ମୌସୁମି ଅନୁମାନ
ମୌସୁମ ବିଜ୍ଞାନ ବିଭାଗ ବେଶ୍ ଭଲ କାମ କରୁଛି ବୋଲି ସରକାରଙ୍କ ଦାବି ସତ୍ତ୍ବେ ପରିବର୍ତ୍ତିତ ପରିସ୍ଥିତି ଓ ପରିବେଶରେ ଏହାର ପାଣିପାଗ ସଂକ୍ରାନ୍ତ ସୂଚନା ସଂପୂର୍ଣ୍ଣ ଭରସାଯୋଗ୍ୟ ପ୍ରମାଣିତ ହେଉନାହିଁ। ଏଥର ଦକ୍ଷିଣପଶ୍ଚିମ ମୌସୁମି ପ୍ରବାହ ଦେଶରେ ସ୍ବାଭାବିକ ଓ ସନ୍ତୋଷଜନକ ରହିବବୋଲି ଗତମାସରେ ଜଣେ ବରିଷ୍ଠ ସରକାରୀ ଅଧିକାରୀ ସୂଚାଇବା ସହ ଏଲ୍ନିନୋ ଆଶଙ୍କାକୁ ଖଣ୍ଡନ କରିଥିଲେ। ଏଲନିନୋ ଏକ ଉଷ୍ମ ସାମୁଦ୍ରିକ ସ୍ରୋତ ଯାହାର ଉପସ୍ଥିତି ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରବାହକୁ ପ୍ରଭାବିତ କରିଥାଏ। ପ୍ରଶାନ୍ତ ମହାସାଗରର ବିଷୁବ ରେଖା ଅଞ୍ଚଳରେ ମଝିରେମଝିରେ ଏହି ଉଷ୍ମ ସାମୁଦ୍ରିକ ସ୍ରୋତ ସୃଷ୍ଟି ହୋଇ ପେରୁ ଓ ଇକୁଏଡରର ଜଳବାୟୁକୁ ଡିସେମ୍ବର ମାସରେ ପ୍ରଭାବିତ କରେ। ଫଳରେ ବାୟୁ ପ୍ରବାହର ଧାରା ଓ ଦିଗ ବଦଳି ଅଷ୍ଟ୍ରେଲେସିଆରେ ମରୁଡ଼ି ଏବଂ ଦକ୍ଷିଣ ଆମେରିକାରେ ଅତି ବୃଷ୍ଟି ହୁଏ। ଆମେରିକା ଓ ୟୁରୋପୀୟ ରାଷ୍ଟ୍ରସମୂହଙ୍କ ମୌସୁମ ବିଜ୍ଞାନ ବିଭାଗ ଭାରତଠାରୁ ଅଧିକ ଦକ୍ଷ ଏବଂ ନିର୍ଭରଶୀଳ। ସେମାନଙ୍କ ଦ୍ବାରା ବ୍ୟବହୃତ ବିଜ୍ଞାନକୌଶଳ ଓ ମଡ଼େଲ (ପଦ୍ଧତି) ମଧ୍ୟ ଉନ୍ନତ। ଭାରତ ନିଜର ପାଣିପାଗ ଆକଳନ ବ୍ୟବସ୍ଥାକୁ ଅଧିକ ନିର୍ଭରଯୋଗ୍ୟ ଓ ସମୟ ଉପଯୋଗୀ କରିବାକୁ ଚେଷ୍ଟା ଅବଶ୍ୟ ଜାରି ରଖିଛି ଏବଂ ଏଥିପାଇଁ କେତେକ ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ସହ ସମ୍ପର୍କରେ ରହିଛି। ଗତ କେଇବର୍ଷ ଧରି ସରକାରୀ ମୌସୁମ ଆକଳନ ପ୍ରାୟ ଅନୁମାନ ମୁତାବକ ହୋଇଛି।
