ହାଇଦରାବାଦ : ତେଲଙ୍ଗାନାର ୟାଦାଦ୍ରି ଭୁବନାଗିରି ଜିଲା ଭୋଙ୍ଗିର ସହରର ଏକ ବେଶ୍ୟାଳୟରୁ ମଙ୍ଗଳବାର ୧୧ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ଏହି ମାମଲାରେ ୬ ମହିଳାଙ୍କ ସମେତ ୮ ଦଲାଲଙ୍କୁ ଗିରଫ କରାଯାଇଛି। ଗୁପ୍ତ ସୂଚନା ଆଧାରରେ ପୁଲିସ୍ ଏବଂ ବାଳ ବିକାଶ ସେବାର ଏକ ଦଳ ମିଳିତ ଭାବେ ଭୋଙ୍ଗିର ସହର ୟାଦାଗିରିଗୁଟ୍ଟା ବେଶ୍ୟାଳୟ ଉପରେ ଚଢଉ କରିଥିଲେ। ସେଠାରୁ ୧୦ ବର୍ଷ ବୟସର ୧୧ ଜଣ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି ଓ ଦଲାଲଙ୍କୁ ଗିରଫ କରାଯାଇଛି। ରଚକୋଣ୍ଡା ଆଇଆଇସି ମହେଶ ଏମ୍ ଭାଗବତ ସୂଚନା ଦେଇଛନ୍ତି ଯେ ଦଲାଲମାନେ ଗରିବ ପରିବାରରୁ ଏହି ନାବାଳିକାଙ୍କୁ କିଣି ଆଣିଛନ୍ତି। ପ୍ରତି ଝିଅ ପିଛା ଦେଢ ଲକ୍ଷ ଲେଖାଏଁ ଟଙ୍କା ଦେଇଥିବା ଦଲାଲମାନେ ସ୍ୱୀକାର କରିଛନ୍ତି। ବହୁ ଦିନୁ ଏଭଳି ବେପାର ଚାଲିଛି। ନାବାଳିକାଙ୍କୁ ଯୌବନ ପ୍ରାପ୍ତି ପର୍ଯ୍ୟନ୍ତ ବେଶ୍ୟାଳୟରେ ରଖାଯାଇଥାଏ ଓ ଏହା ମଧ୍ୟରେ ସେମାନଙ୍କୁ ଯୌବନ ବର୍ଦ୍ଧକ ଇଞ୍ଜେକସନ୍ ଦିଆଯାଇଥାଏ। ସମସ୍ତ ନାବାଳିକାଙ୍କୁ ବାଳ ଗୃହକୁ ପଠାଇ ଦିଆଯାଇଛି।
Popular Categories



