ସମାଜ ଡିଜିଟାଲ ଡେସ୍କ: ରାସ୍ତା ନ ଥିବାରୁ ରୋଗୀଙ୍କ ପାଖେ ପହଞ୍ଚି ପାରିଲାନି ୧୦୮ ଆମ୍ବୁଲାନ୍ସ। ଫଳରେ ଆମ୍ବୁଲାନ୍ସ କର୍ମଚାରୀ ରୋଗୀଙ୍କୁ ତାଙ୍କ ଘରୁ ୧ କିଲୋମିଟର ଦୂର ଷ୍ଟ୍ରେଚରରେ ବୋହି ନେଇଥିଲେ। ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ସିଙ୍ଗିପୁର ଗ୍ରାମରୁ।
ମିଳିଥିବା ସୂଚନା ଅନୁସାରେ, ସୋମବାର ସକାଳ ପ୍ରାୟ ୮ଟାରେ ଗ୍ରାମର ୯୮ ବର୍ଷୀୟ ଗୌରାଙ୍ଗ ଚରଣ ସାମଲ ନାମକ ଜଣେ ବୃଦ୍ଧ ନିଶ୍ୱାସ ନେବାରେ ଅସୁବିଧା ଅନୁଭବ କରିଥିଲେ। ତେଣୁ ପରିବାର ଲୋକ ତାଙ୍କୁ ଡାକ୍ତରଖାନା ନେବା ପାଇଁ ୧୦୮କୁ ଯୋଗାଯୋଗ କରିଥିଲେ। ଏହା ପରେ ମଙ୍ଗଳପୁର ଡାକ୍ତରଖାନାରେ ଥିବା ୧୦୮ ଆମ୍ବୁଲାନ୍ସ ରୋଗୀଙ୍କ ପାଇଁ ନିୟୋଜିତ କରାଯାଇଥିଲା। ପ୍ରାୟ ୮ଟା ୪୩ ମିନିଟ ରେ ଆମ୍ବୁଲାନ୍ସ ରୋଗୀଙ୍କ ଗାଁ ନିକଟରେ ପହଞ୍ଚିଥିଲା। କିନ୍ତୁ ଭଲ ରାସ୍ତା ନ ଥିବାରୁ ରୋଗୀଙ୍କ ଘର ପର୍ଯ୍ୟନ୍ତ ଆମ୍ବୁଲାନ୍ସ ପହଞ୍ଚି ନ ପାରି ୧ କିମି ଦୂରରେ ରହିଯାଇଥିଲା। କାଳବିଳମ୍ବ ନ କରି ୧୦୮ ଆମ୍ବୁଲାନ୍ସର ଡ୍ରାଇଭର ପ୍ରଦୀପ କୁମାର ମଲ୍ଲିକ, ଇଏମଟି ସ୍ମୃତି ସୌରଭ ସାହୁ ଏବଂ ସହାୟକ ଦୀପକ କୁମାର ଜେନା ଏକ ଷ୍ଟ୍ରେଚର ଧରି ରୋଗୀଙ୍କ ପାଖରେ ପହଂଚିଥିଲେ। ପ୍ରାୟ ୧ କିମି ରୋଗୀଙ୍କୁ ଷ୍ଟ୍ରେଚରରେ ବୋହି ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ। ଏହା ପରେ ସେଠାରୁ ରୋଗୀଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଆମ୍ବୁଲାନ୍ସ କର୍ମଚାରୀଙ୍କ ଏପରି କାର୍ଯ୍ୟ ପାଇଁ ରୋଗୀଙ୍କ ପରିବାର ଲୋକ ତଥା ଗ୍ରାମବାସୀ ସେମାନଙ୍କୁ ସାଧୁବାଦ ଜଣାଇଛନ୍ତି।



