ପୁଣେ : ୱେଷ୍ଟଇଣ୍ଡିଜ୍ ଦଳ ପ୍ରଥମ ଓ ୨ୟ ଦିନିକିଆରେ ମଧ୍ୟ ୩ ଶହରୁ ଅଧିକ ରନ୍ କରି ଭାରତ ପାଇଁ ପ୍ରତିଦ୍ବନ୍ଦିତାର ମାହୋଲ ସୃଷ୍ଟି କରିଛି। ବିଶାଖାପାଟଣାରେ ଏକ ଧିମା ପିଚରେ ଭାରତ ୩୨୧ ରନ୍ କରିବା ପରେ ୱେଷ୍ଟଇଣ୍ଡିଜ୍ ସହଜ ବିଜୟ ହାସଲ ସ୍ଥିତିରେ ଥିଲା। ତେବେ ଅଳ୍ପକେ ଏହା ହାତରୁ ବିଜୟ ଖସି ଯାଇଥିଲା। ମ୍ୟାଚ୍ ଟାଇ ଭାବେ ଶେଷ ହୋଇଥିଲା। ବିଜୟ ହାତମୁଠାରେ ଥିବା ସତ୍ତ୍ବେ ଏହା ଖସି ଯାଇଥିବାରୁ ୱେଷ୍ଟଇଣ୍ଡିଜ୍ ନିରାଶ ହୋଇଛି ନିଶ୍ଚୟ; ଭାରତକୁ ପରାସ୍ତ କରିବାରେ ସମର୍ଥ ବୋଲି ଏହାର ବିଶ୍ୱାସ ଜନ୍ମିଛି। ତେଣୁ ଶନିବାର ହେବାକୁ ଥିବା ୩ୟ ଦିନିକିଆ ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ନୂତନ ଉନ୍ମାଦନାରେ ପଡ଼ିଆକୁ ଓହ୍ଲାଇବ। ଅନ୍ୟପକ୍ଷରେ କ୍ରମାଗତ ୨ୟ ମ୍ୟାରରେ ଭାରତର ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରି ୩ ଶହରୁ ଅଧିକ ରନ୍ ସ୍କୋର୍ କରିଥିଲେ ହେଁ ବୋଲର ଦଳକୁ ନିରାଶ କରିଛନ୍ତି । ଏହାକୁ ଦେଖି ଜାତୀୟ ମନୋନୟନକାରୀ ଦୁଇ ପ୍ରମୁଖ ପେସ୍ ବୋଲର ଭୁବନେଶ୍ୱର କୁମାର ଓ ଯଶ୍ରପୀତ ବୁମ୍ରାଙ୍କୁ ଦଳକୁ ଫେରାଇ ଆଣିଛନ୍ତି। ଅବଶ୍ୟ ଭୁବନେଶ୍ୱର ଓ ବୁମ୍ରାଙ୍କ ବିପକ୍ଷରେ ଆକ୍ରମଣାତ୍ମକ ବ୍ୟାଟିଂ କରିବା ଇଣ୍ଡିଜ୍ ବ୍ୟାଟ୍ସମ୍ୟାନ୍ଙ୍କ ପାଇଁ ସହଜ ହେବନାହିଁ। ତଥାପି ଏହି ମ୍ୟାଚ୍ରେ ଜିତି ୨-୦ରେ ଆଗୁଆହେବା ଲାଗି ଭାରତ ହିଁ ଫେଭରିଟ୍।
ୱେଷ୍ଟଇଣ୍ଡିଜ୍ ପାଇଁ ଅଦ୍ୟାବଧି ଏହି ୨ଟି ମ୍ୟାଚରେ ବ୍ୟାଟିଂ ହିରୋ ସାଜିଛନ୍ତି ଯୁବ ବାମହାତି ସିମ୍ରନ୍ ହେତ୍ମାୟର। ଏହି ୨ଟି ମ୍ୟାଚ୍ରୁ ହେତ୍ମାୟର ୨ ଶହରୁ ଅଧିକ ରନ୍ କରି ସାରିଲେଣି; ତାହା ପୁଣି ୧୪୦ ଷ୍ଟ୍ରାଇକ ରେଟରେ। ଏହି ୨ଟି ମ୍ୟାଚରେ ସେ ୧୪ଟି ଛକା ମାରି ସାରିଲେଣି। ତାଙ୍କ ବ୍ୟାଟିଂ ଯୋଗୁଁ ୱେଷ୍ଟଇଣ୍ଡିଜ୍ କ୍ରିସ୍ ଗେଲ୍ ଓ ଏଭିନ୍ ଲୁଇସ୍ଙ୍କ ଅନୁପସ୍ଥିତି ଅନୁଭବ କରିନାହିଁ । ପୁଣି ସାଇ ହୋପ୍ ୨ୟ ଦିନିକିଆରେ ଅପରାଜିତ ଶତକ ମାରି ମ୍ୟାଚ୍କୁ ଟାଇ କରି