ପ୍ରତିଶ୍ରୁତିରେ ରହିଗଲା ହାତୀ ନଦୀ ଖଣ୍ଡିଡଙ୍ଗରୀଗୁଡା ଘାଟରେ ପୋଲ ନିର୍ମାଣ ପ୍ରସ୍ତାବ

କଲମପୁର – ନିର୍ବାଚନ ପରେ ନିର୍ବାଚନ ଆସୁଛି । ପୁଣି ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦିଆଯାଉଛି  । ଖଣ୍ଡି ଡଙ୍ଗରୀଗୁଡା ହାତୀ ନଦୀ ଘାଟରେ ନିର୍ମାଣ ହେବ ପୋଲ । କିନ୍ତୁ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପୋଲ ନିର୍ମାଣର ପ୍ରଥମ ପଦକ୍ଷେପ ସମ୍ପାଦିତ ହୋଇ ପାରି ନାହିଁ । ଯାହାକୁ ନେଇ ଅଂଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଗତ ୨୦୧୯ ସାଧାରଣ ନିର୍ବାଚନ ବେଳେ ବି.ଜେ.ପିର ସାଂସଦ  ବସନ୍ତ ପଣ୍ଡା ଏହି ପୋଲ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ ।  ପରବର୍ତି ୨୦୨୨ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ସମୟରେ ପୂର୍ବତନ ମନ୍ତ୍ରୀ ତଥା  ବିଜୁ ଜନତା ଦଳର  ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ ପୋଲ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ ।
 ନିର୍ବାଚନ ପରେ ସାଂସଦ ଶ୍ରୀ ପଣ୍ଡା ଏହି ଗ୍ରାମବାସୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ସମୟରେ ପୁନଃ ପୋଲ ନିର୍ମାଣ ପ୍ରସ୍ତାବ ଉପରେ ମତବ୍ୟକ୍ତ କରିଥିଲେ । ଯାହା କେନ୍ଦ୍ରୀୟ ଅନୁଦାନରୁ ନିର୍ମାଣ ହେବ ବୋଲି ଘୋଷଣା କରିଥିଲେ । ପରବର୍ତ୍ତୀ ସମୟରେ ପୋଲ ନିର୍ମାଣ ପାଇଁ ମାଟି ପରୀକ୍ଷା ସହ ଅନ୍ୟ କିଛି ପ୍ରାଥମିକ ପଦକ୍ଷେପ ନିଆଯାଇଥିଲା । କିନ୍ତୁ ଏଥିମଧ୍ୟରେ ଦୀର୍ଘ ଦିନ ବିତି ସାରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନାହିଁ । ହେି ପୋଲ ନିର୍ମାଣ ହେଲେ କଲମପୁର ଜୁନାଗଡ ମୁଖ୍ୟ ରାସ୍ତା ସହ ବଙ୍କାପଲା ନିକଟରେ ସଂଯୋଗ ହେବ । ଯାହାଦ୍ୱାରା ଅଂଚଳବାସୀ ଜୁନାଗଡ, କୋକସରା, ଧର୍ମଗଡ ସମେତ ୨୬ନମ୍ବର ଜାତୀୟ ରାଜପଥରେ ସଂଯୋଗ ହେଇ ପଡୋଶୀ ନବରଙ୍ଗପୁର ଏବଂ ଛତିଶଗଡ ରାଜ୍ୟ ସହ ଯାତାୟତର ସୁବିଧା ପାଇ ପାରିବେ । ସେମାନଙ୍କ ଅର୍ଥନୈତୀକ, ସାମାଜିକ ଏବଂ ସାଂସ୍କୃତିକ ବିକାଶ ହେଇ ପାରିବ । ପୁଣି ଶିକ୍ଷା ସ୍ୱାସ୍ଥ୍ୟା କ୍ଷେତ୍ରରେ ଉନ୍ନତି ହେଇ ପାରିବ । କିନ୍ତୁ ଏହି ଆଶା ଏବେ ଆଶାରେ ରହିଯାଇଛି । ଯେଉଁଥିପାଇଁ ଅଂଚଳବାସୀଙ୍କ ମଧ୍ୟରେ ଅଶନ୍ତୋଷ ଲାଗି ରହିଛି ।
ବଡ ବଡ ନେତା ଆସିଲେ, ଏମ.ପି ଆସିଲେ । ପୋଲ ନିର୍ମାଣର ପ୍ରତିଶୃତି ଦେଲେ । କିନ୍ତୁ ପୋଲ ନିର୍ମାଣ ହେଇ ପାରିଲା ନାହିଁ । ଦେଶୀ ଡଙ୍ଗାରେ ଆମେ ନଦୀ ପାର ହେଉଛୁ । କେତେବେଳେ ଡଙ୍ଗା ଦୁର୍ଘଟଣା ଘଟୁଛି । ତେଣୁ ଆମେ ଆଗାମୀ ନିର୍ବାଚନ ସମୟରେ ଭୋଟ ମାଗି ଆସୁଥିବା ନେତାଙ୍କୁ ଉଚିତ ଜବାବ ଦେବୁ  ବୋଲି  ସ୍ଥାନୀୟ ବାସିନ୍ଦା କହିଛନ୍ତି ।
ଖଣ୍ଡିଡଙ୍ଗରୀଗୁଡା ଖମ୍‌ଡିଡଙ୍ଗରୀଗୁଡା ବଙ୍କାପଲା ସଂଯୋଗ ପାଇଁ ହାତୀ ନଦୀରେ ଏକ ପୋଲ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି । ଯାହାର ସ୍ୱୀକୃତୀ ପାଇଁ ରାଜ୍ୟସ୍ତରୀୟ ଅଧିକାରୀଙ୍କ ପାଖରେ ରହିଛି । ଆଗାମୀ ଏକମାସ ମଧ୍ୟରେ ସ୍ୱୀକୃତୀ ପାଇବା ପରେ ପୋଲ ନିର୍ମାଣର ଆନୁସଙ୍ଗିକ କାର୍ଯ୍ୟ ଆରମ୍ଭ ହେବ ବୋଲି  କଳାହାଣ୍ଡି ପୂର୍ତ ବିଭାଗ  କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଇଂ. ପ୍ରକାଶ ଚନ୍ଦ୍ର ବେହେରା କହିଛନ୍ତି ।

Comments are closed.