www.samajalive.in
Sunday, December 14, 2025
16.1 C
Bhubaneswar

ପ୍ରେମୀଯୁଗଳଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ସନ୍ଦେହ

ପିପିଲି: ପିପିଲି ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତ ଅଧୀନ ପାଇକପଡା ଗ୍ରାମ ନିକଟ କେନାଲବନ୍ଧ କଡ ବିଲ ମଝିରେ ଥିବା ଏକ ଆକାଶିଆ ଗଛରୁ ପୁଲିସ ଗୁରୁବାର ସକାଳେ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି । ପାରିପାର୍ଶ୍ବିକ ଅବସ୍ଥାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି । ମୃତକମାନେ ହେଲେ ଦୁର୍ଗାଦାଶପୁର ଗ୍ରାମର ଲବ ଓରଫ ଆବୁଆ ପୃଷ୍ଟି (୨୬) ଓ ରାଉତପଡା ଗ୍ରାମର ସୌଦାମିନୀ ବେହେରା (୨୪) ।
ସୂଚନା ଅନୁଯାୟୀ, ଲବ ଓ ସୌଦାମିନୀଙ୍କ ମଧ୍ୟରେ ଦୀର୍ଘଦିନ ଧରି ପ୍ରେମ ସଂପର୍କ ଥିବା ବେଳେ ସେମାନେ ରେଜିଷ୍ଟ୍ରି ମ୍ୟାରେଜ କରି ନିଜ ନିଜ ଘରେ ରହୁଥିଲେ । ଉଭୟଙ୍କ ପରିବାରର ସହମତିରେ ଆସନ୍ତା ଜାନୁଆରୀ ମାସରେ ସେମାନଙ୍କର ବୈଦିକ ରୀତିରେ ବିବାହ ହେବାକୁ ସ୍ଥିର ହୋଇଥିଲା । ତେବେ ଗୁରୁବାର ସକାଳେ ଉଭୟଙ୍କ ମୃତଦେହ ଗଛରେ ଝୁଲନ୍ତା ଅବସ୍ଥାରେ ଦେଖାଯିବା ପରେ ନା ନା କଳ୍ପନାଜଳ୍ପନା ପ୍ରକାଶ ପାଉଛି।

ଜଣେ ବ୍ୟକ୍ତିଙ୍କ ଜମିରେ ଲଗାଯାଇଥିବା ଏକ ଛୋଟ ଆକାଶିଆ ଗଛର ଏକ ସରୁ ଡାଳରେ ବେକରେ ରଶି ଲଗାଇ ଉଭୟେ ଝୁଲୁଥିବା ବେଳେ ଲବଙ୍କ ମୁଁହରେ ଏକ ଲୁଙ୍ଗି ଓ ସୌଦାମିନୀଙ୍କ ମୁଁହରେ ଓଢଣି ବନ୍ଧା ହୋଇଥିବା ଦେଖାଯାଇଛି। ଜମି କାଦୁଅପଙ୍କରେ ଭର୍ତ୍ତି ହୋଇଥିବା ବେଳେ ଉଭୟଙ୍କ ଦେହରେ କାଦୁଅର କୌଣସି ଚିହ୍ନ ନାହିଁ। ଉଭୟଙ୍କ ବେକରେ ବନ୍ଧା ହୋଇଥିବା ଦଉଡିର ଗଣ୍ଠି ବେକ ଉପରକୁ ରହିଛି। ଗଛର ଏକ ସରୁ ଡାଳରେ ଦଉଡିର ମଝିଅଂଶକୁ ବନ୍ଧା ଯାଇଥିବା ବେଳେ ଦଉଡିର ଦୁଇପାର୍ଶ୍ବ ଉଭୟଙ୍କ ବେକରେ ବନ୍ଧା ହୋଇଥିବା ପରିଲକ୍ଷିତ ହୋଇଛି । ଏକ ସରୁ ଆକାଶିଆ ଗଛରେ ଉଭୟେ ଚଢି ବେକରେ ଦଉଡି ବାନ୍ଧି ଆତ୍ମହତ୍ୟା କରିବା ଆଦୌ ସମ୍ଭବପର ନୁହେଁ ବୋଲି ସାଧାରଣରେ ଆଲୋଚନା ହେଉଛି।  ଉଭୟଙ୍କ ରଜେିଷ୍ଟ୍ରି ମ୍ୟାରେଜ ସରିଥିବା ଓ ପରିବାରର ସହମତିରେ ବୈଦିକ ଋୀତିରେ ବିବାହ ପାଇଁ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ସେମାନେ କାହିଁକି ଆତ୍ମହତ୍ୟା ପରି ପଦକ୍ଷେପ ନେଲେ ବୋଲି ପ୍ରଶ୍ନ ଉଠିଛି । ତେଣୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଉଭୟ ପରିବାର ଓ ଅଞ୍ଚଳବାସୀ ସନ୍ଦେହ କରୁଛନ୍ତି ।

- Advertisement -

ମୃତ ଲବ ଜଣେ ଟେଣ୍ଟହାଉସ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଗତକାଲି ସନ୍ଧ୍ୟାରେ ଅନ୍ୟ ଜଣେ ଶ୍ରମିକ ତାଙ୍କୁ କାମ କରିବାକୁ କହି ଡାକି ନେଇଥିବା ଲବଙ୍କ ସାନଭାଇ କୁଶ ପୃଷ୍ଟି ପୁଲିସକୁ ସୂଚନା ଦେଇଛନ୍ତି । ଏପରିକି ଲବଙ୍କୁ ମଙ୍ଗଳପୁର ବଜାରରେ ରାତି ୧୦ଟାରେ ବୁଲୁଥିବାର କେତେକ ଲୋକେ ଦେଖିଥିବା ସୂଚନା ଦେଇଛନ୍ତି । ସେହିପରି ମୃତା ସୌଦାମିନୀ ଗତକାଲି ସନ୍ଧ୍ୟାରେ ଟିଉସନ କରିବାକୁ ଘରୁ ବାହାରକୁ ଯାଇଥିବା ବେଳେ ରାତିରେ ଘରକୁ ଫେରି ନ ଥିବା ତାଙ୍କ ଭାଇ ସୂଚନା ଦେଇଛନ୍ତି । ଘଟଣାଟି ସଂପୂର୍ଣ୍ଣ ରହସ୍ୟମୟ ହୋଇରହିଛି।

ପିପିଲି ଆଇଆଇସି ଶରତ କୁମାର ସାହୁ ଓ ଏସ୍‍ଆଇ ବିଦ୍ୟାଧର ଭୋଳ ପ୍ରମୁଖ ସାଇଣ୍ଟିଫିକ୍‍ ଟିମ୍‍ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଘଟଣା ସ୍ଥଳରେ ପଡିଥିବା ଏକ ଜରି, କିଛି ଖାଦ୍ୟ ଭର୍ତ୍ତି ପଲିଥିନ, ଉଭୟଙ୍କ ଚପଲ ଆଦିକୁ ପୁଲିସ ଜବତ କରିଛି । ପ୍ରାଥମିକ ତଦନ୍ତରୁ ଏହାକୁ ଆତ୍ମହତ୍ୟା ବୋଲି ପୁଲିସ ଅନୁମାନ କରୁଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories