www.samajalive.in
Saturday, December 6, 2025
23.1 C
Bhubaneswar

ମିଶନ ୧୨୦;ବିଜେପି ଖେଳିବ ଜନଜାତି କାର୍ଡ

ଭୁବନେଶ୍ବର:ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ୧୨୦ ମିଶନକୁ ସାକାର କରିବାପାଇଁ ରାଜ୍ୟ ବିଜେପି ଏବେ ତା’ର ରଣକୌଶଳକୁ ତୀବ୍ର କରିଛି। କିଛିଦିନ ଧରି ଶିଥିଳ ପଡିଥିବା ବିଜେପି ସଙ୍ଗଠନ ଏବେ ନିର୍ବାଚନ ମୁହାଁ ହୋଇଛି। ଓଡ଼ିଶାକୁ ନିଜ ଅକ୍ତିଆରକୁ ନେବାପାଇଁ ଆସନ୍ତା ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତରେ ସୀମିତ ନରହି ମାସକ ପରେ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓଡ଼ିଶା ଗସ୍ତରେ ଆସିବା ଏକ ପ୍ରକାର ସ୍ଥିର ହୋଇଛି। ଏହାକୁ ନେଇ ବିଜେପିର ଛାମୁଆ ସଙ୍ଗଠନ ତୃଣମୂଳସ୍ତରରୁ ଚଳଚଞ୍ଚଳ ହୋଇ ଉଠିଛନ୍ତି। ତେବେ ୪୦ଦିନ ଭିତରେ ଓଡ଼ିଶାକୁ ପ୍ରଧାନମନ୍ତ୍ରୀଙ୍କ ଦୁଇ ଦୁଇଥର ଗସ୍ତକୁ କୁମାବିଲା କରିବା ନେଇ ବିଜେଡ଼ି ଓ କଂଗ୍ରେସ ମଧ୍ୟ ରଣକୌଶଳକୁ ଜୋରଦାର କରିବାରେ ଲାଗିଛନ୍ତି। କଂଗ୍ରେସ ଏଆଇସିସି ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କ ସହିତ ବହୁ ହେଭିୱେଟ ନେତାଙ୍କୁ ଆଣିବାପାଇଁ ଲକ୍ଷ୍ୟ ରଖିଥିବାବେଳେ ରାଜ୍ୟରେ ଶାସକ ବିଜେଡ଼ି ନବୀନଙ୍କ ଲୋକପ୍ରିୟତା ଓ ଲୋକାଭିମୁଖୀ ଯୋଜନାକୁ ପାଥେୟ କରି ଆଗକୁ ବଢ଼ିବାକୁ ନକ୍ସା ପ୍ରସ୍ତୁତ କରିଛି। ସରକାରଙ୍କ ବିଭିନ୍ନ ଯୋଜନାର ସଫଳତାକୁ ନେଇ ନେତାଠାରୁ କର୍ମୀଙ୍କ ପର୍ଯ୍ୟନ୍ତ ସମସ୍ତେ ତୃଣମୂଳସ୍ତରେ ଲୋକଙ୍କ ନିକଟରେ ପହଞ୍ଚାଇବାପାଇଁ ପ୍ରସ୍ତୁତ ହେଉଛନ୍ତି।
ଏହି ପରିପ୍ରେକ୍ଷୀରେ ଜାତୀୟ ଦଳ କଂଗ୍ରେସ ଓ ବିଜେପି ପାଇଁ ଏବେ ଓଡ଼ିଶା ଅକ୍ତିଆର କରିବା ଏକ ପ୍ରକାର ଆହ୍ବାନ ପାଲଟିଛି। ନିକଟରେ ଦେଶରେ ୫ଟି ରାଜ୍ୟର ନିର୍ବାଚନ ବେଳେ କଂଗ୍ରେସ ଚାଷୀମାନଙ୍କ ସ୍ବାର୍ଥକୁ ଗୁରୁତ୍ବ ଦେଇ କୃଷିଋଣ ଛାଡ କରିବା ନାରା ଦେବା ଯୋଗୁଁ ମଧ୍ୟପ୍ରଦେଶ ଓ ଛତିଶଗଡ଼ ଭଳି ବିଜେପି ଶାସନାଧୀନ ରାଜ୍ୟକୁ କବଳିତ କରିବାରେ ସକ୍ଷମ ହୋଇପାରିଛି। ଓଡ଼ିଶାରେ ଅନୁରୂପ ଭାବେ କୃଷିଋଣ ଛାଡ କରି କଂଗ୍ରେସକୁ କ୍ଷମତାସୀନ ଫେରିବା ପାଇଁ ଅଙ୍କ କଷୁଛି। ଚାଷୀ ଓ ଚାଷକୁ ପ୍ରାଧାନ୍ୟ ଦେଇ ଏବେଠାରୁ କୃଷିଋଣ ଛାଡ ଭଳି ବିଭିନ୍ନ ପ୍ରତିଶ୍ରୁତି ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଜିଲା ଗସ୍ତ କରୁଛନ୍ତି।
ମାତ୍ର ରାଜ୍ୟରେ ୧୯ବର୍ଷ ଧରି ଶାସନ ଗାଦିରେ ଥିବା ବିଜେଡ଼ି ଗୋଟିଏ ପରେ ଗୋଟିଏ ଜନହିତକର ଯୋଜନା କରି ରାଜ୍ୟବାସୀଙ୍କୁ ପଣତକାନିରେ ବାନ୍ଧି ରଖିଛି। ଏହି ବନ୍ଧନ କିଭଳି ଅତୁଟ ରହିବ ଏବଂ ଆଗାମୀ ସାଧାରଣ ନିର୍ବାଚନ ବୈତରଣୀ ପାର ହୋଇପାରିବ ସେଥିନେଇ ମହିଳା କାର୍ଡ ଖେଳିଛି। ସଂସଦ ଓ ବିଧାନସଭାରେ ମହିଳାମାନଙ୍କୁ ଅଧିକାର ଦେବା ଲକ୍ଷ୍ୟରେ ୩୩ପ୍ରତିଶତ ସଂରକ୍ଷଣ ଦେବା ଆଭିମୁଖ୍ୟ ନେଇ ଜାତୀୟସ୍ତରରୁ ନେତାଙ୍କୁ ଭେଟି ସମର୍ଥନ ଯୋଗାଡ କରୁଛି। ତେବେ ରାଜ୍ୟରେ କଂଗ୍ରେସ ଚାଷୀ ଓ ବିଜେଡ଼ି ମହିଳାଙ୍କୁ ନେଇ ରାଜନୀତି ମଇଦାନକୁ ଓହ୍ଲାଇଥିବାବେଳେ ବିଜେପି ଓଡ଼ିଶାରେ ଅନୁସୂଚିତ ଜାତି ଓ ଜନଜାତିଙ୍କୁ ନିଜ ସପକ୍ଷରେ ନେବାପାଇଁ ମହାସମାବେଶର ଆୟୋଜନରେ ଲାଗିଛି। ରାଜ୍ୟରେ ଥିବା ପ୍ରାୟ ୨୩ପ୍ରତିଶତ ଭୋଟ କିଭଳି ହାତେଇ ହେବ ସେଥିପାଇଁ ଦଳ ତତ୍ପରତାର ସହ ତୃଣମୂଳସ୍ତରରୁ କର୍ମୀ ଯୋଗାଡ କରୁଛି। ତେବେ ରାଜ୍ୟରେ ୯୪ ଲକ୍ଷ ଜନଜାତି ବର୍ଗର ରହିଛନ୍ତି। ଏହାବାଦ୍ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ବିଧାନସଭାରେ ୪୫ଟି ଆସନ ସଂରକ୍ଷଣ ରହିଛି। ସେହି ବର୍ଗର ଭୋଟରଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ ବିଜେପି ଖସଡ଼ା ପ୍ରସ୍ତୁତ କରିଛି। ନିର୍ବାଚନର ଅବ୍ୟବହିତ ପୂର୍ବରୁ ଦଳିତ ଓ ଆଦିବାସୀବର୍ଗଙ୍କ ମଧ୍ୟରେ ଏକ ନୂତନ ଜାଗରଣ ସୃଷ୍ଟି କରି ପରିବେଶକୁ ସରଗରମ କରିବା ଲକ୍ଷ୍ୟ ରଖିଛି। ଏଥିପାଇଁ ବିଜେପି ରାଜ୍ୟରେ ଜନଜାତି ମହାଧିବେଶନ ଆୟୋଜନ କରିବାକୁ ଯାଉଛି ବୋଲି ରାଜନୈତିକ ମହଲ ବିବେଚନା କରୁଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories