ସମ୍ବଲପୁର : ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଯୁକ୍ତ-୨ ବିଜ୍ଞାନ ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇଛି। ଏଥିରେ ଭୁବନେଶ୍ବର ଜୁପିଟର ସାଇନ୍ସ ହାୟର ସେକେଣ୍ଡାରୀ ସ୍କୁଲର ସୁଦର୍ଶନ ରଣା ୫୭୪ ମାର୍କ ସହ ରାଜ୍ୟ ଟପ୍ପର ହୋଇଥିବାବେଳେ ପ୍ରଥମ ଦଶ ଜଣରେ ସିଏଚ୍ଏସଇ ସମ୍ବଲପୁର ଜୋନ୍ ଅନ୍ତର୍ଗତ ପଶ୍ଚିମ ଓଡ଼ିଶାର ୯ ଜିଲାର ୩ ଜଣ ରହିଛନ୍ତି। ସମ୍ବଲପୁର ବିକାଶ ହାୟର ସେକେଣ୍ଡାରୀ ସ୍କୁଲର ଛାତ୍ରୀ ଛବିରାଣୀ ରଣା ୫୬୦ ମାର୍କ ରଖି ରାଜ୍ୟରେ ସପ୍ତମ ସ୍ଥାନରେ ରହିବା ସହ ସମ୍ବଲପୁର ଜୋନ୍ ଟପ୍ପର ହୋଇଛନ୍ତି। ସେହିପରି ବଲାଙ୍ଗିର ଯୁବୋଦୟ ସ୍କୁଲର ଜ୍ୟୋତିରାଜ ପଧାନ (୫୫୮) ରାଜ୍ୟରେ ଅଷ୍ଟମ ଓ ଭବାନୀପାଟଣା ପ୍ରଗତି ସାଇନ୍ସ ହାୟର ସେକେଣ୍ଡାରୀ ସ୍କୁଲର ଆତ୍ମନ କୁମାର ପଣ୍ଡା (୫୫୬) ନବମ ସ୍ଥାନରେ ରହିଛନ୍ତି। ସମ୍ବଲପୁର ଜୋନ୍ରେ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ଅନ୍ୟମାନେ ହେଲେ ଭବାନୀପାଟଣା ସରସ୍ବତୀ ସାଇନ୍ସ ହାୟାର ସେକେଣ୍ଡାରୀ ସ୍କୁଲର ପାର୍ଥିବ ମୁଣ୍ଡ (୫୪୯), ସମ୍ବଲପୁର ନିଉଟନ କଲେଜର ଉଦିତ କୁମାର ନାଥ (୫୪୭), ବଲାଙ୍ଗିର ଯୁବୋଦୟ ସ୍କୁଲର ଅରୁଣିମା ମିଶ୍ର (୫୪୬), ସମ୍ବଲପୁର ନିଉଟନ କଲେଜର ଓମ୍କାର ସାହୁ (୫୪୪), ବଲାଙ୍ଗିର ଯୁବୋଦୟ ସ୍କୁଲର ଗାଗାରିନ ସାହୁ (୫୪୩), ବରଗଡ଼ ବିକାଶ ସ୍କୁଲର ଦିଶାନ୍ତ ମିଶ୍ର (୫୪୨), ସମ୍ବଲପୁର ଏମ୍ସ କଲେଜର ସୁଶାନ୍ତ ବାରିକ (୫୪୧) ଓ ସମ୍ବଲପୁର ନିଉଟନ କଲେଜର ପ୍ରତ୍ୟୁଷ କୁମାର ବାରିକ (୫୪୦)।
ପଶ୍ଚିମ ଓଡ଼ିଶା ଟପ୍ପର ଛବିରାଣୀ