ପାରିଥିଲେ। ଉଭୟ ମ୍ୟାଚ୍ରେ ସେ ଭଲ ବ୍ୟାଟିଂ କରିଛନ୍ତି। ପୁଣି ଦୁଇ ଓପ୍ନର କୈରନ୍ ପୱେଲ ଓ ହେମରାଜ ଚନ୍ଦ୍ରପଲ୍ ଭଲ ବ୍ୟାଟିଂ କରୁଥିଲେ ହେଁ ବଡ଼ ସ୍କୋର୍ କରିନାହାନ୍ତି। ତେବେ ଦଳକୁ ଚିନ୍ତାରେ ପକାଇଛି ଅଭିଜ୍ଞ ମାର୍ଲନ୍ ସାମୁଏଲ୍ସଙ୍କ ଫର୍ମ। ଭାରତ ବିପକ୍ଷରେ ସାମୁଏଲ୍ସଙ୍କ ରେକର୍ଡ ବହୁତ ଭଲ। ଯାହା ଆଶା କରାଯାଉଛି ୱେଷ୍ଟଇଣ୍ଡିଜ୍ ଅପରିବର୍ତ୍ତିତ ଏକାଦଶ ନେଇ ଓହ୍ଲାଇପାରେ । ତେବେ ବାମହାତି ପେସ୍ ବୋଲର ଓବେଦ୍ ମ୍ୟାକ୍କୟଙ୍କ ସ୍ଥାନରେ ଫାଷ୍ଟବୋଲର ଓସାନେ ଥମାସ୍ ଖେଳିପାରନ୍ତି। ଭାରତ ପାଇଁ ଭୁବନେଶ୍ୱର ଓ ବୁମ୍ରା ଏହି ମ୍ୟାଚ୍ ଖେଳିବା ନିଶ୍ଚିତ ହୋଇଥିବା ବେଳେ ଉମେଶ ଯାଦବଙ୍କୁ ବାହାରେ ବସିବାକୁ ପଡ଼ିବ। ଗତ ୨ଟି ମ୍ୟାଚ୍ରେ ଉମେଶ ୧୪୨ ରନ୍ ବ୍ୟୟ କରିଛନ୍ତି। ୩ ସ୍ପିନର ନେଇ ପୁଣି ଭାରତ ଓହ୍ଲାଇବ।
ଏହି ଗସ୍ତରେ ୱେଷ୍ଟଇଣ୍ଡିଜ୍ ପାଇଁ ଦୁଃସ୍ୱପ୍ନ ପାଲଟିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ଟେଷ୍ଟ ସିରିଜ୍ରେ ଶତକ ମାରିଥିବା କୋହଲି ୨ଟିଯାକ ଦିନିକିଆରେ ଶତକ ମାରିଛନ୍ତି। ୨ୟ ଦିନିକିଆରେ ଅପରାଜିତ ୧୫୭ ରନ୍ କରିବା ସହ ଦିନିକିଆରେ ୧୦ ହଜାର ରନ୍ ପୂରଣ କରିଛନ୍ତି କୋହଲି। ଶତକ ମାରିବାକୁ ଅଭ୍ୟାସରେ ପରିଣତ କରିଥିବା କୋହଲିଙ୍କୁ ରୋକିବା ଏବେ ଇଣ୍ଡିଜ୍ ପାଇଁ ଚିନ୍ତାର କାରଣ ପାଲଟିଛି। କ୍ରମାଗତ ୩ୟ ଶତକମାରି ଆଉ ଏକ କୀର୍ତ୍ତିମାନ ସ୍ଥାପନ କରିବା ଲକ୍ଷ୍ୟରେ କୋହଲି ଥିବା ବେଳେ ଭାରତ ୨-୦ ଲକ୍ଷ୍ୟରେ ରହିଛି। ପୁଣେରେ ରନ୍ର ପିଛାକରିବା ସହଜ ହୋଇପାରେ; ତେଣୁ ଉଭୟ ଦଳ ଟସ୍ ଜିତି ଫିଲ୍ଡିଂ ନେଇପାରନ୍ତି। ଦିନିକିଆ କ୍ରିକେଟ୍ରେ ୫ ହଜାର ରନ୍ ପୂରଣ କରିବା ପାଇଁ ଶିଖର ଧାୱନ ଆଉ ୧୪୪ ରନ୍ ଆବଶ୍ୟକ କରୁଛନ୍ତି । ଦିନିକିଆ କ୍ରିକେଟ୍ରେ ସଚିନ ତେନ୍ଦୁଲକର ଓ ବୀରେନ୍ଦ୍ର ସେହ୍ୱାଗଙ୍କ ଓପ୍ନିଂ ଭାଗିଦାରୀ ରେକର୍ଡ ସ୍କୋର୍କୁ ଅତିକ୍ରମ କରିବା ଲାଗି ରୋହିତ ଶର୍ମା ଓ ଶିଖର ଧାୱନ ଯୋଡ଼ି ଆଉ ୧୪ ରନ୍ ଆବଶ୍ୟକ କରୁଛନ୍ତି।



