ପାନ, ଗୁଟଖା, ଖଇନୀ, ବିଡ଼ି, ସିଗାରେଟ ବିକ୍ରି ଓ ବ୍ୟବହାର ବର୍ଷକ ପାଇଁ ବନ୍ଦ

୨୦୨୧ ମସିହା ପର୍ଯ୍ୟନ୍ତ ଝାଡ଼ଖଣ୍ଡରେ ବିକ୍ରି ହେବ ନାହିଁ ପାନ, ବିଡ଼ି, ସିଗାରେଟ, ଗୁଟଖା, ଖଇନି କି ଜର୍ଦା । ରାଜ୍ୟ ସରକାର ଏଥିନେଇ ନିର୍ଦେଶନାମା ଜାରି କରିଛନ୍ତି । ଏହି ନିର୍ଦେଶନାମା ୨୦୨୧ ଜୁଲାଇ ୨୭ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିଛି । ଝାଡ଼ଖଣ୍ଡ ସ୍ବାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ ପ୍ରମୁଖ  ସଚିବ ଡ଼ା. ନୀତିନ ମଦନ କୁଲକର୍ଣି ଏ ସମ୍ପର୍କରେ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।

ନିର୍ଦେଶନାମା ଅନୁସାରେ ଝାଡ଼ଖଣ୍ଡରେ ଗୁଟଖା ଓ ପାନମସଲା ବିକ୍ରି ହେବ ନାହିଁ । ସାର୍ବଜନୀନ ସ୍ଥାନରେ ସବୁପ୍ରକାର ତମାଖୁଜାତ ଉତ୍ପାଦ ବିଡ଼ି, ସିଗାରେଟ, ପାନମସଲା, ହୁକ୍କା, ଖଇନି, ଜର୍ଦା, ଗୁଟଖା ଓ ଇଲେକ୍ଟେ୍ରାନିକ ସିଗାରେଟ ଉପରେ କଟକଣା ଅବ୍ୟାହତ ରହିବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି । ଏହି ବିଜ୍ଞପ୍ତି ଅନୁସାରେ ଏହି ସାମଗ୍ରୀର ଉତ୍ପାଦନ, ବିକ୍ରି, ବିତରଣ ଓ ଗଚ୍ଛିତ ଉପରେ ପୁରା ପ୍ରତିବନ୍ଧକ ଲଗାଯାଇଛି ।

ପାନ, ଖୁଟଖା, ତମାଖୁ ଖାଇ ଏଣେତେଣେ ଛେପ ପକାଯାଉଥିବାରୁ କରୋନା ସଂକ୍ରମଣ ଅଧିକ ହେବାରେ ଲାଗିଛି । ଏହା ସହ ସ୍ବାସ୍ଥ୍ୟ ନିମନ୍ତେ ମଧ୍ୟ କ୍ଷତିକାରକ ସାବ୍ୟସ୍ତ ହୋଇଛି । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡ଼ା. ହର୍ଷବର୍ଧନ ପ୍ରଶଂସା କରିଛନ୍ତି । ଏକ ଚିଠି ଲେଖି ଡ଼ା. ହର୍ଷବର୍ଧନ ଏହି ପଦକ୍ଷେପକୁ ଅତ୍ୟନ୍ତ ପ୍ରଶଂସନୀୟ ବୋଲି କହିଛନ୍ତି ।

Comments are closed.