ଜୀବନରେ ଡାକ୍ତର ହୋଇ ଜନସାଧାରଣଙ୍କ ସେବାରେ ନିଜକୁ ନିୟୋଜିତ କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ଛବିରାଣୀ। ଏହି କୃତିତ୍ବର ଶ୍ରେୟଃ ମା’ବାପାଙ୍କ ସହ ବିକାଶ ହାୟର ସେକେଣ୍ଡାରୀ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦେଇଛନ୍ତି। ସେ ସ୍କୁଲ ପାଠପଢ଼ା ବ୍ୟତୀତ ଦିନକୁ ପ୍ରାୟ ୮ ଘଣ୍ଟାରୁ ଊର୍ଦ୍ଧ୍ବ ପରିଶ୍ରମ କରୁଥିଲେ। ସେ ସମସ୍ତ ବିଷୟକୁ ସମାନ ପ୍ରାଧାନ୍ୟ ଦେଇ ପଢ଼ୁଥିବା କହିଛନ୍ତି। ଛବିରାଣୀ ଯୁକ୍ତ-୨ ବିଜ୍ଞାନ ପରୀକ୍ଷାରେ ୫୬୦ ମାର୍କ (୯୩.୩୩%) ରଖି ପଶ୍ଚିମ ଓଡ଼ିଶାରେ ପ୍ରଥମ ଓ ରାଜ୍ୟରେ ସପ୍ତମ ସ୍ଥାନରେ ରହିଛନ୍ତି। ସେ ଏମଆଇଏଲରେ ୮୭ ମାର୍କ ରଖିଥିବାବେଳେ ଇଂରାଜୀରେ ୮୨, ପଦାର୍ଥ ବିଜ୍ଞାନ ୯୯, ରସାୟନ ବିଜ୍ଞାନ ୯୬, ଗଣିତ ୯୮, ଉଦ୍ଭିଦ ବିଜ୍ଞାନରେ ୪୯ ଓ ଜୀବ ବିଜ୍ଞାନରେ ୪୯ ମାର୍କ ରଖିଥିବା ଜଣାପଡ଼ିଛି। ସମ୍ବଲପୁର ଜିଲା ଜମନକିରା ଥାନା ଅନ୍ତର୍ଗତ ଜାମୁମାଲ ଗ୍ରାମର ଛବିରାଣୀ ରଣା କୁଚିଣ୍ଡା ଅରବିନ୍ଦ ସ୍କୁଲରେ ମାଟ୍ରିକ ପାସ କରିବା ପରେ ଶାସନସ୍ଥିତ ବିକାଶ ହାୟର ସେକେଣ୍ଡାରୀ ସ୍କୁଲରେ ଯୋଗ ଦେଇଥିଲେ। ଛବିରାଣୀଙ୍କ ବାପା ବିମ୍ବାଧର ରଣା ସମ୍ବଲପୁର ଜିଲା କୁଚିଣ୍ଡା ଶ୍ରୀ ଅରବିନ୍ଦ ସ୍କୁଲରେ ଇଂରାଜୀ ଶିକ୍ଷକତା କରୁଥିବାବେଳେ ମା’ ଛନ୍ଦାରାଣୀ ଜଣେ ଗୃହିଣୀ। ଦୁଇ ଭଉଣୀ ମଧ୍ୟରୁ ବଡ଼ ଛବିରାଣୀଙ୍କ କୃତିତ୍ବରେ ସମଗ୍ର ସମ୍ବଲପୁର ଜିଲାରେ ଆନନ୍ଦ ପ୍ରକାଶ ପାଇଛି।
ଯୁବୋଦୟର ଜ୍ୟୋତି ରାଜ୍ୟରେ ଅଷ୍ଟମ
ବଲାଙ୍ଗିର : ଯୁକ୍ତ ଦୁଇ ବିଜ୍ଞାନରେ ଭଲ ଫଳ ହିଁ ଭବିଷ୍ୟତ ଓ ଲକ୍ଷ୍ୟ ପୂରଣ ଦିଗରେ ବାଟ କଢାଇ ନେବ। ଏହା ଆମକୁ ପଢିବା ଆରମ୍ଭରୁ ହିଁ କୁହାଯାଇଥିଲା। ପଢା ଉପରେ ହିଁ ପ୍ରଥମରୁ ଦୃଷ୍ଟି ଦିଆଯାଉଥିଲା। ୧୦ରୁ ୧୨ ଘଣ୍ଟା ପଢାପଢି କରୁଥିଲି। ବାପା-ମା ଓ ଅନ୍ୟମାନେ ଭବିଷ୍ୟତ ନେଇ ଅନେକ ସ୍ୱପ୍ନ ଦେଖନ୍ତି। କିନ୍ତୁ ମୋ ସ୍ୱପ୍ନ ଯାହା ତାହା ଧାର୍ଯ୍ୟ କରିବା ପରେ ହିଁ ସ୍ପଷ୍ଟ କରିବି। ପରୀକ୍ଷା ଫଳ ଭଲ ହେଇଛି। କିନ୍ତୁ ଇଂରାଜୀରେ ଯେତିକି ମାର୍କ ଆଶା କରୁଥିଲି ତାହା ପାଇନାହିଁ ବୋଲି ରାଜ୍ୟରେ ଅଷ୍ଟମ ହୋଇଥିବା ଜ୍ୟୋତିରଞ୍ଜନ ପ୍ରଧାନ କହିଛନ୍ତି। କଳାହାଣ୍ଡି ଜିଲା ନର୍ଲା ବ୍ଲକ ଶେରଗଡ ଡେଙ୍ଗସର୍ଗି ଗାଁର ଶିକ୍ଷକ ଦୈତାରୀ ପ୍ରଧାନ ଓ ସରୋଜିନୀ ପ୍ରଧାନଙ୍କ ପୁଅ ଜ୍ୟୋତିରଞ୍ଜନଙ୍କ ସଫଳତା ନେଇ ଅଞ୍ଚଳରେ ଖୁସି ପ୍ରକାଶ ପାଇଛି। ଜ୍ୟୋତିରଞ୍ଜନ ଯୁକ୍ତ ଦୁଇ ବିଜ୍ଞାନରେ ୫୫୮ ମାର୍କ ରଖି ପଶ୍ଚିମ ଓଡ଼ିଶାରେ ଦ୍ୱିତୀୟ ଓ ରାଜ୍ୟରେ ୮ମ ସ୍ଥାନରେ ରହିଥିବା ବେଳେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।
ଆତ୍ମନ କୁମାର ପଣ୍ଡା ରାଜ୍ୟରେ ନବମ
ଭବାନୀପାଟଣା/ମୁଖିଗୁଡା : ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳରେ କଳାହାଣ୍ଡିର ଛାତ୍ର ଆତ୍ମନ କୁମାର ପଣ୍ଡା ରାଜ୍ୟରେ ନବମ ଓ ପଶ୍ଚିମ ଓଡ଼ିଶାରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଭବାନୀପାଟଣା ପ୍ରଗତି ସାଇନ୍ସ ହାୟର ସେକେଣ୍ଡାରୀ ସ୍କୁଲର ଛାତ୍ର ଆତ୍ମନ ୫୫୬ ନମ୍ବର ରଖିଥିବା ଜଣାପଡିଛି। ଜୟପାଟଣା କିଶୋରପଡାର ରଜନୀକାନ୍ତ ପଣ୍ଡା ଓ ମମତାଞ୍ଜଳି ପଣ୍ଡାଙ୍କ ପୁଅ ଆତ୍ମନ କହିଛନ୍ତି, ଦିନକୁ ୧୨ରୁ ୧୪ ଘଣ୍ଟା ପାଠ ପଢିବା ସହିତ ନିଜକୁ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲି। ପ୍ରତିଦିନ କ୍ଲାସରେ ସମୟରେ ଏବଂ ଅନ୍ୟ ସମୟରେ ସବୁ ବିଷୟ ଉପରେ ଗୁରତ୍ୱ ଦେଇ ନିଜକୁ ପ୍ରସ୍ତୁତ କରୁଥିଲି। ଏହା ସହିତ ସ୍କୁଲର ଶିକ୍ଷକ ଓ ମା’ ବାପାଙ୍କର ପ୍ରେରଣା ମୋତେ ଆଜି ଏହି ସଫଳତା ଆଣିବାରେ ସହୟତା କରିଛି। ବିଶେଷ କରି ମୋର ମା’ ଓ ଶିକ୍ଷକ ମାନେ ସବୁବେଳେ ମୋତେ ଗାଇଡ୍ କରିଆସିଥିଲେ। ମୁଁ ମେଡିକାଲ ପଢ଼ିବା ପାଇଁ ନିଜକୁ ପ୍ରସ୍ତୁତ କରୁଛି।



