ଆଲେକଜାଣ୍ଡାରଙ୍କ ଭାରତ ଦର୍ଶନ

ରାମନାଥ ପାଣିଗ୍ରାହୀ

prayash

ଆଲେକ୍‌ଜାଣ୍ଡାରଙ୍କ ଭାରତ ଅଭିଯାନ ସମୟରେ ତାଙ୍କ ସହିତ ଓ ତାଙ୍କ ପଛରେ ଯେଉଁ ଗ୍ରୀକ୍‌ ଐତିହାସିକ ଓ ଅନୁଗାମୀମାନେ ଭାରତ ଆସିଥିଲେ ସେମାନେ ନାନା ଚିତ୍ତାକର୍ଷକ କାହାଣୀ ପୁଙ୍ଖାନୁପୁଙ୍ଖ ଭାବେ ଲିପିବଦ୍ଧ କରି ଯାଇଛନ୍ତି। ଏରିଆନ୍‌ ଡିଓଡରସ, ଫ୍ଲୁଟାର୍କ୍‌ ଏବଂ ଭୂଗୋଳବିତ୍‌ ଷ୍ଟ୍ରାବୋଙ୍କର ବିବରଣୀ ସବୁ ଅନୁବାଦ କରି ଡ. ଜେ.ଡବ୍ଲ୍ୟୁ ମ୍ୟାକ୍ରିଣ୍ଡଲ୍‌ ପ୍ରାଚୀନ ଭାରତ ଉପରେ ଆଲୋକପାତ କରି ଯାଇଛନ୍ତି। ଆଲେକ୍‌ଜାଣ୍ଡାରଙ୍କ ବିଫଳ ଅଭିଯାନର ସବୁଠାରୁ ଅଧିକ ପ୍ରଶଂସନୀୟ ଦିଗ ହେଲା ହିନ୍ଦୁଦର୍ଶନ, ଯୋଗୀ, ସାଧୁ ଓ ସନ୍ନ୍ୟାସୀଙ୍କ ପ୍ରତି ତାଙ୍କର ଗଭୀର ଆଗ୍ରହ। ମଝିରେମଝିରେ ସେ ସେମାନଙ୍କୁ ସାକ୍ଷାତ କରୁଥିଲେ ଏବଂ ଉତ୍ସୁକତାର ସହିତ ସେମାନଙ୍କ ସତ୍‌ସଙ୍ଗଲାଭର କାମନା କରୁଥିଲେ। ଏହି ପାଶ୍ଚାତ୍ୟ ଯୋଦ୍ଧା ଉତ୍ତର ଭାରତର ତକ୍ଷଶିଳାରେ ପହଞ୍ଚିବାର ଅଳ୍ପଦିନ ପରେ , ତକ୍ଷଶିଳାର ପ୍ରସିଦ୍ଧ ସନ୍ନ୍ୟାସୀ ଦାଣ୍ଡାମିସ୍‌ଙ୍କୁ ଆଣିବା ପାଇଁ ଗ୍ରୀକ୍‌ ଦାର୍ଶନିକ ଡାଓଜେନିସ୍‌ଙ୍କର ମତାବଲମ୍ବୀ ଜଣେ ଶିଷ୍ୟ ଓନ୍‌ସିକ୍ରିଟସ୍‌ଙ୍କୁ ପଠାଇ ଥିଲେ।
ଓନ୍‌ସିକ୍ରିଟସ୍‌, ଦାଣ୍ଡାମିସ୍‌ଙ୍କୁ ତାଙ୍କର ଅରଣ୍ୟ ଆଶ୍ରମରେ ଖୋଜି ବାହାର କରିବାପରେ ତାଙ୍କୁ ସମ୍ବୋଧନ କରି କହିଲେ, ହେ ବିପ୍ର ଗୁରୁ! ମୁଁ ଆପଣଙ୍କୁ ସମ୍ମାନ ଜଣାଉଛି। ଶକ୍ତିମାନ ଭଗବାନ ଜିଉସଙ୍କର ପୁତ୍ର ସମସ୍ତ ମନୁୁଷ୍ୟଙ୍କର ସ୍ବାମୀ ଆଲେକ୍‌ଜାଣ୍ଡାର, ତାଙ୍କ ନିକଟକୁ ଯିବାପାଇଁ ଆପଣଙ୍କୁ ଆଦେଶ ଦେଇଛନ୍ତି। ଆପଣ ଯଦି ତାଙ୍କର ଆଦେଶ ପାଳନ କରିବେ, ସେ ଆପଣଙ୍କୁ ବହୁ ମୂଲ୍ୟବାନ୍‌ ଉପହାର ଦେଇ ପୁରସ୍କୃତ କରିବେ, ଯଦି ଆପଣ ଆଦେଶ ପାଳନ କରିବାକୁ ଅସ୍ବୀକାର କରିବେ ସେ ଆପଣଙ୍କର ଶିର ଛେଦନ କରିବେ।
