ପୂର୍ବାଞ୍ଚଳ ଏକ୍ସପ୍ରେସ୍‌ ୱେ ଉଦ୍‌ଘାଟନ ପ୍ରସଙ୍ଗ : ପ୍ରଧାନମନ୍ତ୍ରୀଙ୍କୁ ଅପେକ୍ଷା ନ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ

0

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ଥିବା ବେଳେ ବହୁ ପ୍ରତୀକ୍ଷିତ ‘ପୂର୍ବାଞ୍ଚଳ ଏକ୍ସପ୍ରେସ୍‌ ୱେ’ର ଉଦ୍‌ଘାଟନ ବିଳମ୍ବ ହେଉଥିବା ନେଇ ସୁପ୍ରିମକୋର୍ଟ ଗୁରୁବାର ଉଦ୍‌ବେଗ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଅପେକ୍ଷା ନ କରି ମେ’ ୩୧ ସୁଦ୍ଧା ୬ ଲେନ୍‌ ବିଶିଷ୍ଟ ଏହି ଦ୍ରୁତଗାମୀ ସଡ଼କପଥକୁ ଉଦ୍‌ଘାଟନ କରିବାକୁ ବିଚାରପତି ଏମ୍‌. ବି. ଲୋକୁର ଏବଂ ଦୀପକ୍‌ ଗୁପ୍ତାଙ୍କ ଖଣ୍ଡପୀଠ ଭାରତୀୟ ଜାତୀୟ ରାଜପଥ ପ୍ରାଧିକାରଣ (ଏନ୍‌ଏଚ୍‌ଏଆଇ)କୁ ନିର୍ଦେଶ ଦେଇଛନ୍ତି। ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ମାତ୍ରା କମ୍‌ କରିବା ଉଦ୍ଦେଶ୍ୟରେ ଏହି ଦ୍ରୁତଗାମୀ ସଡ଼କପଥ ନିର୍ମାଣ କରାଯାଇଥିଲା। ଦିଲ୍ଲୀ ବାହାରେ ଥିବା ଏହି ରାଜପଥ ଦେଇ ପ୍ରାୟ ଦୁଇ ଲକ୍ଷ ଯାନ ଯାତାୟାତ କରିବ; ଯାହାଦ୍ୱାରା ରାଜଧାନୀରେ ପ୍ରଦୂଷଣମାତ୍ରା କମିବ। ଏହି ସଡ଼କପଥ ଗତ ଏପ୍ରିଲରେ ଉଦ୍‌ଘାଟନ ହେବାର ଯୋଜନା ଥିଲା। ମାତ୍ର ପ୍ରଧାନମନ୍ତ୍ରୀ କର୍ଣ୍ଣାଟକ ନିର୍ବାଚନରେ ବ୍ୟସ୍ତ ଥିବାରୁ ତାହା ସମ୍ଭବ ହୋଇ ନ ଥିଲା। ଦିଲ୍ଲୀ ପ୍ରଦୂଷଣ ସମ୍ବନ୍ଧୀୟ ଏକ ମାମଲାର ଶୁଣାଣି ବେଳେ ମେଘାଳୟ ହାଇକୋର୍ଟ ବିଧିବଦ୍ଧ ଭାବେ ଉଦ୍‌ଘାଟନ ନ ହୋଇ ଦୀର୍ଘ ୫ ବର୍ଷ କାର୍ଯ୍ୟ କରିଥିବାର ଉଦାହରଣ ଉପସ୍ଥାପନ କରି ସୁପ୍ରିମକୋର୍ଟ ଉପରୋକ୍ତ ନିର୍ଦେଶ ଦେଇଛନ୍ତି।

Leave A Reply