ନିକଟରେ କ୍ୟାବିନେଟର ନିଯୁକ୍ତି କମିଟି (ଏସିସି) ଦ୍ୱାରା ଜାରି ଏକ କାର୍ଯ୍ୟନିର୍ବାହୀ ଆଦେଶରେ, ଭାରତୀୟ ଜୀବନ ବୀମା ନିଗମ, ରାଷ୍ଟ୍ରାୟତ୍ତ ସାଧାରଣ ବୀମା (ପିଏସଜିଆଇ) କମ୍ପାନୀ ଏବଂ ଭାରତୀୟ ଷ୍ଟେଟ ବ୍ୟାଙ୍କ ସମେତ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକରେ ପୂର୍ଣ୍ଣକାଳୀନ ନିେର୍ଦଶକ, ପରିଚାଳନା ନିେର୍ଦଶକ, କାର୍ଯ୍ୟନିର୍ବାହୀ ନିେର୍ଦଶକ ଏବଂ ଅଧ୍ୟକ୍ଷଙ୍କ ନିଯୁକ୍ତି ପାଇଁ ସଂଶୋଧିତ ସମନ୍ୱିତ ନିର୍ଦ୍ଦେଶାବଳୀକୁ ଅନୁମୋଦନ କରାଯାଇଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଥିବା ଆର୍ଥିକ ସେବା ବିଭାଗ ଆନୁଷ୍ଠାନିକ ଭାବରେ ସମସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏବଂ ରାଷ୍ଟ୍ରାୟତ୍ତ ବୀମା ସଂସ୍ଥାକୁ ଏହି ସଂଶୋଧିତ ଆଦେଶନାମାଗୁଡ଼ିକୁ ପ୍ରସାରିତ କରିଛି। ଏଣୁ ପ୍ରମୁଖ ପ୍ରକ୍ରିୟାଗତ ପରିବର୍ତ୍ତନରେ, ଏହି ସବୁ ସଂସ୍ଥାରେ ଘରୋଇ ସଂସ୍ଥାର ପ୍ରାର୍ଥୀମାନଙ୍କୁ ମନୋନୟନ କରିବା ପାଇଁ ଆର୍ଥିକ ସେବା ପ୍ରତିଷ୍ଠାନ ବ୍ୟୁରୋକୁ ମାନବ ସମ୍ବଳ ସଂସ୍ଥାକୁ ନିୟୋଜିତ କରିବାକୁ ଅଧିକାର ଦିଆଯାଇଛି।
ଏହି ସିଦ୍ଧାନ୍ତର ସମର୍ଥକମାନେ ଯୁକ୍ତି କରନ୍ତି ଯେ ଏହି ସଂସ୍କାର ବୃତ୍ତିଗତତା, ଶାସନପ୍ରଣାଳୀ, ଉତ୍ତରଦାୟିତ୍ୱ, ନବସୃଜନ, ପ୍ରତିଯୋଗିତାକୁ ସୁଦୃଢ଼ କରିବା ସହିତ ରାଷ୍ଟ୍ରାୟତ୍ତ ବ୍ୟାଙ୍କିଂ ବ୍ୟବସ୍ଥା ଏବଂ ବୀମା ଶିଳ୍ପରେ ଡିଜିଟାଲ୍ ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବା ପାଇଁ ଉଦ୍ଦିଷ୍ଟ। ଏହି ସଂସ୍କାର ଭାରତର ଆର୍ଥିକ ପ୍ରତିଷ୍ଠାନଗୁଡ଼ିକରେ ନେତୃତ୍ୱ ଭୂମିକାରେ ସ୍ୱଚ୍ଛତା, ବିବିଧତା ଏବଂ ଯୋଗ୍ୟତା-ଭିତ୍ତିକ ଚୟନ ଆଣିବ। ଏହା ରାଷ୍ଟ୍ରାୟତ୍ତ ଶିଳ୍ପର କର୍ମଚାରୀ ଏବଂ ପ୍ରଗତିଶୀଳ ବୁଦ୍ଧିଜୀବୀଙ୍କ ମଧ୍ୟରେ ପ୍ରତିକ୍ରିୟା ସୃଷ୍ଟି କରିଛି। ବିଭିନ୍ନ ବିବୃତିରେ ରାଷ୍ଟ୍ରାୟତ୍ତ ବୀମା ଶିଳ୍ପର ଅଖିଳ ଭାରତୀୟ ବୀମା କର୍ମଚାରୀ ସଂଘ ଏବଂ ସମସ୍ତ ବ୍ୟାଙ୍କର ନଅଜଣ ପ୍ରମୁଖ ଅଧିକାରୀ ଏବଂ କର୍ମଚାରୀ ସଂଘର ପ୍ରତିନିଧିତ୍ୱ କରୁଥିବା ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ ଦୃଢ଼ ଆପତ୍ତି ପ୍ରକାଶ କରିଛନ୍ତି ଏବଂ ସରକାରଙ୍କ ନୂତନ ପଦକ୍ଷେପକୁ ତୀବ୍ର ବିରୋଧ କରିଛନ୍ତି। ସେମାନେ ଦାବି କରିଛନ୍ତି ଯେ ସରକାର ଏହି ବିବାଦୀୟ ନିେର୍ଦଶାବଳୀକୁ ସ୍ଥଗିତ ରଖିବା ସହିତ ଉପରୋକ୍ତ ନିଯୁକ୍ତି ଢାଞ୍ଚା ସମୀକ୍ଷା କରିବା ପାଇଁ ଏକ ମିଳିତ ଅଂଶୀଦାର କମିଟି ଗଠନ କରିବା ଉଚିତ ଏବଂ ସମ୍ପୂର୍ଣ୍ଣ ନୀତିକୁ ଅର୍ଥ ସମ୍ବନ୍ଧୀୟ ସଂସଦୀୟ ସ୍ଥାୟୀ କମିଟିକୁ ପଠାଇବା ଉଚିତ।
ଏହି ସଂସ୍ଥାଗୁଡ଼ିକ ସଂସଦରେ ପ୍ରଣୀତ ଆଇନ ଦ୍ୱାରା ପରିଚାଳିତ – ଏଲଆଇସି ଆଇନ ୧୯୫୬, ସାଧାରଣ ବୀମା ବ୍ୟବସାୟ (ଜାତୀୟକରଣ) ଆଇନ ୧୯୭୨, ବ୍ୟାଙ୍କିଂ କମ୍ପାନୀ (ଅଧିଗ୍ରହଣ ଏବଂ ହସ୍ତାନ୍ତରଣ) ଆଇନ, ୧୯୭୦, ବ୍ୟାଙ୍କିଂ କମ୍ପାନୀ (ଅଧିଗ୍ରହଣ ଏବଂ ହସ୍ତାନ୍ତରଣ) ଆଇନ, ୧୯୮୦ ଏବଂ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆଇନ ୧୯୫୫। ଏହି ଆଇନଗୁଡ଼ିକରେ ସେମାନଙ୍କର ପରିଚାଳନାର ପଦ୍ଧତ୍ତି, ଭୂମିକା ଏବଂ ନିଯୁକ୍ତି ପ୍ରକ୍ରିୟା ସ୍ପଷ୍ଟ ଭାବରେ ପରିଭାଷିତ ହୋଇଛି। ସଂସଦରେ ଉପରୋକ୍ତ ଆଇନରେ କୌଣସି ସଂଶୋଧନ ବିନା ନୂତନ ନିେର୍ଦଶାବଳୀ ଜାରି କରିବା ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଙ୍ଘନ, ପଦବୀ ବା ନେତୃତ୍ୱର ‘କାର୍ଯ୍ୟକାରୀ ଘରୋଇକରଣ’ ସହିତ ସମାନ। ଏହା ରାଷ୍ଟ୍ରାୟତ୍ତ ଶିଳ୍ପ ଉପରେ ଲୋକମାନଙ୍କର ଥିବା ବିଶ୍ୱାସକୁ ନଷ୍ଟ କରିବ। ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏବଂ ବୀମା କମ୍ପାନୀଗୁଡ଼ିକ ଅବହେଳିତ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଏବଂ ଜନସଂଖ୍ୟାକୁ ଆର୍ଥିକ ସେବା ଯୋଗାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହିତ ଭାରତର ଆର୍ଥିକ ପ୍ରଗତି ଏବଂ ସମୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ଏହି ଭୂମିକା ବାଧାପ୍ରାପ୍ତ ହେବ। ଘରୋଇ କ୍ଷେତ୍ରରୁ ପାର୍ଶ୍ବିକ ପ୍ରବେଶକୁ ଅନୁମତି ଦେବା ଦ୍ବାରା ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏବଂ ବୀମାରେ ଶିଳ୍ପରେ କ୍ୟାରିଅର-ଭିତ୍ତିକ ପଦୋନ୍ନତିରେ ବାଧା ଉପୁଜିବ। ଏହା ସରକାରୀ କ୍ଷେତ୍ରର କାର୍ଯ୍ୟନିର୍ବାହୀଙ୍କ କ୍ୟାରିଅରକୁ ପ୍ରଭାବିତ କରିବ, ସଂସ୍ଥାଗତ ଅଭ୍ୟାସକୁ ନଷ୍ଟ କରିବ ଏବଂ ସର୍ବସାଧାରଣଙ୍କ ପ୍ରତି ଥିବା ଦାୟିତ୍ୱ ସମ୍ପନ୍ନ କରିବାରେ ବାଧା ସୃଷ୍ଟି କରିବ।
ରାଷ୍ଟ୍ରାୟତ୍ତ ଶିଳ୍ପ ଏବଂ ଘରୋଇ କ୍ଷେତ୍ରର କାର୍ଯ୍ୟ ସଂସ୍କୃତି, ପରିଚାଳକ/ନିଯୁକ୍ତିଦାତା ଓ ଶ୍ରମିକ ସଂଗଠନ ମଧ୍ୟରେ ଥିବା ସମ୍ପର୍କରେ ଅନେକ ପ୍ରାର୍ଥକ୍ୟ ରହିଛି। ଶ୍ରମ ଆଇନର କାର୍ଯ୍ୟକାରିତା ମଧ୍ୟ ଭିନ୍ନ। ରାଷ୍ଟ୍ରାୟତ୍ତ ଶିଳ୍ପର ୟୁନିଅନଗୁଡ଼ିକ ଅଧିକ ଚାକିରି ସୁରକ୍ଷା, ଜୀବନର ମର୍ଯ୍ୟାଦା, ଅନୁକୂଳ କାର୍ଯ୍ୟ ପରିବେଶ ଏବଂ ଉପଯୁକ୍ତ ଦରମା ଦାବି କରନ୍ତି; କିନ୍ତୁ ଘରୋଇ କ୍ଷେତ୍ରରେ ଚାକିରିର କୌଣସି ସୁରକ୍ଷା ନଥିଲାବେଳେ ବିଭିନ୍ନ ଶ୍ରେଣୀର କର୍ମଚାରୀ ଓ ପଦାଧିକାରୀଙ୍କ ଦରମାରେ ଅହେତୁକ ପାର୍ଥକ୍ୟ ରହିଛି। ଘରୋଇ କ୍ଷେତ୍ରର ଉଚ୍ଚ ଅଧିକାରୀମାନେ ପ୍ରଭାବଶାଳୀ ହେଲେ, ସରକାରୀ କ୍ଷେତ୍ରର ଉଚ୍ଚ ଅଧିକାରୀମାନେ ଅଧିକ ସହନଶୀଳ। ରାଷ୍ଟ୍ରାୟତ୍ତ ସଂସ୍ଥା ସେବା ଉପରେ ଅଧିକ ଧ୍ୟାନ ଦେଲାବେଳେ, ଘରୋଇ କ୍ଷେତ୍ର ସର୍ବାଧିକ ଲାଭ ଅର୍ଜନ କରିବା ପାଇଁ ଲକ୍ଷ୍ୟ ରଖେ। ଘରୋଇ ନିେର୍ଦଶକମାନେ ସାଧାରଣତଃ ଲୋକ କଲ୍ୟାଣ ଅପେକ୍ଷା ବ୍ୟକ୍ତିଗତ ସ୍ୱାର୍ଥକୁ ପ୍ରାଥମିକତା ଦେଇଥାନ୍ତି ଏବଂ ଅନୁଷ୍ଠାନଗୁଡ଼ିକର ଶାସନ ପ୍ରଣାଳୀରେ ତ୍ରୁଟିପୂର୍ଣ ପରିବର୍ତ୍ତନ ଆଣିପାରନ୍ତି। ସମାଜର ଦୁର୍ବଳଶ୍ରେଣୀ ଓ ଗ୍ରାମୀଣ ଲୋକଙ୍କୁ ଅବହେଳା କରି ଲାଭଦାୟକ ସହରାଞ୍ଚଳ ଉପରେ ଧ୍ୟାନ ଦେଇପାରନ୍ତି। ଘରୋଇ କ୍ଷେତ୍ରରୁ ଆସୁଥିବା ଯେ କୌଣସି ବ୍ୟକ୍ତି ରାଷ୍ଟ୍ରାୟତ୍ତ ଶିଳ୍ପର ବ୍ୟବସ୍ଥା ସହିତ ତାଳଦେଇ ଚାଲିପାରିବେ ନାହିଁ, ଯାହା ଶିଳ୍ପରେ ଅଧିକ ଅଶାନ୍ତି ସୃଷ୍ଟି କରିବ। ଅତୀତରେ, ରାଷ୍ଟ୍ରାୟତ୍ତ ଶିଳ୍ପର ଆର୍ଥିକ ପ୍ରତିଷ୍ଠାନଗୁଡ଼ିକରେ ଭାରତୀୟ ପ୍ରଶାସନିକ ଅଧିକାରୀମାନଙ୍କୁ ଡେପୁଟେସନରେ ପଠାଯାଇଥିଲା, ଯେଉଁମାନେ ଠିକଭାବେ ପରିଚାଳନା କରିବାରେ ବିଫଳ ହୋଇଛନ୍ତି, କାରଣ ସେହି ସଂସ୍ଥା ପରିଚାଳନା କରିବାରେ ଅଭିଜ୍ଞତାର ଅଭାବ ଏବଂ ଆଭ୍ୟନ୍ତରୀଣ ବିରୋଧ ରହିଛି।
ପ୍ରକୃତରେ, ରାଷ୍ଟ୍ରାୟତ୍ତ ଶିଳ୍ପର ଆର୍ଥିକ ପ୍ରତିଷ୍ଠାନଗୁଡ଼ିକରେ ନେତୃତ୍ୱ ଭୂମିକାରେ କୌଣସି ସମସ୍ୟା ନାହିଁ। ଏହା ବ୍ୟତୀତ ଯେତେବେଳେ ଘରୋଇ ଆର୍ଥିକ କ୍ଷେତ୍ରଗୁଡ଼ିକ ଭୁଶୁଡ଼ି ପଡ଼ୁଛି, ସେମାନଙ୍କର କାର୍ଯ୍ୟନିର୍ବାହୀମାନେ ସରକାରୀ କ୍ଷେତ୍ରର କାର୍ଯ୍ୟନିର୍ବାହୀମାନଙ୍କ ତୁଳନାରେ କିପରି ଭଲ ନେତୃତ୍ୱ ପ୍ରଦାନ କରିପାରିବେ? କେତେକ ଯୁକ୍ତି କରନ୍ତି ଯେ ଘରୋଇ ବ୍ୟାଙ୍କଗୁଡ଼ିକ ଅଧିକ ଦକ୍ଷ; କିନ୍ତୁ ଅନେକ ଘରୋଇ ବ୍ୟାଙ୍କ ଭୁଶୁଡ଼ି