ସମ୍ବଲପୁର : ବରଗଡ ଜିଲା ଅମ୍ବାଭନା ଥାନାରେ ସମ୍ବଲପୁର ଜିଲା ଶାସନ ଥାନା ଅର୍ନ୍ତଗତ କିଲାସମା ନିବାସୀ ତଥା ସମ୍ବଲପୁର ସ୍ଥିତ ମେଘନା ବିଡି କମ୍ପାନୀରେ କାର୍ଯ୍ୟରତ ଜଗବନ୍ଧୁ ବଢ଼େଇ ନାମକ ଜଣେ ବ୍ୟକ୍ତିଙ୍କର ୩ ଲକ୍ଷ ଟଙ୍କା ଲୁଟ ହୋଇଥିବା ନେଇ ଗତ ୧୦ ତାରିଖରେ ଅଭିଯୋଗ ହୋଇଥିଲା । ଏହି ମାମଲାରେ ପୁଲିସ ଅମ୍ବାଭନା ଥାନାରେ ମାମଲା ରୁଜୁ କରି ତଦନ୍ତ କରୁଥିଲା। ପ୍ରାପ୍ତ ସୂଚାନୁଯାୟୀ, ଗତ ୧୦ ତାରିଖରେ କମ୍ପାନୀର ଭ୍ୟାନରେ ଜଗବନ୍ଧୁ ବଢ଼େଇ ଓ ଅନ୍ୟ ଜଣେ ସାଥି ବରଗଡରୁ ଭୂକ୍ତା ଆଡକୁ ଯାଉଥିବା ବେଳେ ଦିନ ପ୍ରାୟ ୪ଟା ସମୟରେ ଅମ୍ବାଭନା ଅଗ୍ନିଶମ କାର୍ଯ୍ୟାଳୟ ନିକଟରେ ରାସ୍ତାରେ ପରିଶ୍ରା କରିବା ପାଇଁ ଅଟକିଥିଲେ। ସେହି ସମୟରେ ୩ ଜଣ ଯୁବକ ଅଚାନକ ଆସି ସେମାନଙ୍କୁ ଆକ୍ରମଣ କରି ଗାଡିରେ ରଖାଯାଇଥିବା ୩ ଲକ୍ଷ ଟଙ୍କା ଲୁଟି ନେଇ ଯାଇଥିଲେ । ଅଭିଯୋଗ ହେବା ପରେ ପୁଲିସ ୨ଟି ଦଳ ଗଠନ କରି ତଦନ୍ତ କରୁଥିବା ସମୟରେ ଅଭିଯୋଗକାରୀ ହିଁ ଏହି ଘଟଣାର ପ୍ରକୃତ ମୁଖ୍ୟ କାର୍ପଟଦାର ବୋଲି ଜାଣିବାକୁ ପାଇଥିଲା। ଏଣୁ ପୁଲିସ ଅଭିଯୁକ୍ତଙ୍କୁ ଜେରା କରିବାରୁ ସେ ସମସ୍ତ ଘଟଣା ବିଷୟରେ ପୁଲିସ ସମ୍ମୁଖରେ ବୟାନ କରିବା ସହିତ ସାଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ।
ଏଣୁ ପୁଲିସ ସମ୍ବଲପୁର ଜିଲାର ଶାସନ ଥାନା ଅର୍ନ୍ତଗତ କିଲାସମା ନିବାସୀ ଜଗବନ୍ଧୁ ବଢ଼େଇଙ୍କୁ ଗିରଫ କରିଥିଲା । ଏହା ପରେ ସମ୍ବଲପୁର ଜିଲାକୁ ଆସି ଯୁଯୁମୁରା ଥାନା ଅର୍ନ୍ତଗତ ଝାଙ୍କରପାଲି ନିବାସୀ ସୁଶାନ୍ତ ଖର୍ସେଲ (୨୫), ଜିତେନ୍ଦ୍ର ବଗର୍ତ୍ତି ଓରଫ ଗୁଲସନ (୨୨) ଙ୍କୁ ବରଗଡ ପୁଲିସ ଉଠାଇ ନେଇଥିଲା। ଏହି ମାମଲାରେ ଅନ୍ୟ ଜଣେ ଅଭିଯୁକ୍ତ ନାବାଳକ ବୋଲି ତଦନ୍ତ ସମୟରେ ଜଣାପଡିଥିଲା ଏବଂ ତାକୁ ମଧ୍ୟ ପୁଲିସ ହେପାଜତକୁ ନେଇଛି। ପୁଲିସ ଅଭିଯୁକ୍ତଙ୍କ ନିକଟରୁ ୧ ଲକ୍ଷ ୨୨ ହଜାର ଟଙ୍କା ଜବତ କରିଛି ଏବଂ ସମସ୍ତ ଅଭିଯୁକ୍ତ ମାନେ ମେଘନା ବିଡି କମ୍ପାନୀରେ କାର୍ଯ୍ୟରତ ବୋଲି ପୁଲିସ ତଦନ୍ତରୁ ଜଣାପଡିଛି। ତେବେ ସମ୍ବଲପୁର ଜିଲାରୁ ଯାଇ ବରଗଡ ଜିଲାରେ ଅଭିଯୁକ୍ତ ମାନେ ଅପରାଧିକ ଗତିବିଧି ଭିଆଇବାରୁ ଆଇନ ବ୍ୟବସ୍ଥାର ଗତି ଜିଲାରେ କିଭଳି ଅଛି, ତାହା ସ୍ପଷ୍ଟ ଅନୁମେୟ।



