ଜଳ ଆବଣ୍ଟନ, ନାଗରିକ ବିଲ ଏବଂ ଦଳ ବିରୋଧୀ ପ୍ରସଙ୍ଗ ପ୍ରଭାବିତ କରିପାରେ ୨ୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ

ନୂଆଦିଲ୍ଲୀ: ଦ୍ଵିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଗୁରୁବାର ଭୋଟ ଗ୍ରହଣ କରାଯିବ। ଏହି ପର୍ଯ୍ୟାୟରେ ଦେଶର ଅନେକ ତୁଙ୍ଗ ନେତା ନିର୍ବାଚନ ରଣାଙ୍ଗନରେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଥିବା ବେଳେ ଜଳ ଆବଣ୍ଟନ ସମସ୍ୟା, ନାଗରିକ ବିଲ ଏବଂ ଦଳ ବିରୋଧୀ ସମସ୍ୟା ହୁଏତ ଭୋଟରମାନଙ୍କୁ ଶେଷ ମୁହୂର୍ତ୍ତରେ ପରିବର୍ତ୍ତନ ପାଇଁ ସଂକେତ ପ୍ରଦାନ କରିପାରେ। ଦୁର୍ଭିକ୍ଷ ପ୍ରପୀଡ଼ିତ ମରାଠୱାଡରେ ଜଳ ସମସ୍ୟା, ଆସାମରେ ନାଗରିକ ବିଲର ଭବିଷ୍ୟତ, ଏଆଇଏଡିଏମକେ ଏବଂ ଡ଼ିଏମକେର ରାଜନୈତିକ ଭବିଷ୍ୟତ, ପଶ୍ଚିମବଙ୍ଗରେ ବାମଦଳର ପ୍ରଭାବ ଏବଂ ଓଡ଼ିଶାରେ ନବୀନ ପଟନାୟକଙ୍କ ୧୯ବର୍ଷ ଶାସନ ଭଳି ଅନେକ ପ୍ରସଙ୍ଗ ଚଳିତ ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟକୁ ସରଗରମ କରିଥିବା ବେଳେ ପୁଣି ପ୍ରତିଶ୍ରୁତିର ପାହାଡ଼ ଭୋଟରମାନଙ୍କୁ କେତେ ଆକର୍ଷିତ କରିବ ତାହା ନିର୍ବାଚନ ଫଳାଫଳ ହିଁ କହିବ କିନ୍ତୁ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନର ପ୍ରତିଦ୍ବନ୍ଦୀ ଭାବେ ଉଭା ହେଇଥିବା ନେସନାଲ କନ୍ଫରେନ୍ସ ଅଧ୍ୟକ୍ଷ ଫାଋଖ ଅବଦୁଲ୍ଲାହ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ. ଡି. ଦେବେଗୌଡା, ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ, ଡ଼ିଏମକେ ନେତା ଏମ. କେ. ଷ୍ଟାଲିନ, ତାମିଲନାଡୁ ଉପ-ମୁଖ୍ୟମନ୍ତ୍ରୀ ଓ. ପନିରସେଲଭମ, ଉତ୍ତରପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ରାଜ ବବରଙ୍କ ଭଳି ହେଭି ୱେଟ ନେତାଙ୍କ ରାଜନୈତିକ ଭବିଷ୍ୟତ ସ୍ଥିର କରିବା ଏତେଟା ସହଜ ନ ହୋଇପାରେ।

ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନରେ ୧୧ଟି ରାଜ୍ୟ ଆସାମ, ବିହାର, ଜାମ୍ମୁ କାଶ୍ମୀର, କର୍ଣ୍ଣାଟକ, ମହାରାଷ୍ଟ୍ର, ମଣିପୁର, ଓଡିଶା, ତାମିଲନାଡୁ, ଉତ୍ତରପ୍ରଦେଶ, ଛତିଶଗଡ ଏବଂ ପୁଡ଼ୁଚେରିର ୯୫ଟି ଲୋକସଭା ଆସନରେ ମତଦାନ ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ତେବେ ପୂର୍ବ ନିର୍ଦ୍ଧାରିତ ତାମିଲନାଡୁର ଭେଲୋର ଆସନରେ ପ୍ରଚୁର ଅର୍ଥ କାରବାର ଯୋଗୁ ନିର୍ବାଚନ ବାତିଲ ହୋଇଥିବା ବେଳେ ତ୍ରିପୁରା (ପୂର୍ବ) ଆସନ ନିର୍ବାଚନକୁ ଆଇନ ଶୃଙ୍ଖଳା ଦୃଷ୍ଟିରୁ ତୃତୀୟ ପର୍ଯ୍ୟାୟକୁ ଘୁଞ୍ଚାଇ ଦିଆଯାଇଛି।

Comments are closed.