ପଡ଼ିବାରୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଦ୍ୱାରା ଉଦ୍ଧାର କରାଯାଇଛି। ଜାତୀୟକରଣ ପୂର୍ବରୁ, ୧୯୬୮ପର୍ଯ୍ୟନ୍ତ, ୨୧୩୨ ଘରୋଇ ବ୍ୟାଙ୍କ ବନ୍ଦ ହୋଇଥିଲା ବା ମିଶ୍ରଣ କରାଯାଇଥିଲା। ଜାତୀୟକରଣ ପରେ ୧୯୬୯ ରୁ ୨୦୨୦ ପର୍ଯ୍ୟନ୍ତ, ୨୫ଟି ଘରୋଇ ବ୍ୟାଙ୍କ ବିଫଳ ହୋଇଛି ଯାହାକୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଦ୍ୱାରା ଉଦ୍ଧାର କିମ୍ବା ଅଧିଗ୍ରହଣ କରାଯାଇଛି। ଉଦାହରଣ ସ୍ୱରୂପ, ଗ୍ଲୋବାଲ୍ ଟ୍ରଷ୍ଟ ବ୍ୟାଙ୍କ ଲିମିଟେଡ୍ ୨୦୦୪ ମସିହାରେ ଓରିଏଣ୍ଟାଲ୍ ବ୍ୟାଙ୍କ ଅଫ୍ କମର୍ସ ଦ୍ୱାରା ଅଧିଗ୍ରହଣ କରାଯାଇଥିଲା, ଯେତେବେଳେ ୟୁନାଇଟେଡ୍ ୱେଷ୍ଟର୍ଣ୍ଣ ବ୍ୟାଙ୍କକୁ ଆଇଡିବିଆଇ ବ୍ୟାଙ୍କ ଏବଂ ଭାରତ ଓଭରସିଜ୍ ବ୍ୟାଙ୍କକୁ ୨୦୦୭ ମସିହାରେ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ଦ୍ୱାରା କ୍ରୟ କରାଯାଇଥିଲା। ସେହିପରି, ୨୦୨୦ ମସିହାରେ ୟେସ୍ ବ୍ୟାଙ୍କକୁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦ୍ୱାରା ବେଲ୍ ଆଉଟ୍ କରାଯାଇଥିଲା।
ପୁନଶ୍ଚ ଘରୋଇ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକର ପତନ ଯୋଗୁଁଁ ବିଶ୍ୱରେ ଅନେକ ଆର୍ଥିକ ସଙ୍କଟ ଦେଖାଦେଇଛି ଏବଂ ବିଶ୍ୱର ସରକାରଗୁଡ଼ିକ ସେହି ଭୁଶୁଡ଼ି ପଡ଼ିଥିବା ସଂସ୍ଥାଗୁଡ଼ିକୁ ଉଦ୍ଧାର କରିବା ପାଇଁ ଟ୍ରିଲିୟନ ଡଲାର ଖର୍ଚ୍ଚ କରିଛନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ୨୦୦୮ ମସିହାର ବିଶ୍ୱ ଆର୍ଥିକ ସଙ୍କଟ। ଉଭୟ ରାଷ୍ଟ୍ରାୟତ୍ତ ଏକ ଘରୋଇ ବ୍ୟାଙ୍କ ଓ ବୀମା ଶିଳ୍ପ ସମ୍ମୁଖରେ କିଛି ସାଧାରଣ ସମସ୍ୟା ଅଛି, ଯାହା ପଦ ପଦବୀ ବା ନେତୃତ୍ୱ ସହିତ ଜଡିତ ନୁହେଁ। ଜିଡିପି ଅନୁସାରେ ପାରିବାରିକ ସଞ୍ଚୟ, ବିଶେଷକରି ବିତ୍ତୀୟ ସଞ୍ଚୟ ପରିମାଣ ହ୍ରାସ ଏକ ପ୍ରମୁଖ ସମସ୍ୟା ଭାବରେ ଉଭା ହୋଇଛି। ବ୍ୟାଙ୍କ, ବୀମା ଆଦି ଆର୍ଥିକ ସଞ୍ଚୟର ଅଂଶ। ଅଧିକ ରିଟର୍ଣ୍ଣ ଏବଂ ମୁଦ୍ରାସ୍ଫୀତି ଜନିତ କ୍ଷତିକୁ ସମ୍ମୁଖୀନ ହେବାପାଇଁ ଲୋକମାନେ ରିଅଲ୍ ଇଷ୍ଟେଟ୍, ମ୍ୟୁଚୁଆଲ୍ ଫଣ୍ଡ, ସୁନାରେ ଅଧିକ ନିବେଶ କରୁଛନ୍ତି।
ବ୍ୟାଙ୍କ ଜମାର ସୁଧ ଓ ବୀମା ପଲିସିର ପରିପକ୍ୱତା ମୂଲ୍ୟ ଉପରେ ଟିକସ ପଡ଼ିବା ଓ ବୀମା ପ୍ରିମିୟମ୍ ଏବଂ ସ୍ଥାୟୀ ଜମା ପାଇଁ ନୂତନ ଟିକସ ବ୍ୟବସ୍ଥା ଅଧୀନରେ ଟିକସ ରିଆତି ନମିଳିବା, ଲୋକଙ୍କ କ୍ରୟ ଶକ୍ତିର ଅଭାବ ଆଦି ଉଭୟ ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କ ଓ ବୀମା ଶିଳ୍ପର ବିକାଶରେ ପ୍ରତିବନ୍ଧକ ସୃଷ୍ଟିକରିଛି। ବର୍ଦ୍ଧିତ ଅଚଳ ସମ୍ପଦ ଏବଂ ପରବର୍ତ୍ତୀ ବିପୁଳ ଋଣ ରାଇଟଅଫ୍ ସହିତ ବୃଦ୍ଧି ପାଉଥିବା ବ୍ୟାଙ୍କିଂ ଠକେଇ ଉଭୟ ରାଷ୍ଟ୍ରାୟତ୍ତ ଏବଂ ଘରୋଇ ବ୍ୟାଙ୍କକୁ ପ୍ରଭାବିତ କରିଛି। ତେଣୁ, ଭାରତର ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏବଂ ବୀମା ସଂସ୍ଥାଗୁଡ଼ିକର ବରିଷ୍ଠ ନେତୃତ୍ବ ପଦରେ ଘରୋଇ କ୍ଷେତ୍ରର ପଦାଧିକାରୀଙ୍କୁ ନିଯୁକ୍ତି ଦେଲେ କୌଣସି ସମସ୍ୟାର ସମାଧାନ କରିବ ନାହିଁ; ବରଂ ସ୍ବାର୍ଥର ଦ୍ବନ୍ଦ୍ବ ସୃଷ୍ଟି ହେବ। ଯେତେବେଳେ ରାଷ୍ଟ୍ରାୟତ୍ତ ଶିଳ୍ପରେ ଘରୋଇ ସଂସ୍ଥାର ପଦାଧିକାରୀ ନିଯୁକ୍ତି ପାଇବେ, ସେମାନେ ପୂର୍ବ ଘରୋଇ ସଂସ୍ଥା ପ୍ରତି ବେଶୀ ଆନୁଗତ୍ୟ ପ୍ରକାଶ କରିବା ସହିତ ଘରୋଇ ସଂସ୍ଥାର ଉନ୍ନତି ପାଇଁ ରାଷ୍ଟ୍ରାୟତ୍ତ ଶିଳ୍ପକୁ ଦୁର୍ବଳ କରିବା ପାଇଁ ଚେଷ୍ଟା କରିବେ ।
ସନ୍ତୋଷ କୁମାର ମହାପାତ୍ର
ଚାଉଳିଆଗଞ୍ଜ, କଟକ



