ସମାଜ ଡିଜିଟାଲ ଡେସ୍କ: ଜାତୀୟ ସ୍ତରରେ ନୂଆ ଅଧ୍ୟାୟ ସୃଷ୍ଟି କରିଛି ଓଲିଉଡ। ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବରେ ବାଜି ମାରିଛି ଏକାଧିକ ଓଡ଼ିଆ ଫିଲ୍ମ। ଓଡ଼ିଆ ଚଳଚ୍ଚିତ୍ର ‘ପୁଷ୍କରା’ ସମେତ ‘ଦ ସି ଆଣ୍ଡ ସେଭେନ ଭିଲେଜେସ’ ଓ ‘ମୋ ବୋଉ, ମୋ ଗାଁ’କୁ ଜାତୀୟ ପୁରସ୍କାର ମିଳିଛି। ଏହାବ୍ୟତୀତ ଓଡ଼ିଆ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଜେତାମାନଙ୍କୁ ପୁରସ୍କୃତ କରିଥିଲେ।

ଉତ୍ସବରେ ‘ପୁଷ୍କରାକୁ ଶ୍ରେଷ୍ଠ ଫିଚର ଫିଲ୍ମ ଭାବେ ପୁରସ୍କୃତ କରାଯାଇଥିବାବେଳେ ‘ଦ ସି ଆଣ୍ଡ ସେଭେନ ଭିଲେଜେସ’କୁ ନନ୍ ଫିଚର ଫିଲ୍ମ ଏବଂ ‘ମୋ ବୋଉ, ମୋ ଗାଁ’କୁ (ନନ୍ ଫିଚର ଫିଲ୍ମ, ଶ୍ରେଷ୍ଠ ବାୟୋଗ୍ରାଫିକାଲ/ହିଷ୍ଟୋରିକାଲ ରିକନଷ୍ଟ୍ରକ୍ସନ/କମ୍ପ୍ଲିକେସନ ଫିଲ୍ମ) ବି ପୁରସ୍କୃତ କରାଯାଇଛି। ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ବିଚାରକ ସଦସ୍ୟା ଭାବେ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି। ସେ ଏହି ପୁରସ୍କାର ପାଇବାରେ ରାଜ୍ୟର ପ୍ରଥମ ମହିଳା ଅଭିନେତ୍ରୀ।

ପୁଷ୍କରା ଚଳଚ୍ଚିତ୍ର ପାଇଁ ଏହାର ନିର୍ମାତା ଲିତିସା ମଙ୍ଗତ ଏବଂ ନିର୍ଦେଶକ ଶୁଭ୍ରାଂଶୁ ଦାସ ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ। ୨୦୨୩ ସେପ୍ଟେମ୍ବର ୧୯ରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା। ଶଙ୍କର ତ୍ରିପାଠୀଙ୍କ ରଚିତ ଉପନ୍ୟାସ ‘ନାଦ ବିନ୍ଦୁ’ରୁ ଏହି ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ଶଙ୍କର ତ୍ରିପାଠୀ ଚଳଚ୍ଚିତ୍ରର କାହାଣୀ ଓ ସଂଳାପ ଲେଖିଥିବାବେଳେ ନିର୍ଦେଶନା ଦେଇଛନ୍ତି ଶୁଭ୍ରାଂଶୁ ଦାସ।

ସେହିପରି ‘ଦ ସି ଆଣ୍ଡ ସେଭେନ ଭିଲେଜେସ’ ପାଇଁ ଜାତୀୟ ପୁରସ୍କାର ଗ୍ରହଣ କରିଥିଲେ ଚଳଚ୍ଚିତ୍ରର ନିର୍ମାତା ତଥା କାଦମ୍ବିନୀ ପତ୍ରିକାର ସମ୍ପାଦିକା ଡ. ଇତିରାଣୀ ସାମନ୍ତ। ଏହି ଚଳଚ୍ଚିତ୍ରର ନିର୍ଦେଶକ ହିମାଂଶୁ ଖଟୁଆଙ୍କୁ ମଧ୍ୟ ଜାତୀୟ ପୁରସ୍କାରରେ ସମ୍ମାନିତ କରାଯାଇଛି। ଚଳଚ୍ଚିତ୍ରର ସଫଳତା ପାଇଁ ହିମାଂଶୁ ସାତଭାୟାବାସୀଙ୍କୁ ଶ୍ରେୟ ଦେଇଛନ୍ତି।
#Watch | Dr. Itirani Samanta receives the Special Mention Award for the Odia film The Sea and the Seven Villages, produced by Kadambini Media Pvt. Ltd.
The film is recognised for its powerful depiction of climate displacement and the struggles of Odisha’s coastal communities… pic.twitter.com/a5e8aDeXd3
— DD News (@DDNewslive) September 23, 2025



