www.samajalive.in
Thursday, December 11, 2025
16.1 C
Bhubaneswar

ବ୍ୟବହାରଯୋଗ୍ୟ ନୁହେଁ ୬୮.୨୫% ନଳକୂପ

ଭୁବନେଶ୍ବର : ଗାଁଗୁଡ଼ିକୁ ସ୍ବଚ୍ଛ, ସୁନ୍ଦର ଏବଂ ଉତ୍ତମ ଭିତ୍ତିଭୂମି ଯୋଗାଇଦେବା ପାଇଁ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। କିନ୍ତୁ ଏହାର ସଫଳ କାର୍ଯ୍ୟାନ୍ୱୟନ ଏବଂ ବିଭାଗୀୟ ତତ୍ପରତାର ଅଭାବ ଯୋଗୁ ଅଧିକାଂଶ ଗ୍ରାମରେ ଜଳ, ପରିମଳ ଏବଂ ଅନ୍ୟାନ୍ୟ ମୌଳିକ ଭିତ୍ତିଭୂମିର ସୁବିଧା ପହଞ୍ଚିପାରୁନି। ସ୍ବେଚ୍ଛାସେବୀ ସଂଗଠନ ଆତ୍ମଶକ୍ତି ଟ୍ରଷ୍ଟ ଓ ଏହାର ସହଯୋଗୀ ସଂଗଠନ ଓଡ଼ିଶା ଶ୍ରମଜୀବୀ ମଞ୍ଚ ଏବଂ ମହିଳା ଶ୍ରମଜୀବୀ ମଞ୍ଚ ପକ୍ଷରୁ ହୋଇଥିବା ସ୍ବଚ୍ଛ ଗ୍ରାମ ସର୍ବେକ୍ଷଣର ତଥ୍ୟରୁ ଏଭଳି ସ୍ଥିତି ସାମ୍ନାକୁ ଆସିଛି।
ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ରାଜ୍ୟର ଗ୍ରାମୀଣ ଅଞ୍ଚଳ ଏବଂ ବିଶେଷ କରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳଗୁଡ଼ିକରେ କେଉଁଠି ନଳକୂପ ନାହିଁ ତ ଆଉ କେଉଁଠି ନଳା (ଡ୍ରେନେଜ୍) ସୁବିଧାର ଅଭାବ ରହିଛି। ସେହିପରି କଂକ୍ରିଟ୍ ରାସ୍ତା, ନିତ୍ୟ ଶୌଚ ଓ ସ୍ନାନାଦି ପାଇଁ ଜଳ ଏବଂ ଶୌଚାଳୟ ବି ନାହିଁ। ଓଡ଼ିଶାର ୧୫ଟି ଆଦିବାସୀ ଅଧ୍ୟୁଷିତ ଜିଲାର ୮୬୬ଟି ପଞ୍ଚାୟତର ୯୬୯୬ଟି ଗାଁକୁ ନେଇ ସର୍ଭେ କରାଯାଇଥିଲା। ସର୍ବେକ୍ଷଣ ହୋଇଥିବା ୩୨,୯୬୦ଟି ନଳକୂପ ଓ ହାତ ପମ୍ପ ମଧ୍ୟରୁ ୬୮.୨୫% (୧୮,୬୬୩) ବ୍ୟବହାର ଯୋଗ୍ୟ ଅବସ୍ଥାରେ ନାହିଁ। ମୋଟ୍ ୩୫.୩୪% (୧୧,୬୪୮) ନଳକୂପରେ ପ୍ଲାଟଫର୍ମ ନ ଥିବାବେଳେ ୫.୩୪% (୧,୧୩୯) ପ୍ଲାଟଫର୍ମ ସମ୍ପୂର୍ଣ୍ଣ ଏବଂ ୨୭.୫୭% (୫,୮୭୬) ଆଂଶିକ ଭାବେ ଭାଙ୍ଗିଯାଇଛି। ଏହାବ୍ୟତୀତ ୮୨.୬୭% (୨୧,୬୬୨) ନଳକୂପରେ ସୋକପିଟ୍ କାର୍ଯ୍ୟକ୍ଷମ ନାହିଁ, ଯାହାଫଳରେ ଆଖପାଖ ମାଟିରେ ବର୍ଜ୍ୟ ଜଳ ପ୍ରବେଶ କରି ଭୂତଳ ଜଳ ଉତ୍ସକୁ ଅଧିକ ପ୍ରଦୂଷିତ କରୁଛି।
ସେହିପରି ୯୬୯୬ଟି ଗାଁ ମଧ୍ୟରୁ ୮୦.୬% (୭,୮୧୬) ଗ୍ରାମରେ ଜଳ ନିଷ୍କାସନ ପାଇଁ ଉପଯୁକ୍ତ ସୁବିଧା ନାହିଁ। ୪୫.୪୭% (୪,୪୦୯) ଗ୍ରାମରେ ଜଳ ନିଷ୍କାସନ ସୁବିଧା ନ ଥିବା ବେଳେ ୩୫.୧୩% (୩,୪୦୭) ଗ୍ରାମରେ ଏହି ସୁବିଧା ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ୩୮.୬୫% (୩,୪୦୨) ଗ୍ରାମରେ ବ୍ୟବହାର ଉପଯୋଗୀ କଂକ୍ରିଟ୍ ରାସ୍ତା ନାହିଁ କିମ୍ବା ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ଅବସ୍ଥାରେ ରହିଛି। ୧୫.୨୭% (୧,୪୮୧) ଗ୍ରାମରେ ଆଦୌ କଂକ୍ରିଟ୍ ରାସ୍ତା ନ ଥିବାବେଳେ ଅନ୍ୟ ୨୩.୩୮% (୧,୯୨୧) ଗ୍ରାମରେ କଂକ୍ରିଟ୍ ରାସ୍ତା ଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି ଏବଂ ୪୩.୩୪% ଗ୍ରାମରେ ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ୩୦.୧୭% (୨,୮୯,୧୧୬) ପରିବାରରେ ଶୌଚାଳୟର ଅଭାବ ରହିଛି। ଅନ୍ୟ ୨୪ ପ୍ରତିଶତ ଶୌଚାଳୟରେ ପର୍ଯ୍ୟାପ୍ତ ପାଣିର ସୁବିଧା ନାହିଁ କିମ୍ବା ଯାହା ବ୍ୟବହାର କରିବା ଅବସ୍ଥାରେ ନାହିଁ। ଏହି ସର୍ବେକ୍ଷଣକୁ ନେଇ ପଞ୍ଚାୟତ ଏବଂ ବ୍ଲକ୍ ଅଧିକାରୀଙ୍କୁ ଏକ ତଥ୍ୟ ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। ବର୍ଷା ପୂର୍ବରୁ ଗ୍ରାମାଞ୍ଚଳରେ ଆବଶ୍ୟକୀୟ ଜଳ, ପରିମଳ ଏବଂ ଏକ ସ୍ବଚ୍ଛ ଗ୍ରାମର ପରିକଳ୍ପନା ସାକାର କରିବାକୁ ଓଡ଼ିଶା ଶ୍ରମଜୀବୀ ମଞ୍ଚର ରାଜ୍ୟ ଆବାହକ ଅଞ୍ଜନ ପ୍ରଧାନ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।

Hot this week

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories