତି। ଏହି ଷୋହଳ ଦିନ ଭିତରେ ମା ଦ୍ୱାରସେନୀଙ୍କ କିଛି ସ୍ୱତନ୍ତ୍ର ପରମ୍ପରା ରହିଛି ଯାହାକୁ ଦେଖିବା ପାଇଁ କାହିଁ କେଉଁ ଅଞ୍ଚଳରୁ ଭକ୍ତ ମାନେ ଆସିଥାନ୍ତି। ପବିତ୍ର ମହାଳୟା ଦିନ ନିକଟସ୍ଥ ମହଖଣ୍ଡ ଜଙ୍ଗଲରୁ ଛତର ପାଇଁ ଦାଣ୍ଡି ଅଣାଯାଇଥାଏ। ଏହାକୁ ପୂଜା କରିବା ପରେ ରାତ୍ରିରେ ଛତର ଉଭାହୋଇଥାଏ। ଛତର ପାଇଁ ବହୁ ଭକ୍ତ ପାଟ ପ୍ରଦାନ କରିଥାନ୍ତି। ଏହାକୁ ଛତରରେ ଢାଙ୍କି ମହାଳୟା ପରଦିନ ଦେବୀ ବୁଢାରଜା ସହ ଡେଙ୍ଗସର୍ଗି ଯାତ୍ରା କରିଥାନ୍ତି। ସିନେଧକେଲାରୁ ପ୍ରାୟ ୧୧ କିମି ଦୂରରେ ଥିବା ଇଚଗାଁକୁ ଯାଇ ସେଠାରେ ମା ଦ୍ୱାରସେନୀଙ୍କୁ ବିବାହ କରି ଫେରିଥାନ୍ତି। ଫେରିବା ପରେ ରାଜବାଟି ସାମ୍ନାରେ ଖଣ୍ଡାଭଙ୍ଗା ଉତ୍ସବ ପାଲିତ ହୁଏ। ଏହି ସମୟରେ ବାଡିଖେଳ କରିଥାନ୍ତି ବୁଢାରଜା। ଏହାକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଉତ୍ସୁକତା ପ୍ରକାଶ ପାଇଥାଏ। ଏହିଭଳି ଭାବେ ମା’ଙ୍କ ପୂଜା ଷୋହଳ ଦିନ ଧରି ଚାଲିଥାଏ। ପୁଣି ଅଷ୍ଟମୀ ତିଥିରେ ମାଙ୍କ ଅଷ୍ଟମୀ ପୂଜା ହୁଏ ଯେଉଁଦିନ ମା’ଙ୍କ ଆଗରେ ବଳି ଦିଆଯାଇଥାଏ। ଦଶମୀରେ ମା’ଙ୍କ ବଏଲ ଯାତ୍ରା ଅନୁଷ୍ଠିତ ହୁଏ।

kalyan agarbati

Comments are closed.