ଭୁବନେଶ୍ୱର : ମଦ ବ୍ୟବସାୟୀଙ୍କ ଟଙ୍କା ପାହାଡ ଦେଖି କାବା ହେଲା ଆୟକର ବିଭାଗ। ଏଯାଏଁ ଜବତ ହୋଇଥିବା ଟଙ୍କାକୁ ଗଣିବାକୁ ପ୍ରାୟ ୪ ରୁ ୫ ଦିନ ଲାଗିବ। ଏହାସହ ଆଲମିରାରେ ଥିବା ବିଡା ବିଡା ୫ ଶହ ଟଙ୍କିଆ ନୋଟ୍ ଜବତ ହୋଇଥିବା ବେଳେ ପ୍ରାୟ ୨୦୦ କୋଟିରୁ ଅଧିକ ଟଙ୍କା ଜବତ କରାଯାଇଛି। ଜବତ ଟଙ୍କାକୁ ମେସିନ୍ ସାହାଯ୍ୟରେ ଗଣାଯାଉଛି। ପ୍ରାୟ ୯ଟି ଆଲମିରାରେ ଏହି ଟଙ୍କା ରଖାଯାଇଥିଲା।

ସୂଚନା ଅନୁଯାୟୀ, ମଦ ବ୍ୟବସାୟୀଙ୍କ ଘରେ ବୁଧବାର ଭଳି ଗୁରୁବାର ମଧ୍ୟ ଆୟକର ଟିମ୍ର ଚଢାଉ ଜାରି ରହିଛି। ରାଜ୍ୟର ମୋଟ ୬ଟି ସ୍ଥାନରେ ଚଢାଉ ଚାଲିଛି।
ଭୁବନେଶ୍ୱର, ସମ୍ବଲପୁର, ଟିଟିଲାଗଡ, ବୌଦ୍ଧ, ବଲାଙ୍ଗୀର, ସୁନ୍ଦରଗଡରେ ମଧ୍ୟ ଚଢାଉ କରାଯାଉଛି। ସମ୍ବଲପୁର ଧନୁପାଲିର ଏକ ଦେଶୀ ମଦ ଭାଟିରେ ଚଢାଉ ଜାରି ରହିଛି। ଟିଟିଲାଗଡ ନେହେରୁ ନଗର ସ୍ଥିତ ୨ଟି ଘରେ ଚଢାଉ କରାଯାଉଛି। ଆୟକର ଫାଙ୍କି ଅଭିଯୋଗରେ ଆଇଟିର ଏହି ଚଢାଉ କରାଯାଉଛି।



