ମହାନଦୀରେ ରତ୍ନ ପଥର ଖୋଜିବା ହେଲା କାଳ -ପଥର ତଳେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ

ବୌଦ୍ଧ: ବୌଦ୍ଧ ସହର ନିକଟ ଦେଇ ପ୍ରବାହିତ ମହାନଦୀରେ ରତ୍ନ ପଥର ଖୋଜିବା ସମୟରେ ପଥର ତଳେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୁଚନା ମୁତାବକ ବୌଦ୍ଧ ସହର ନିକଟ ଦେଇ ପ୍ରବାହିତ ମହାନଦୀର କୁଲାରୀକୁଦ ଠାରେ ଅନୁଗୋଳ ଜିଲା କିଆକଟା ଥାନା ଅନ୍ତର୍ଗତ ବରଡାକଟା ଗ୍ରାମର ୧୦ରୁ ୧୫ ଜଣ ଶ୍ରମିକ ରତ୍ନ ପଥର ଖୋଜିବା କାର୍ଯ୍ୟ କରୁଥିଲେ । ଶୁକ୍ରବାର ଦିନ ଅପରାହ୍ନରେ ରତ୍ନ ପଥର ପାଇଁ ନଦୀ ଗର୍ଭରେ ଥିବା ଏକ ପଥର ନିକଟରେ ବାଲି ଖୋଳୁଥିବାବେଳେ ବଡ ପଥରଟି ଜଣେ ଶ୍ରମିକଙ୍କ ଉପରେ ମାଡି ବସିଥିଲା । ପଥର ତଳେ ଶ୍ରମିକ ଜଣକ ଚାପି ହୋଇଯାଇଥିଲେ ଏବଂ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ମୃତ ଶ୍ରମିକ ଜଣକ ହେଲେ କିଆକଟା ବରଡାକଟା ଗ୍ରାମର ସୁଶାନ୍ତ ଝାଙ୍କର (୩୦) ବୋଲି ଜଣାପଡିଛି । ଅନ୍ୟ ଶ୍ରମିକମାନେ ସୁଶାନ୍ତଙ୍କ ଶବକୁ ପଥର ତଳୁ ଉଦ୍ଧାର କରିବା ପାଇଁ ବହୁ ଚେଷ୍ଟା ପରେ ମଧ୍ୟ ସଫଳ ହୋଇନଥିଲେ । ଶେଷରେ ଖବର ପାଇ ବହୁ ସମୟ ପରେ ରାତିରେ ଘଟଣା ସ୍ଥଳକୁ ଦମକଳ କର୍ମଚାରୀ ଯାଇଥିଲେ କିନ୍ତୁ ସେମାନେ ମଧ୍ୟ ବଡ ପଥର ତଳେ ଚାପି ହୋଇଥିବା ଶ୍ରମିକଙ୍କ ଶବକୁ ଉଦ୍ଧାର କରି ପାରିନଥିଲେ । ଖବର ପାଇ ବୌଦ୍ଧ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶ୍ରମିକଙ୍କୁ ଉଦ୍ଧାର କାର୍ଯ୍ୟ ହାତକୁ ନେଇଥିଲା । ଦୀର୍ଘ ୨୪ ଘଣ୍ଟା ପରେ ପୋଲିସ ଜେସିବି ମେସିନ ସହାୟତାରେ ଶ୍ରମିକଙ୍କ ଶବକୁ ପଥର ତଳୁ ଉଦ୍ଧାର କରିଛି । ଶବ ଉଦ୍ଧାର ପରେ ବ୍ୟବଛେଦ ପାଇଁ ପଠାଇ ପୁଲିସ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି । ପ୍ରକାଶ ଥାଉକି ବୌଦ୍ଧ ସହର ନିକଟ ଦେଇ ପ୍ରବାହିତ ମହାନଦୀରେ ୧୯୮୨ ମସିହା ପ୍ରଳୟଙ୍କାରୀ ବନ୍ୟା ପରେ ରତ୍ନପଥର ମିଳୁଥିବା ଜଣାପଡିଥିଲା । ସେହି ସମରେ ନଦୀ ଭିତରେ ବହୁ  ସଂଖ୍ୟାରେ ଲୋକ ରତ୍ନପଥର ସନ୍ଧାନରେ ଲାଗିଥିବାବେଳେ ପ୍ରତିଦିନ କିଛି କିଛି ରତ୍ନପଥର ମିଳୁଥିଲା । ରତ୍ନପଥର ସଂଗ୍ରହ ପାଇଁ ମହାନଦୀ ଗର୍ଭରେ ହୋଟେଲ, ପାନଦୋକନା ଖୋଲିବା ସହିତ ଜେନେରେଟର ଲଗାଇ ଦିନ ରାତି ପଥର ସଂଗ୍ରହ କାର୍ଯ୍ୟ ଚାଲୁ ରହିଥିଲା । ଏହି ଖବର ସେତେବେଳେ ସାରା ବିଶ୍ୱରେ ଚର୍ଚ୍ଚିତ ପ୍ରସଙ୍ଗ ହେବାସହିତ ଦେଶ ବାହାରୁ ବ୍ୟବସାୟୀମାନେ ଆସି ରତ୍ନପଥର କିଣିବା ପାଇଁ ବୌଦ୍ଧରେ ଡେରା ପକାଇଥିଲେ । ବୌଦ୍ଧରେ ରତ୍ନ ପଥର ବ୍ୟବସାୟରୁ ବହୁ ଲୋକ କୋଟି କୋଟି ଟଙ୍କା ରୋଜଗାର କରିଛନ୍ତି । ପରେ ମହାନଦୀରୁ ରତ୍ନପଥର ଖନନ ନେଇ ଖଣିବିଭାଗ ରୋକ ଲଗାଇଥିଲା । ପରବର୍ତ୍ତି ସମୟରେ ଏହି ରତ୍ନପଥର ସଂଗ୍ରହ କାର୍ଯ୍ୟ ଚୋରାରେ ପ୍ରଶାସନ ଓ ଖଣି ବିଭାଗର ଦୃଷ୍ଟି ଆଢୁଆଳରେ ଚାଲୁ ରହିଆସିଛି । ହେଲେ ପୂର୍ବଭଳି ଅଧିକ ରତ୍ନପଥର ମଧ୍ୟ ମିଳୁନଥିବା ଜଣାଯାଇଛି । ବର୍ତମାନ ରତ୍ନପଥର ଖୋଳୁଥିବା ଲୋକମାନେ ନିଜେ ଶ୍ରମ କରିବା ସହିତ ଯଦି ସଫଳ ହୁଅନ୍ତି ତ ବିଭିନ୍ନ ବ୍ୟବସାୟୀଙ୍କ ଜରିଆରେ ଏହା ବିକ୍ରୟ କରୁଛନ୍ତି । ନିଜର ଅନ୍ୟ କାମ ଛାଡି କେବଳ ରତ୍ନପଥର ସନ୍ଧାନରେ ଲାଗିଥିବା ଲୋକମାନେ ରତ୍ନ ପଥର ମିଳିଲେ ତାଙ୍କୁ ବିକ୍ରୟ କରିବାର ଜବାବ   ଦେଇ ବ୍ୟବସାୟୀମାନଙ୍କ ଠାରୁ ଅଗ୍ରୀମ ଅର୍ଥ ଆଣି ଏହି କାର୍ଯ୍ୟ କରୁଥିବା ଜଣାଯାଇଛି । ସଂପୃକ୍ତ ଦଳରେ ୧୫ ଜଣ ଶ୍ରମିକ ସମ୍ବଲପୁର ର ଜୈନିକ ବ୍ୟବସାୟୀଙ୍କ ନିକଟରୁ ଅଗ୍ରୀମ ଅର୍ଥ ଆଣି ରତ୍ନପଥର ସଂଗ୍ରହ କାର୍ଯ୍ୟରେ ଲାଗିଥିôବା କୁହାଯାଉଥିବାବେଳେ ପୁଲିସ ତଦନ୍ତ ପରେ ଏହା ସ୍ପଷ୍ଟ ହୋଇପାରିବ ।

Comments are closed.