ଗୁରୁଙ୍କ ଆଶ୍ରମରେ ରହି ଶିକ୍ଷା ଲାଭ କରୁଥିଲେ ଶିଷ୍ୟ। ସର୍ବଦା ଘନିଷ୍ଠ ସମ୍ପର୍କରେ ଆସୁଥିଲେ ମଧ୍ୟ ଗୁରୁ ଅଲୌକିକ ଶକ୍ତିର ଅଧିକାରୀ ବୋଲି ଶିଷ୍ୟଙ୍କର ଧାରଣା ନଥିଲା। ଶିଷ୍ୟ ସେଦିନ ଚକିତ ହୋଇଯାଇଥିଲେ- ଗୁରୁ ପୂର୍ଣ୍ଣଗର୍ଭା ନଦୀ ଜଳରେ ଚାଲିଚାଲି ଗୋଟିଏ ପଟରୁ ଅନ୍ୟ ପଟକୁ ଯାଉଥିବା ଦେଖି। ସ୍ବଚକ୍ଷୁରେ ଏହା ଦେଖୁଥିଲେ ମଧ୍ୟ ଏହା ସ୍ବପ୍ନ ନା ସତ୍ୟ ଭାବି ଦ୍ବିଧାରେ ପଡ଼ିଗଲେ। ଏହା ଏକ ପ୍ରକାର ଚମତ୍କାରିତା ବୋଲି ନିଷ୍କର୍ଷରେ ପହଞ୍ଚିବା ପରେ ଗୁରୁଙ୍କ ପାଦତଳେ ପଡ଼ିଯାଇ କହିଥିଲେ- ଗୁରୁଦେବ! ଆପଣ ଏ ପ୍ରକାର ଚମତ୍କାରୀ ଶକ୍ତିର ଅଧିକାରୀ ହୋଇଥିଲେ ମଧ୍ୟ ମୋ ପାଖରେ ଏବେ ଯାଏ ଲୁଚାଇ ରଖିଥିଲେ ଯଦିଚ ଦୀର୍ଘକାଳ ହେବ ଆପଣଙ୍କ ଆଶ୍ରମରେ ରହିଲିଣି। ଆପଣ ଏହାର ରହସ୍ୟ ମୋତେ ନ କହିବା ପର୍ଯ୍ୟନ୍ତ ମୁଁ ଆପଣଙ୍କ ପାଦ ଛାଡ଼ିବି ନାହିଁ।
ଗୁରୁ ଅବୁଝା ଶିଷ୍ୟର ଏ ହାବଭାବ ଦେଖି ହସିହସି କହିଥିଲେ- ବତ୍ସ! ଏହା ପଛରେ କୌଣସି ରହସ୍ୟ ନିହିତ ନାହିଁ। ଏହା ଉପରେ ଶ୍ରଦ୍ଧା, ଭକ୍ତି, ଭରସା ଆବଶ୍ୟକ। ଶ୍ରଦ୍ଧା ବଳରେ ସବୁ ଅସମ୍ଭବ ସମ୍ଭବ ହୋଇପାରେ ଯାହାଙ୍କ ଉପରେ ତୁମେ ଅଟଳ ଭକ୍ତି ରଖିଛ ଏ କ୍ଷେତ୍ରରେ ତାଙ୍କର ନାମୋଚ୍ଚାରଣ ହିଁ ପର୍ଯ୍ୟାପ୍ତ। ଏହା ଶୁଣିବା ପରେ ଶିଷ୍ୟ ମନେମନେ ଗୁରୁଙ୍କ ନାମୋଚ୍ଚାରଣ କରିବାକୁ ଲାଗିଲେ। ନାମ ଜପିଜପି ଗୁରୁଙ୍କ ଉକ୍ତିର ସତ୍ୟତା ପ୍ରମାଣିତ ପାଇଁ ପାଣି ଭିତରେ ପଶିଲେ। ପାଣିର ଉପରେ ଚାଲିବାକୁ ଆରମ୍ଭ କରନ୍ତେ ଏହା ସମ୍ଭବ ହୋଇନଥିଲା। ପାଣିର ଗଭୀରତା ଅନୁଯାୟୀ ପାଦ ତଳକୁ ତଳକୁ ଗଲା। ଆକଣ୍ଠ ହୋଇ ବୁଡ଼ିଯିବା ଅବସ୍ଥା ଉପୁଜିବାରୁ ଶିଷ୍ୟ ଛାଟିପିଟି ହୋଇ ପଳାଇ ଆସିଥିଲେ ଉପରକୁ। ଉପରକୁ ଆସି ମନେମନେ ଭାବିଲେ ଗୁରୁ ମୋ ସହ ପ୍ରତାରଣା କରିଛନ୍ତି। ଅସଲ କଥା ଊହ୍ୟ ରଖିଛନ୍ତି। ମନ ଭିତରେ କ୍ରୋଧକୁ ଚାପି ରଖି, ଗୁରୁଙ୍କ ସମ୍ମୁଖକୁ ଆସି କହିଥିଲେ- ‘ଗୁରୁଦେବ! ଆପଣ ମୋତେ ଯାହା ଶିଖାଇଥିଲେ ତାହା ହିଁ କରିଥିଲି। ନିର୍ଦେଶ ମୁତାବକ ନାମଜପ କରିଥିଲି, ଥରେ ଦୁଇଥର ନୁହେଁ, ଅନେକ ଥର। ହେଲେ ପାଣିରେ ବୁଡ଼ିଯିବା ଅବସ୍ଥାରେ ପହଞ୍ଚିଗଲି। ବୁଝି ପାରୁନି ଆପଣଙ୍କ କଥା ମାନିଲା ପରେ ବି ଏହା କିପରି ହେଲା?’ ‘କେତେବାର ତୁମେ ନାମ ଜପ କରିଛ।’ ପ୍ରଶ୍ନ କରିଥିଲେ ଗୁରୁ। ‘ଶତାଧିକ ବାର। ପାଣିରେ ପାଦ ଥାପିବା ସମୟରେ, ବୁଡ଼ିବାକୁ ଯାଉଥିବା ସମୟରେ ବି ଜପୁଥିଲି’- ଶିଷ୍ୟ କହିଥିଲେ। ‘ବତ୍ସ! ତୁମେ ବୁଡ଼ି ଯିବାର ଏହା ହିଁ କାରଣ। ଶ୍ରଦ୍ଧା, ଭକ୍ତି, ବିଶ୍ବାସରେ ଗୋଟିଏ ବାର ଜପ ବି ଯଥେଷ୍ଟ। ନିଷ୍ଠା ସହକାରେ ଜପିଥିଲେ ଏହା କଦାପି ନିଷ୍ଫଳ ହୋଇନଥାନ୍ତା। ଇଷ୍ଟଙ୍କ ପ୍ରତି ସମର୍ପଣଭାବ ନ ରହିଲେ ଏହା ହିଁ ହୋଇଥାଏ। ତୁମେ ତ କେବଳ ଲୌକିକତା ପାଳନ ଦୃଷ୍ଟିରୁ ନାମଜପ କରୁଥିଲ।’



