ଭୁବନେଶ୍ଵର: ଓଡ଼ିଶାରେ କରୋନା ଭୂତାଣୁ ଚିନ୍ତା ବଢ଼ାଇଛି। ରାଜ୍ୟରେ ମଙ୍ଗଳବାର ୧୦୨ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ନିକଟତର ହୋଇଛି। ଏବେ ମୋଟ ୯୭୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ପ୍ରବାସୀ ଶ୍ରମିକ ରାଜ୍ୟକୁ ଫେରିବା ପରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ତେବେ ଆଗକୁ ଆହୁରି ଲକ୍ଷାଧିକ ପ୍ରବାସୀ ଆସିବାକୁ ଥିବାରୁ ଏହି ସଂଖ୍ୟାରେ ଆହୁରି ବୃଦ୍ଧି ଘଟିବା ଆଶଙ୍କା ଉପୁଜିଛି।
ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁସାରେ, ରାଜ୍ୟରେ ମଙ୍ଗଳବାର ଚିହ୍ନଟ ହୋଇଥିବା ୧୦୨ ଆକ୍ରାନ୍ତଙ୍କ ମଧ୍ୟରୁ ୯୭ ପଜିଟିଭ୍ କ୍ବାରେଣ୍ଟାଇନ ସେଣ୍ଟରରୁ ବାହାରିଛି। ଅନ୍ୟ ୫ ଜଣ ସ୍ଥାନୀୟ ଅଞ୍ଚଳରୁ ଠାବ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ଯାଜପୁରରୁ ୩୧, ଜଗତସିଂହପୁରରୁ ୨୩, ଭଦ୍ରକରୁ ୨୧, କେନ୍ଦ୍ରାପଡ଼ାରୁ ୮, କଟକରୁ ୪, ଖୋର୍ଦ୍ଧାରୁ ୪, ପୁରୀରୁ ୪, ଅନୁଗୋଳ, ବାଲେଶ୍ଵର ଓ ସମ୍ବଲପୁରରୁ ୨ ଜଣ ଲେଖାଏ ଏବଂ ନୟାଗଡ଼ରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେବେ ଗଞ୍ଜାମରୁ କୌଣସି ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି।



