ସେନାକୁ ପଥର ଫଙ୍ଗିବା ଦ୍ୱାରା ସ୍ୱାଧୀନତା ମିଳିବ ନାହିଁ: ରାୱତ୍‌

0

ନୂଆଦିଲ୍ଲୀ : ଜିହାଦ ନାମରେ ପଥରପିଙ୍ଗା ଏବଂ ଅସ୍ତ୍ରଶସ୍ତ୍ର ଉପଯୋଗ ପୂର୍ବକ ହିଂସାତ୍ମକ ପଥ ଆପଣାଇଥିବା ଜାମ୍ମୁ କାଶ୍ମୀର ଯୁବପିଢିଙ୍କୁ ସେନା ମୁଖ୍ୟ ବିପିନ ରାୱତ୍‌ କଡ଼ା ଚେତାବନୀ ଦେଇଛନ୍ତି। ଏଭଳି ପନ୍ଥା ଅବଲମ୍ବନ କରି ସ୍ୱାଧୀନତା ହାସଲ କରାଯାଇପାରିବ ନାହଁ। ଏଣୁ ସ୍ୱାଧୀନତାକୁ ଭୁଲିଯାଅ। ଏହା ଆଦୌ ମିଳିବ ନାହିଁ। ତୁମେମାନେ ସେନାର ମୁକାବିଲା କରିପାରିବ ନାହିଁ ବୋଲି ରାୱତ୍‌ ପ୍ରମୁଖ ଇଂଲିଶ ଖବର କାଗଜ ‘ଇଣ୍ଡିଆନ୍‌ ଏକ୍ସପ୍ରେସ୍‌’କୁ ସାକ୍ଷାତକାର ଦେଇ ଜାମ୍ମୁ କାଶ୍ମୀର ଯୁବପିଢିଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ସେ କହିଛନ୍ତି, ଭାରତ ଠାରୁ ପୃଥକ୍‌ ହୋଇ ସ୍ୱାଧୀନତା ଲାଭ କରିବାକୁ ଇଚ୍ଛୁକ ଲୋକଙ୍କ ପାଇଁ ସେନା ଲଢିବ ବୋଲି ଯଦି ଏହି ଯୁବପିଢି ଚିନ୍ତା କରୁଥାଆନ୍ତି; ତା’ହେଲେ ତାହା ସମ୍ପୂର୍ଣ୍ଣ ଭୁଲ। ସେଭଳି ଆଦୌ ଘଟିବ ନାହିଁ। ଅନ୍ୟପଟେ କାଶ୍ମୀରରେ ଆତଙ୍କବାଦୀମାନେ ନିଜ ସଂଗଠନରେ ନୂତନ ସଦସ୍ୟ ସାମିଲ କରିବା ପରଠାରୁ ସେନାଗୁଳିରେ ନିହତ ଆତଙ୍କବାଦୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଯେତେ ଅଧିକ ସଂଖ୍ୟକ ଆତଙ୍କବାଦୀ ପ୍ରାଣ ହରାଇଲେ ମଧ୍ୟ ତାହା ସେନା ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ମାତ୍ର ସେନା କିମ୍ବା ଭାରତ ସରକାର ଏଭଳି ଏନ୍‌କାଉଣ୍ଟର ଚାହୁଁ ନାହାନ୍ତି। କିନ୍ତୁ ସେଭଳି ପରିସ୍ଥିତି ସୃଷ୍ଟି କରାଗଲେ ସେନା ଏନ୍‌କାଉଣ୍ଟର କରିବାକୁ ବାଧ୍ୟ ହେବ।
ଭାରତୀୟ ସେନା ପଡୋଶୀ ରାଷ୍ଟ୍ର ପାକିସ୍ତାନ ଏବଂ ସିରିଆର ସେନା ଭଳି କ୍ରୁର ନୁହେଁ ବୋଲି ଦର୍ଶାଇ ସେ କହିଛନ୍ତି, ଉକ୍ତ ରାଷ୍ଟ୍ରଗୁଡିକରେ ବିକ୍ଷୋଭକାରୀଙ୍କ ଉପରେ ସେନା ବିମାନ ଦ୍ୱାରା ଆକ୍ରମଣ କରୁଛନ୍ତି। ମାତ୍ର ଭାରତୀୟ ସେନା ଅତ୍ୟନ୍ତ ସାବଧାନତାର ସହିତ କୌଣସି ସାଧାରଣ ନାଗରିକଙ୍କୁ କ୍ଷତି ନ ପହଞ୍ଚାଇ ବିକ୍ଷୋଭକାରୀଙ୍କୁ ନିୟନ୍ତ୍ରଣ କରିବାର ସର୍ବୋତ୍ତମ ପ୍ରୟାସ କରୁଛି। ସେ କହିଛନ୍ତି, ଜାମ୍ମୁ କାଶ୍ମୀର ଯୁବପିଢି ଅତ୍ୟନ୍ତ କ୍ରୋଧରେ ଥିବା ବିଷୟରେ ସେନା ଅବଗତ ଅଛି। କିନ୍ତୁ ସେନାବାହିନୀ ଉପରେ ପଥରମାଡ଼ ଦ୍ୱାରା କୌଣସି ସମସ୍ୟାର ସମାଧାନ ହେବ ନାହିଁ। ସେହିଭଳି ଆତଙ୍କବାଦ ନିରୋଧୀ ଅଭିଯାନ ବେଳେ ସ୍ଥାନୀୟ ଲୋକେ ବିରୋଧ ପ୍ରଦର୍ଶନ କରିବା ଉପରେ ରାୱତ୍‌ ପ୍ରଶ୍ନ ଉଠାଇଛନ୍ତି। ଏଭଳି କରିବା ନିମନ୍ତେ ସେମାନଙ୍କୁ କିଏ ଉସ୍‌କାଉଛି କୋଲି ସେ କହିଛନ୍ତି। ଯଦି ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କରା ନ ଯାଉ ବୋଲି ଜାମ୍ମୁ କାଶ୍ମୀରବାସୀ ଚାହୁଁଛନ୍ତି, ତା’ହେଲେ ଆତ୍ମସମର୍ପଣ ଲାଗି ଆତଙ୍କବାଦୀଙ୍କୁ ସେମାନେ ରାଜି କରାଇବା ଉଚିତ। ଏନ୍‌କାଉଣ୍ଟର ସମୟରେ ଯଦି କେହି ବ୍ୟକ୍ତି ଆତ୍ମସମର୍ପଣ ଉଦ୍ଦେଶ୍ୟରେ କୌଣସି ଆତଙ୍କବାଦୀଙ୍କୁ ନେଇ ବାହାରକୁ ଆସନ୍ତି, ତା’ହେଲେ ସେନା ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ବନ୍ଦ କରିଦେବ। କିନ୍ତୁ ଏଭଳି ନ କରି ଲୋକେ ପଥରମାଡ଼ କରିବା ଦ୍ୱାରା କାର୍ଯ୍ୟାନୁଷ୍ଠାନ ବୃଦ୍ଧି ନିମନ୍ତେ ସେନାକୁ ଉସ୍‌କାଉଛନ୍ତି। ୨୦୧୬ ଜୁନ୍‌ ପର୍ଯ୍ୟନ୍ତ ସୁବୁକିଛି ଠିକ୍‌ ଥିଲା। ମାତ୍ର ହିଜ୍‌ବୁଲ୍‌ ଆତଙ୍କବାଦୀ ବୁରହାନ୍‌ ୱାନିଙ୍କ ମୃତ୍ୟୁ ପରେ ପରିସ୍ଥିତିରେ ବ୍ୟାପକ ପରିବର୍ତ୍ତନ ଘଟିଥିଲା। ସମଗ୍ର ଦକ୍ଷିଣ କାଶ୍ମୀରର ଲୋକେ ରାଜରାସ୍ତାକୁ ଓହ୍ଲାଇ ସେନାବାହିନୀ ଏବଂ ଏହାର ଶିବିର ଉପରକୁ ଟେକାପଥର ମାଡ଼ କରିଥିଲେ। ଅକ୍ଟୋବର-ନଭେମ୍ବର ସୁଦ୍ଧା ଏଠାକାର ଲୋକେ ସ୍ୱାଧୀନତା ବେଶୀ ଦୂର ନୁହେଁ ବୋଲି ସ୍ଲୋଗାନ ଦେଉଥିବା ଶୁଣିବାକୁ ମିଳିଥିଲା। ବିକ୍ଷୋଭକାରୀମାନେ କ୍ରମାଗତ ଭାବେ ସେନା ଶିବିର ଉପରେ ପଥର ମାଡ଼ ଜାରି ରଖିଛନ୍ତି। କିନ୍ତୁ ଏହାଦ୍ୱାରା ସ୍ୱାଧୀନତା ସମ୍ଭବ ନୁହେଁ ବୋଲି ସେମାନଙ୍କୁ ବୁଝିବାକୁ ହେବ। ଅନ୍ୟପଟେ ସେନାକୁ ଏହି ରାଜ୍ୟରେ ଶାନ୍ତି ଫେରାଇ ଆଣିବାକୁ ପଡିବ ବୋଲି ରାୱତ୍‌ କହିଛନ୍ତି।
ଉଲ୍ଲେଖ ଯୋଗ୍ୟ ଚଳିତ ସପ୍ତାହରେ ଜଣେ ପର୍ଯ୍ୟଟକ ପଥରଫିଙ୍ଗାଳିଙ୍କ ଟେକା ମାଡ଼ରେ ପ୍ରାଣ ହରାଇଥିଲେ। ଏଥିରେ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ଦୁଃଖ ପ୍ରକାଶ କରିବା ସହିତ ଏହା ଦ୍ୱାରା ମାନବିକତାର ହତ୍ୟା ହୋଇଥିବା ଦର୍ଶାଇଥିଲେ।

Leave A Reply