ଆଜି ଦାୟିତ୍ବ ନେବେ ୩ ପ୍ରଶାସନିକ ମୁଖ୍ୟ
୫-ଟି ଢାଞ୍ଚାରେ ଚାଲିବ ସରକାର !
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପଞ୍ଚମ ପାଳି ସରକାରର ୮୦ଦିନ ପରେ ଆସନ୍ତାକାଲି ପ୍ରଶାସନିକ ସ୍ତରରେ ଏକ ନୂତନ ଧାରା ଆରମ୍ଭ ହେବାକୁ ଯାଉଛି। ରାଜ୍ୟର ମୁଖ୍ୟଶାସନ ସଚିବଙ୍କ ସମେତ ୩ଜଣ ମୁଖ୍ୟ ପ୍ରଶାସନିକ ଅଧିକାରୀ ନୂଆ ଦାୟିତ୍ବ ଗ୍ରହଣ କରିବେ। ସରକାରଙ୍କ ନିର୍ଦେଶନାମା ଅନୁଯାୟୀ ମୁଖ୍ୟଶାସନ ସଚିବ ଭାବେ ୧୯୮୬ ବ୍ୟାଚର ବରିଷ୍ଠ ଆଇଏଏସ ଅସିତ କୁମାର ତ୍ରିପାଠୀ ଦାୟିତ୍ବ ଗ୍ରହଣ କରିବେ। ସେହିପରି ଉନ୍ନୟନ କମିଶନର ଭାବେ ୧୯୮୬ ବ୍ୟାଚର ବରିଷ୍ଠ ଆଇଏଏସ ଅଧିକାରୀ ସୁରେଶ ଚନ୍ଦ୍ର ମହାପାତ୍ର ଦାୟିତ୍ବ ଗ୍ରହଣ କରିବାକୁ ରହିଥିବା ବେଳେ କୃଷି ଉତ୍ପାଦନ କମିଶନର ଭାବେ ୧୯୮୮ ବ୍ୟାଚର ବରିଷ୍ଠ ଆଇଏଏସ ଅଧିକାରୀ ପ୍ରଦୀପ୍ତ କୁମାର ମହାପାତ୍ର ଦାୟିତ୍ବ ନେବେ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି ସରକାର ପାଇଁ ନୂଆ ଆହ୍ବାନ ରହିଛି। ଏହାକୁ ଦୃଷ୍ଟିରେ ରଖି ୫-ଟି ମନ୍ତ୍ରକୁ ନେଇ ପ୍ରଶାସନିକ କାର୍ଯ୍ୟଧାରା ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂତନ ସରକାରର ପ୍ରଥମ ଦିନରୁ ନିର୍ଦେଶ ଦେଇଛନ୍ତି। ଏହି ନିର୍ଦେଶନାମାକୁ ନେଇ ସରକାରଙ୍କ ସମସ୍ତ ଯୋଜନା କିଭଳି ତୃଣମୂଳସ୍ତରରେ ଥିବା ଲୋକଙ୍କ ନିକଟରେ ପ୍ରତିଫଳିତ ହେବ ତାକୁ ସରକାର ଗୁରୁତ୍ବ ଦେଉଛନ୍ତି। ପ୍ରଶାସନକୁ ଅଧିକ କ୍ରିୟାଶୀଳ କରିବାପାଇଁ ସ୍ବାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ଆଉ ଏକ ଘୋଷଣା କରି ସାଧାରଣ ଲୋକଙ୍କ ଆସ୍ଥାଭାଜନ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଏଣିକି ସାଧାରଣ ଲୋକଙ୍କ ସହିତ ନିଜେ କଥା ହେବେ। ଏହାକୁ ନେଇ ସବୁ ମନ୍ତ୍ରୀ, ବିଧାୟକ ଓ ପ୍ରଶାସନିକ ମୁଖିଆଙ୍କ ମଧ୍ୟରେ ଚିନ୍ତା ବଢ଼ି ଯାଇଛି। ଯେକୌଣସି ସମସ୍ୟା ଉପୁଜିଲେ ଲୋକେ ଏଣିକି ସ୍ଥାନୀୟ ଜନ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ଦୁଆର ପର୍ଯ୍ୟନ୍ତ ପହଞ୍ଚିବେ। ଯୋଜନା କାର୍ଯ୍ୟାନ୍ବୟନ ବେଳେ ସ୍ବଚ୍ଛତା, ଗୋଷ୍ଠୀଗତ କାର୍ଯ୍ୟ, ବୈଷୟିକ ଜ୍ଞାନ କୌଶଳ, ନିର୍ଦିଷ୍ଟ ସମୟ ମଧ୍ୟରେ କାର୍ଯ୍ୟ ରୂପାନ୍ତରୀକରଣକୁ ମଧ୍ୟ ଗୁରୁତ୍ବ ଦିଆଯିବ। ସରକାରଙ୍କ ଏତେସବୁ ମାର୍ଗଦର୍ଶିକା ଭିତରେ କିଭଳି ମାପିଚୁପି କାର୍ଯ୍ୟ କରାଯିବ ତାକୁ ନେଇ ମନ୍ତ୍ରୀଙ୍କ ମଧ୍ୟରେ ଛନକା ପଶିଛି। ଏସମ୍ପର୍କରେ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ସରକାରୀ କାର୍ଯ୍ୟରେ ସ୍ବଚ୍ଛତା,ସାଧୁତା ଏବଂ ଉତ୍ତରଦାୟିତ୍ବତା ଆଣିବାପାଇଁ ମୁଖ୍ୟମନ୍ତ୍ରୀ ନିୟମାବଳୀ ପ୍ରସ୍ତୁତ କରିଛନ୍ତି। ଏହାକୁ ଆଧାର କରି ସାଧାରଣ ଲୋକଙ୍କ ସମସ୍ୟାକୁ ପ୍ରାଥମିକତା ଦିଆଯିବ। ବୁଥସ୍ତରରୁ ଆରମ୍ଭ କରି ରାଜ୍ୟସ୍ତର ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସରକାରଙ୍କ ପ୍ରତିନିଧି ରହିଛନ୍ତି। ସାଧାରଣ ଲୋକେ ଅଭିଯୋଗ ପ୍ରକୋଷ୍ଠକୁ ଆସିଲେ ତାକୁ ସମାଧାନ କରିବାପାଇଁ ଗୁରୁତ୍ବ ଦିଆଯିବ ବୋଲି ସେ କହିଛନ୍ତି। ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ କହିଛନ୍ତି ଯେ ନବୀନ ସରକାରଙ୍କ ପ୍ରତି ଲୋକଙ୍କ ଅତୁଟ ବିଶ୍ବାସ ରହିଛି। ଏହାକୁ ଅଧିକ ମଝବୁତ୍ କରିବାପାଇଁ ମୁଖ୍ୟମନ୍ତ୍ରୀ ଏହି ୫-ଟି ନୀତି ଧାର୍ଯ୍ୟ କରିଛନ୍ତି। ପ୍ରତିଟି ମୁହୂର୍ତ୍ତରେ ଏବେ ଲୋକଙ୍କ ସମସ୍ୟାକୁ ଗୁରୁତ୍ବ ଦିଆଯିବ। ତେବେ ନୂଆ ସରକାର ଓ ନୂଆ ପ୍ରଶାସନିକ ଅଧିକାରୀ ଆଗାମୀ ଦିନରେ କିଭଳି ୫-ଟିକୁ ନେଇ ତାଙ୍କର କାର୍ଯ୍ୟଧାରା ଜାରି ରଖୁଛନ୍ତି ତାହା ଏବେ ଦେଖିବାର ବେଳ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।
Comments are closed.