କଟକ: କରୋନାରେ ସଂକ୍ରମଣ ହୋଇଥିବା ସନ୍ଦେହରେ ମଙ୍ଗଳବାର ୩ଜଣ ସନ୍ଦିଗ୍ଧଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୩ଜଣଙ୍କୁ ଆଇସୋଲେସନ ୱାର୍ଡରେ ରଖାଯାଇଛି। ସେମାନଙ୍କ ରକ୍ତନମୁନା ଓ ସ୍ୱାବ ରିପୋର୍ଟ ନେଗେଟିଭ ଥିବା ଜଣାପଡିଛି। ଏ ପର୍ୟ୍ୟନ୍ତ ଏସସିବିରେ ମୋଟ ୧୫ଜଣଙ୍କୁ କରୋନା ଆକ୍ରାନ୍ତ ସନ୍ଦେହରେ ଏସସିବିରେ ଭର୍ତ୍ତି କରାଗଲାଣି। ସେମାନଙ୍କ ମଧ୍ୟରୁ ୧୪ଜଣଙ୍କ ସ୍ୱାବ ଓ ରକ୍ତନମୁନା ନେଗେଟିଭ ରହିଛି। ଜଣଙ୍କର ରିପୋର୍ଟ ଆସିନାହିଁ। ଆସନ୍ତାକାଲି ତାଙ୍କର ରିପୋର୍ଟ ଆସିବ ବୋଲି ଡାକ୍ତରଖାନା ସୂତ୍ରରୁ ଜଣାପଡିଛି।
ଏସସିବିରେ କରୋନା ସନ୍ଦିଗ୍ଧ ଏବଂ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଚକ୍ଷୁ ବିଭାଗର ୪ର୍ଥ ମହଲାରେ ୫୪ଶଯ୍ୟା ସହିତ ୮ଟି ଆଇସିୟୁ ଶଯ୍ୟା ରହିଛି। କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଏସସିବିରେ ସମସ୍ତ ପ୍ରକାର ସୁବିଧା ରହିଛି। ତେବେ କରୋନା ବ୍ୟାପିବାର ଆଶଙ୍କାକୁ ଦୃଷ୍ଟିରେ ରଖି ଏସସିବିରେ ପର୍ୟ୍ୟାପ୍ତ ଆଇସୋଲେସନ ଶଯ୍ୟା ରଖିବା ପାଇଁ କର୍ତ୍ତୃପକ୍ଷ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ଯକ୍ଷ୍ମା ଓ ଛାତିରୋଗ ବିଭାଗରେ ସେଣ୍ଟର ଅଫ ଏକ୍ସଲେନ୍ସ ପାଇଁ ନିର୍ମିତ ୬ମହଲା ଅଟ୍ଟାଳିକାକୁ ଆଇସୋଲେସନ ୱାର୍ଡ କରାଯିବ ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।