ଭାରତର କୃଷି ମୁଖ୍ୟତଃ ମୌସୁମୀ ବର୍ଷା ଉପରେ ଏବେ ମଧ୍ୟ ନିର୍ଭରଶୀଳ। ଦେଶର ୨.୬ ଟ୍ରିଲିୟନ ଡଲାର ବିଶିଷ୍ଟ ଅର୍ଥନୀତି ଭଲ ଋତୁୱାରୀ ବର୍ଷା ଉପରେ ବିଶେଷ ଗୁରୁତ୍ବ ରଖେ। ଏଭଳି ଅବସ୍ଥାରେ ଦେଶର ଏକମାତ୍ର ଘରୋଇ ପାଣିପାଗ ଆକଳନକାରୀ ସଂସ୍ଥା ସ୍କାଏମେଟ ଏଥର ମୌସୁମିର ଯେଉଁ ଆକଳନ କରିଛି ତାହା ନୈରାଶ୍ୟଜନକ। ନଏଡ଼ାସ୍ଥିତ ଏହି ସଂସ୍ଥାର ଆକଳନ ଅନୁସାରେ ଏଥର ଭାରତରେ ଦକ୍ଷିଣ-ପଶ୍ଚିମ ମୌସୁମିପ୍ରବାହ ଦୁର୍ବଳ ରହିବ ଏବଂ ସ୍ବାଭାବିକଠାରୁ କମ୍ ବର୍ଷା ହେବ। ସରକାରୀ ଓ ବେସରକାରୀ ଆକଳନ ମଧ୍ୟରେ ଅମେଳ ରହୁଥିବାରୁ ଉଭୟ ଚାଷୀ ଓ ସରକାର ଦ୍ବନ୍ଦ୍ବରେ ପଡ଼ିବା ସ୍ବାଭାବିକ; କାରଣ ବର୍ଷାର ଅନୁମାନ ଉପରେ ଦେଶର କୃଷିପଦ୍ଧତି ଓ ପ୍ରସ୍ତୁତି ନିର୍ଭର କରିଥାଏ। ତେବେ ପ୍ରଚଳିତ ବ୍ୟବସ୍ଥା ଅନୁସାରେ ମୌସୁମିର ଆକଳନ ତିନି ପର୍ଯ୍ୟାୟରେ ହୋଇଥାଏ ଏବଂ ଜୁନ୍ରେ ଅନ୍ତିମ ତଥ୍ୟ ଆସେ। ପ୍ରାଥମିକ ଆକଳନ ସେତେବେଳକୁ ହୁଏତ ବଦଳି ଯାଇପାରେ। ଏଥର ଏହି ଅନ୍ତିମ ପର୍ଯ୍ୟାୟର ଆକଳନରୁ ଯେଉଁ ତଥ୍ୟ ମିଳିବ ତା’ଉପରେ ଅନେକ କିଛି ନିର୍ଭର କରୁଛି।
ପାଣିପାଗର ଆଗୁଅା ସୂଚନା ଓ ତଥ୍ୟ ସଂଗ୍ରହ ସାଧାରଣ ପାଞ୍ଜିଗଣନା ଭଳି କାମ ନୁହେଁ। ଏହା ଏକାଧିକ ଭୌଗୋଳିକ ଓ ପ୍ରାକୃତିକ କାରଣ ତଥା ସ୍ଥିତିର ଏକ ସବିଶେଷ ଅନୁଧ୍ୟାନ ଓ ନିର୍ଯାସ ସଂଗ୍ରହ। ବିଶ୍ବର ତାପମାତ୍ରା ବୃଦ୍ଧି ଯୋଗୁଁ ସାରା ଦୁନିଆର ଜଳବାୟୁ ବଦଳିଛି ଏବଂ ଭାରତ ଉପରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହେଲାଣି। ଏଭଳି ସ୍ଥିତିରେ ପୁରୁଣାକାଳିଆ ସ୍ବାଭାବିକ ବର୍ଷା ଓ ଅନୁପାତ ହାର ଆଉ କୌଣସି ଖାସ୍ ମହତ୍ତ୍ବ ରଖୁନାହିଁ। ତେଣୁ ନୂଆ ବାସ୍ତବତା ସହିତ ନିଜକୁ ଖାପଖୁଆଇ ଆମକୁ ଆମ ଚାଷବାସ ପାଇଁ ପ୍ରସ୍ତୁୁତ ହେବାକୁ ପଡ଼ିବ। ଏଥିପାଇଁ ମଧ୍ୟ ମୌସୁମି ବୃଷ୍ଟିପାତର ସମ୍ଭାବ୍ୟ ସ୍ଥିତି ସମ୍ପର୍କରେ ଠିକ୍ ତଥ୍ୟ ଆଗୁଆ ଦରକାର। ଆଶା କରିବା ସରକାର ଏଥିପ୍ରତି ଯତ୍ନବାନ ହେବେ।
Comments are closed.