ଆଠଗଡ଼/ତିଗିରିଆ: ତିଗିରିଆଠାରେ ଖୁବ ଶୀଘ୍ର ଏକ ଆଦର୍ଶ ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟ ଗବେଷଣା କେନ୍ଦ୍ର (ମଡ଼େଲ ରୁରାଲ ହେଲ୍ଥ ରିସର୍ଚ୍ଚ ୟନିଟ) କାର୍ୟ୍ୟକ୍ଷମ ହେବ ଏବଂ ନିକଟ ଭବିଷ୍ୟତରେ ଏହାର ଲୋକାର୍ପଣ ହେବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟମନ୍ତ୍ରୀ ରଣେନ୍ଦ୍ରପ୍ରତାପ ସ୍ୱାଇଁ ପ୍ରକାଶ କରିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ ଗବେଷଣା କରିବା ଲକ୍ଷ୍ୟରେ ଏହି କେନ୍ଦ୍ରଟି ପ୍ରତିଷ୍ଠା କରାଯାଇଛି। ଗବେଷଣା କେନ୍ଦ୍ରର କୋଠାବାଡ଼ି ନିର୍ମାଣ କାର୍ୟ୍ୟ ସମ୍ପୂର୍ଣ୍ଣ ହୋଇଛି ଏବଂ ଏଥିନିମନ୍ତେ ଆବଶ୍ୟକ କର୍ମଚାରୀଙ୍କୁ ନିୟୋଜିତ କରାଯାଉଛି। ସେ କହିଛନ୍ତି ଯେ ସାଂସଦ ଭର୍ତ୍ତୁହରି ମହତାବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇ କେନ୍ଦ୍ରର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଛି। ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ଅବଗତି ନିମନ୍ତେ ମଡ଼େଲ ରୁରାଲ ହେଲ୍ଥ ରିସର୍ଚ୍ଚ ୟୁନିଟରେ ମିଳିବାକୁ ଥିବା ସୁବିଧା ସୁଯୋଗ ସମ୍ପର୍କରେ ବିବରଣୀ ପୁସ୍ତିକା ପ୍ରକାଶ କରିବା ନିମନ୍ତେ ସେ ପ୍ରସ୍ତାବ ଦେଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।
ଇଣ୍ଡିଆନ କାଉନସିଲ ଅଫ ମେଡ଼ିକାଲ ରିସର୍ଚ୍ଚ-ରିଜିଓନାଲ ମେଡ଼ିକାଲ ରିସର୍ଚ୍ଚ ସେଣ୍ଟର, ଭୁବନେଶ୍ୱର ପକ୍ଷରୁ ତିଗିରିଆ ଓ ଆଠଗଡ଼ ଠାରେ ହେଲ୍ଥ ଡେମୋଗ୍ରାଫିକ୍ ସର୍ଭେଲାନ୍ସ ସିଷ୍ଟମ ପ୍ରତିଷ୍ଠା ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଉଛି। ଏଥିସହ ଆସିଏମଆର୍-ଆରଏମଆର୍ଏସ, ଭୁବନେଶ୍ୱର ବୈଜ୍ଞାନିକ ପରାମର୍ଶଦାତା କମିଟି ସ୍ଥାନୀୟ ଆବଶ୍ୟକତାକୁ ନେଇ ୧୬ଟି ବିଭିନ୍ନ ପ୍ରକଳ୍ପ ମଞୁରୀ ଦେଇଥିବା ବେଳେ ସମ୍ପ୍ରତି ୫ଟି ପ୍ରକଳ୍ପ କାର୍ୟ୍ୟକାରୀ ହେଉଛି ବୋଲି ମନ୍ତ୍ରୀ କହିଛନ୍ତି।



