www.samajalive.in
Tuesday, December 9, 2025
16.1 C
Bhubaneswar

ପୁଟିନ୍‌- କିମ୍‌ ଭେଟ

କୋରିଆ ସଂକଟ ଜଟିଳ ନ’ହେଉ

ଭ୍ଲାଡିଭଷ୍ଟକଠାରେ ଗୁରୁବାର ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଓ ଉତ୍ତର କୋରିଆ ରାଷ୍ଟ୍ରପତି କିମ୍‌ ଜଙ୍ଗ ଉନ୍‌ଙ୍କ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଶିଖର ବୈଠକ ବିଭିନ୍ନ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ। ଦୁଇଦେଶ ଦ୍ବିପାକ୍ଷିକ ସମ୍ପର୍କକୁ ଅଧିକ ନିବିଡ଼ କରିବାସହ ଆମେରିକାର ପ୍ରଭାବକୁ କ୍ଷୁଣ୍ଣ କରିବାପାଇଁ ମିଳିତ ଉଦ୍ୟମ କରିବାକୁ ରାଜି ହୋଇଛନ୍ତି। କୋରିଆ ଉପଦ୍ବୀପରେ ଯେଉଁ ଆଣବିକୀକରଣ ପ୍ରୟାସ ଚାଲିଛି ତାହାକୁ ରୋକିବାକୁ ଆମେରିକାର ଟ୍ରମ୍ପ ପ୍ରଶାସନ ପ୍ରବଳ ଚାପ ପକାଉଛି। ଉତ୍ତରକୋରିଆ ଗୋଟିକ ପରେ ଗୋଟିଏ ଆଣବିକ ଅସ୍ତ୍ର ପରୀକ୍ଷା କରି ଉଭୟ ଆମେରିକା ଓ ତାହାର ମିତ୍ର ଦକ୍ଷିଣ କୋରିଆ ଏବଂ ଜାପାନର ନିରାପତ୍ତା ପାଇଁ ବିପଦ ସୃଷ୍ଟି କରିଛି। ତେଣୁ ଉତ୍ତର କୋରିଆକୁ ଏଥିରୁ ନିବୃତ୍ତ କରିବାପାଇଁ ଆମେରିକା ଧମକ ଓ ଚାପ ପ୍ରୟୋଗ ନୀତି ଆପଣେଇଛି। ଚୀନର ପ୍ରଚ୍ଛନ୍ନ ସହଯୋଗରେ ଉତ୍ତରକୋରିଆ ତା’ର ଆଣବିକ କାର୍ଯ୍ୟକ୍ରମ ଚଳାଇଥିଲେ ହେଁ ଆମେରିକାର ଚାପ ଏବଂ ନିଜସ୍ବ ସ୍ବାର୍ଥ ଦୃଷ୍ଟିରୁ ବେଜିଂ ସରକାର ଏବେ ଏ କ୍ଷେତ୍ର​ରେ ନିରବ ରହୁଛନ୍ତି। ଚୀନ ପ୍ରରୋଚନାରେ କିମ୍‌ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ ଦୁଇଦୁଇଥର ଆଲୋଚନା କରିଥିଲେ ହେଁ ବିଶ୍ବାସର ଅଭାବ ଯୋଗୁଁ ସମ୍ପର୍କ ସ୍ବାଭାବିକ ହେଉନାହିଁ କିମ୍ବା କିମ୍‌ ତାଙ୍କ ଆଣବିକ କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ ବନ୍ଦ କରିନାହାନ୍ତି।
ଏଭଳି ପରିସ୍ଥିତିରେ ଅସୁରକ୍ଷିତ କିମ୍‌ ରୁଷିଆର ସହଯୋଗ ଲୋଡ଼ିବା ସ୍ବାଭାବିକ। କିମ୍‌ ଏକଚ୍ଛତ୍ରବାଦୀ ଏବଂ ପୁଟିନ ଗଣତାନ୍ତ୍ରିକ ଏକଚ୍ଛତ୍ରବାଦୀ। ରୁଷ ରାଷ୍ଟ୍ରପତି ମଧ୍ୟ ପାରମ୍ପରିକ ଭାବେ ଆମେରିକାର ବିରୋଧୀ। ସେ ଏବେ କିମ୍‌ଙ୍କୁ ସମର୍ଥନ କରିବା ପଛରେ ରହିଛି ଆମେରିକାର ବିସ୍ତାରବାଦୀ ନୀତି ଓ ବିଶ୍ବର ବଡ଼ଭାଇପଣିଆ ଆଚରଣର ବିରୋଧ। ପୁଟିନ କହିଛନ୍ତି ଯେ ଉତ୍ତରକୋରିଆର ସାର୍ବଭୌମତ୍ବ ଓ ନିରାପତ୍ତା ସୁନିଶ୍ଚିତ ହେବା ଦରକାର। ଆମେରିକାର ଦାଦାଗିରି ନୁହେଁ, ଆନ୍ତର୍ଜାତିକ ଆଇନ ଓ ନୀତି ଆଧାରରେ ଏହା ହେବା ଉଚିତ। ଏହା ଭଲ କଥା; କିନ୍ତୁ ପୁଟିନଙ୍କ ମୁହଁରେ ଏହା ଶୋଭା ପାଉନାହିଁ। ସେ ତାଙ୍କ ପଡ଼ୋଶୀ ଦେଶ ଚେଚେନ୍ୟା, ୟୁକ୍ରେନ ଓ ଅନ୍ୟାନ୍ୟ ଦେଶରେ ଯେଉଁ ଦାଦାଗିରି କରୁଛନ୍ତି ସେ କଥା ଭୁଲିଯାଉଛନ୍ତି। ଆମେରିକାର ଦାଦାଗିରି ରୋକାଯିବା ଉଚିତ; କିନ୍ତୁ ସେଇ ନ୍ୟାୟରେ ଏକଛତ୍ରବାଦୀ ଓ ବିଶ୍ବଶାନ୍ତି ପାଇଁ ବିପଦ ସୃଷ୍ଟି କରୁଥିବା ନେତାମାନେ ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଏକାଠି ହୋଇ ରଣନୀତି ନିର୍ଦ୍ଧାରଣ କରିବା ଆହୁରି ବିପଜ୍ଜନକ। କିମ୍‌- ପୁଟିନ ଆଲୋଚନା ପଛରେ ଭିନ୍ନ ଏକ ଆଞ୍ଚଳିକ ଓ ଭୂ-ରାଜନୀତିକ ମତଲବ ରହଛି। ଆମେରିକା ବିରୋଧୀ ମେଣ୍ଟ କୋରିଆ ଓ ଦୂରପ୍ରାଚ୍ୟ ସଂକଟକୁ ନ’ବଢ଼ାଉ। ଏହି ଆଲୋଚନା କେବଳ ଆମେରିକା ସନ୍ଦେହକୁ ବଢ଼ାଇବ ନାହିଁ, କିମ୍‌ଙ୍କୁ ଟ୍ରମ୍ପ ଅଧିକ ସଂଦେହ ଚକ୍ଷୁରେ ଦେଖିବେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories