ଦାଉଦ୍ ସମ୍ପର୍କରେ ସୂଚନା ପାଇଁ ୨୫ ଲକ୍ଷ ଟଙ୍କା ପୁରସ୍କାର
ମୁମ୍ବଇ : ଫେରାର ଅଣ୍ଡରୱାଲର୍ଡ ଡନ୍ ଦାଉଦ୍ ଇବ୍ରାହିମ୍କୁ ଧରିବା ପାଇଁ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ତରଫରୁ ଅର୍ଥ ପୁରସ୍କାର ଘୋଷଣା କରାଯାଇଛି। ଦାଉଦ୍ ସଂପର୍କରେ ସଠିକ୍ ସୂଚନା ପ୍ରଦାନକାରୀଙ୍କୁ ୨୫ ଲକ୍ଷ ଟଙ୍କା ପୁରସ୍କାର ବାବଦରେ ମିଳିବ ବୋଲି ଗୁରୁବାର ଏନଆଇଏ ତରଫରୁ କୁହାଯାଇଛି।
ଏଥିସହ ଦାଉଦର ପ୍ରମୁଖ ସହଯୋଗୀ ଛୋଟା ସକିଲ୍ଙ୍କ ସଂପର୍କରେ ସଠିକ୍ ସୂଚନା ପାଇଁ ୨୦ ଲକ୍ଷ ଟଙ୍କା, ଅନିସ୍ ଇବ୍ରାହିମ୍ ଶେଖ୍, ଜାଭେଦ୍ ଚିକନା, ଟାଇଗର ମେନନ ସଂପର୍କରେ ସୂଚନା ପାଇଁ ୧୫ ଲକ୍ଷ ଟଙ୍କା ଲେଖାଏଁ ଅର୍ଥ ପୁରସ୍କାର ଘୋଷଣା କରିଛି ଏନଆଇଏ। ଏହି ବ୍ୟକ୍ତିମାନେ ୧୯୯୩ ମୁମ୍ବଇ ବୋମା ବିସ୍ଫୋରଣ ଘଟଣାର ଅଭିଯୁକ୍ତ। ସେମାନଙ୍କୁ ଗିରଫ କରିବାକୁ ଏନଆଇଏ ତରଫରୁ ସଠିକ୍ ସୂଚନାଦାତାଙ୍କୁ ଅର୍ଥ ପୁରସ୍କାର ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଛି। ଦାଉଦ୍ ନିଜ ସହଯୋଗୀଙ୍କ ସହାୟତାରେ ଡି’କମ୍ପାନୀ ମାଧ୍ୟମରେ ବିଭିନ୍ନ ଦେଶରେ ଅସ୍ତ୍ରଶସ୍ତ୍ର ଚୋରାଚାଲଣ, ନିଶା କାରବାର, ଧମକ ଦେଇ ଟଙ୍କା ଆଦାୟ, ଆତଙ୍କବାଦୀଙ୍କ ନିମନ୍ତେ ପାଣ୍ଠି ସଂଗ୍ରହ ଆଦି କାମ କରୁଛି। ଦାଉଦ୍ର ଲସ୍କର-ଇ-ତୋଇବା, ଜୈସ୍-ଇ-ମହମ୍ମଦ ଓ ଅଲ୍-କାଇଦା ଭଳି ଆତଙ୍କବାଦୀ ସଂଗଠନ ସହ ସଂପର୍କ ଥିବା ଏନଆଇଏ ତରଫରୁ ଜାରି ବିଜ୍ଞପ୍ତିରେ ଦର୍ଶାଯାଇଛି।
Comments are closed.