(୨୦୨୪ ସାଧାରଣ ନିର୍ବାଚନ)ନୟାଗଡ଼-ବିଜେଡି ପାଇଁ ବହୁ ଆଶାୟୀ

ନୟାଗଡ଼,  : ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ନେତାଙ୍କ ମଧ୍ୟରେ ଏବେ ତତ୍ପରତା ଲକ୍ଷ୍ୟ କରାଯାଇଛି। ବିଧାୟକ ନିଜ ପଦକୁ ସୁରକ୍ଷିତ ରଖିବାକୁ ଆପ୍ରାଣ ଉଦ୍ୟମ କରୁଥିବା ବେଳେ ଅନ୍ୟ ଦଳର ନେତାମାନେ ଲୋକଙ୍କ ନିକଟତର ହୋଇ ଭୋଟ୍‌ ହାତେଇବା ଲକ୍ଷ୍ୟରେ ରହିଛନ୍ତି। କିଛି ଆଶାୟୀ ନେତା ମଧ୍ୟ ରଣପୁର ଆସନରୁ ଲଢ଼ିବା ପାଇଁ କସରତ କରିବା ଆରମ୍ଭ କରିଦେଲେଣି।
ରଣପୁର ବ୍ଲକର ୩୭ ଏବଂ ଓଡ଼ଗାଁ ବ୍ଲକର ୧୮ ପଞ୍ଚାୟତ ଏପରି ମୋଟ ୫୫ଟି ପଞ୍ଚାୟତକୁ ନେଇ ରଣପୁର ନିର୍ବାଚନ ମଣ୍ଡଳୀ ଗଠିତ। ରଣପୁର ବିଧାନସଭା ଆସନ ୨୦୦୯ରୁ ଲଗାତାର ଭାବେ ବିଜେଡି ହାତରେ ରହିଛି। ୨୦୦୪ ନିର୍ବାଚନରେ ରଣପୁର ବିଧାନସଭା ଆସନ ପ୍ରଥମ ଥର ପାଇଁ ବିଜେପି ହାତେଇଥିବା ବେଳେ ତାହା ପରଠାରୁ ବିଫଳ ହୋଇଚାଲିଛି। ୧୯୫୧, ୧୯୫୭, ୧୯୬୧, ୧୯୮୦, ୧୯୮୫, ୧୯୯୫, ୨୦୦୦ ନିର୍ବାଚନରେ କଂଗ୍ରେସ ବିଧାୟକ ପଦ ହାତେଇଥିବା ବେଳେ ୨୦୦୦ ନିର୍ବାଚନ ପରଠାରୁ କଂଗ୍ରେସ ରଣପୁର ଅକ୍ତିଆର କରିପାରି ନାହିଁ। ୧୯୫୧ ଓ ୧୯୫୭ ନିର୍ବାଚନରେ ରାଣୀ ବସନ୍ତମଞ୍ଜରୀ ଦେବୀ କଂଗ୍ରେସରୁ ବିଜୟୀ ହୋଇଥିଲେ। ଏଥିସହ ଓଡ଼ିଶାର ପ୍ରଥମ ମହିଳା ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ବ ତୁଲାଇଥିଲେ। ୧୯୭୧, ୧୯୭୪, ୧୯୭୭ ନିର୍ବାଚନରେ ଲଗାତାର ଭାବେ ସିପିଆଇଏମ୍‌ର ପ୍ରାର୍ଥୀ ରମେଶ ଚନ୍ଦ୍ର ପଣ୍ଡ‌ା ବିଜୟୀ ହୋଇଥିଲେ। ୧୯୮୦ ଓ ୧୯୮୫ ନିର୍ବାଚନ ସମେତ ୧୯୯୫ ଓ ୨୦୦୦ ନିର୍ବାଚନରେ ରମାକାନ୍ତ ମିଶ୍ର କଂଗ୍ରେସରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। ରଣପୁର ବିଧାନସଭା ଆସନ ବର୍ତ୍ତମାନ ସୁଦ୍ଧା ମୋଟ ୭ଥର କଂଗ୍ରେସ ହାତକୁ ଯାଇଥିବା ବେଳେ ୨୦୦୯ ନିର୍ବାଚନଠାରୁ ବିଜେଡି ହାତରେ ରହିଛି। ୨୦୦୯ରେ ସତ୍ୟ ନାରାୟଣ ପ୍ରଧାନ ବିଜେଡିରୁ ବିଜୟୀ ହୋଇଥିବା ବେଳେ ୨୦୧୪ ନିର୍ବାଚନରେ ରବି ନାରାୟଣ ମହାପାତ୍ରଙ୍କୁ ବିଜେଡି ପ୍ରାର୍ଥୀ କରି ଜିତିଥିଲା। ପୁଣିଥରେ ୨୦୧୯ରେ ବିଜେଡି ସତ୍ୟ ନାରାୟଣ ପ୍ରଧାନଙ୍କୁ ପ୍ରାର୍ଥୀ କରିଥିଲା।
ଗତ ନିର୍ବାଚନରେ କଂଗ୍ରେସରୁ ଶୁଭଶ୍ରୀ ପଣ୍ଡା, ବିଜେପିରୁ ସୁରମା ପାଢ଼ୀ ଏବଂ ବିଜେଡିରୁ ସତ୍ୟ ନାରାୟଣ ପ୍ରଧାନ ପ୍ରାର୍ଥୀ ହୋଇଥିଲେ। ସେହି ନିର୍ବାଚନରେ କଂଗ୍ରେସକୁ ସର୍ବନିମ୍ନ ୯,୨୧୫ ଭୋଟ୍ ମିଳିଥିବାବେଳେ ବିଜେପିକୁ ୬୫ ହଜାର ୫୯୮ ଭୋଟ୍ ମିଳିଥିଲା। ବିଜେଡି ସର୍ବାଧିକ ୬୯,୮୪୯ ଖଣ୍ଡ ପାଇଥିଲା। ନିଜ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିଠାରୁ ମାତ୍ର ୪,୨୫୧ ଖଣ୍ଡ ଭୋଟ୍ ବ୍ୟବଧାନରେ ଜିତିଥିଲା ବିଜେଡି। ବର୍ତ୍ତମାନର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଭଳି ଗୁରୁଦାୟିତ୍ବ ବହନ କରୁଥିବା ବେଳେ ରଣପୁର ନିର୍ବାଚନ ମଣ୍ଡଳୀର ବିଜେପି ନେତା ତାପସ ମାର୍ଥାଙ୍କୁ ଜିଲା ବିଜେପି ସଭାପତି ଦାୟିତ୍ବ ଦିଆଯାଇଛି। ଦୁଇ ପ୍ରମୁଖ ଦଳର ନେତାଙ୍କୁ ସେମାନଙ୍କ ଦଳ ଗୁରୁଦାୟିତ୍ବ ଦେଇଥିବା ବେଳେ ରଣପୁର ବିଧାନସଭା ଆସନକୁ ନେଇ ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଛି। ବିଜେଡିରୁ ଏକାଧିକ ଆଶାୟୀ ରହିଥିବା ବେଳେ ବିଜେପିରୁ ସୁରମ‌ା ପାଢ଼ୀ ଆଶାୟୀ ରହିଥିବା ଜିଲା ସଭାପତି ତାପସ ମାର୍ଥା ସ୍ପଷ୍ଟ କରିଛନ୍ତିି।
ବିଧାୟକ ପଦ ପାଇଁ ସେ ଆଶାୟୀ ନଥିବା କହିବା ସହ ଦଳ ଯାହା ନିଷ୍ପତ୍ତି ନେବ ସେଥିରେ ସମସ୍ତେ ଏକମତ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି। ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦନେଇ ଦଳବେହେରା ମଧ୍ୟ ବିଜେପି ଟିକଟ ଆଶାୟୀ ରହିଥିବା ଚର୍ଚ୍ଚା ହେଉଛି। ସେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ନିକଟତର ହେଉଛନ୍ତି।
ସେହିଭଳି କଂଗ୍ରେସରୁ ପୂର୍ବତନ ବିଧାୟକ ରମାକାନ୍ତ ମିଶ୍ରଙ୍କ ପୁତୁରା ବିଭୁପ୍ରସାଦ ମିଶ୍ର ଏବଂ ମଜଦୁର କଂଗ୍ରେସର ରାଜ୍ୟ ଯୁବ ଶାଖା ସଭାପତି ସତ୍ୟବ୍ରତ ନାୟକ ଆଶାୟୀ ଅଛନ୍ତି। ତେବେ ଗତ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଶୁଭଶ୍ରୀ ଶାରୀରିକ ଅସୁସ୍ଥତା ଯୋଗୁଁ ରାଜନୀତିରୁ ଏକ ପ୍ରକାର ଦୂରେଇ ଯାଇଥିବାବେଳେ ବିଭୁ ପ୍ରସାଦ ମିଶ୍ରଙ୍କୁ ଟିକଟ ମିଳିବା ଆଶା ଅଧିକ ଥିବା ଚର୍ଚ୍ଚା ହେଉଛି। ଏପଟେ ବିଜେଡିରୁ ଆଶାୟୀଙ୍କ ଲମ୍ବା ତାଲିକା ଦଳକୁ ଅଡୁଆରେ ପକାଇପାରେ। ବିଧାୟକ ସତ୍ୟ ନାରାୟଣ ପ୍ରଧାନଙ୍କ ଲୋକପ୍ରିୟତା ରହିଥିଲେ ମଧ୍ୟ ନୟାଗଡ଼ ଜିଲ‌ା ପରିଷଦ ସଭାପତି ଦେବାଶିଷ ପଟ୍ଟନାୟକ, ଆଲୋକ ପଟ୍ଟନାୟକ ଏବଂ ସ୍ବର୍ଣ୍ଣପ୍ରକାଶ ରାଉତରାୟ ଆଶାୟୀ ଥିବା ଜଣାପଡ଼ିଛି। ଏଣେ ସମାଜସେବୀ ତ୍ରିନାଥ ବିଶ୍ବାଳ ଲୋକଙ୍କ ନିକଟତର ହେବାରେ ଲାଗିଛନ୍ତି।
ବିଜେଡି ଏଥର ରଣପୁରରୁ ମହିଳା କାର୍ଡ ଖେଳିବାର ସମ୍ଭାବନା ରହିଥିବା ଆଲୋଚନା ଚାଲିଛି। ଏହା ଯଦି ମହିଳା ସିଟ୍‌ ହୁଏ ତାହେଲେ ପ୍ରତିଭା ମହାନ୍ତି, ଲିଙ୍କନ୍ ସୁବୁଦ୍ଧି ଏବଂ ବନ୍ଦନା ମହାନ୍ତି ପ୍ରମୁଖ ଟିକଟ ପାଇଁ ଆଶାୟୀ ହୋଇପାରନ୍ତି ବୋଲି ଆଲୋଚନା ହେଉଛି। ରଣପୁର ନିର୍ବାଚନ ମଣ୍ଡଳୀରେ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ବିଜେଡି ଅକ୍ତିଆର କରିଥିବା ବେଳେ ପଞ୍ଚାୟତ ସମିତିକୁ ବିଜେପି ନିଜ ଦଖଲରେ ରଖିଛି। ଆଗାମୀ ନିର୍ବାଚନରେ କେଉଁ ଦଳରୁ କିଏ ପ୍ରାର୍ଥୀ ହେବେ ଏବଂ କେଉଁ ଦଳର ପ୍ରାର୍ଥୀ ଭୋଟରଙ୍କ ଆସ୍ଥାଭାଜନ ହୋଇପାରିବେ ତାହା ସମୟ କହିବ।

Comments are closed.