ଏହିଭଳି, ପ୍ରାୟ ବାଧ୍ୟତାମୂଳକ ନିମନ୍ତ୍ରଣ ଯୋଗୀ ଶାନ୍ତଭାବରେ ଗ୍ରହଣ କଲେ ଏବଂ ତାଙ୍କର ପତ୍ରଶଯ୍ୟାରୁ ନିଜର ମୁଣ୍ଡ ସୁଦ୍ଧା ଉଠାଇଲେ ନାହିଁ। ପ୍ରତ୍ୟୁତ୍ତରରେ ସେ କହିଲେ, ଆଲେକ୍‌ଜାଣ୍ଡାର ଯଦି ଜିଉସ୍‌ଙ୍କର ପୁତ୍ର, ମୁଁ ମଧ୍ୟ ଜିଉସଙ୍କ ପୁତ୍ର। ଆଲେକଜାଣ୍ଡାରଙ୍କ ଯାହା ସବୁ ଅଛି, ମୁଁ ସେଥିରୁ କିଛି ଚା​‌େ​‌ହଁନାହିଁ, କାରଣ ମୋର ଯାହା ଅଛି ମୁଁ ସେଥିରେ ସନ୍ତୁଷ୍ଟ।
‘ଯାଅ, ଆଲେକ୍‌ଜାଣ୍ଡାରଙ୍କୁ କହିବ ଯେ ରାଜାଧିରାଜ, ପରମପିତା ପରମେଶ୍ବର କୌଣସି ଉଦ୍ଧତ କାର୍ଯ୍ୟର କର୍ତ୍ତା ନୁହନ୍ତି। ସେ ​‌େହଉଛନ୍ତି ଆଲୋକ, ଶାନ୍ତି, ଜୀବନ, ଜଳ ମନୁଷ୍ୟ ଶରୀର ଏବଂ ଆଶାର ସୃଷ୍ଟି କର୍ତ୍ତା। ଯେତେବେଳେ ମୃତ୍ୟୁ ମନୁଷ୍ୟମାନଙ୍କୁ ମୁକ୍ତି ଦିଏ ସେତେବେଳେ ସେ ସେମାନଙ୍କୁ ଗ୍ରହଣ କରନ୍ତି। ତା’ପରେ, ସେମାନେ ଆଉ ମାରାତ୍ମକ ରୋଗର ଅଧୀନ ହୋଇ ରହନ୍ତି ନାହିଁ, ସେ ହତ୍ୟାକୁ ଘୃଣା କରନ୍ତି ଏବଂ କେବେ ହେଲେ ଯୁଦ୍ଧ ବିଗ୍ରହ ପାଇଁ ପ୍ରରୋଚନା ଦିଅନ୍ତି ନାହିଁ। ସେହି ଭଗବାନ ହିଁ ମୋର ଆରାଧ୍ୟ।
ଶାନ୍ତ ଭାବରେ ଯୋଗୀ ପୁଣି ତାଚ୍ଛଲ୍ୟ କରି କହିଲେ, ‘ଆଲେକ୍‌ଜାଣ୍ଡାର ଭଗବାନ ନୁହନ୍ତି। କାରଣ ନିଶ୍ଚିତ ଭାବରେ ସେ ମୃତ୍ୟୁ କବଳରେ ପଡ଼ିବେ। ଯେ ଅନ୍ତଃରାଜ୍ୟ‌େର ସିଂହାସନରେ ଏବେ ମଧ୍ୟ ଅଧିଷ୍ଠିତ ହୋଇ ପାରିନାହାନ୍ତି, ସେ ପୃଥିବୀର ସ୍ବାମୀ ହେବେ କିପରି? ଯଦି ବର୍ତ୍ତମାନର ରାଜ୍ୟ ସବୁ ଆଲେକଜାଣ୍ଡାରଙ୍କ ଅଭିଳାଷ ପୂରଣ କରିବାକୁ ଯଥେଷ୍ଟ ନୁହେଁ, ତେବେ ସେ ଗଙ୍ଗାନଦୀ ପାର ହୁଅନ୍ତୁ ସେଠାରେ ସେ ଏଭଳି ଗୋଟେ ଦେଶ ଦେଖିବେ, ଯେଉଁଠାରେ ତାଙ୍କର ସମସ୍ତ ଲୋକ ଜୀବନଧାରଣ କରି ରହିପାରିବେ।’
ଦାଣ୍ଡାମିସ୍ କହିଚାଲିଲେ, ‘ଯେଉଁ ସବୁ ଜିନିଷ ମୁଁ ଚାହେଁ ସେ ସବୁ ହେଲା ମୋର ଆଶ୍ରୟଦାତା ବୃକ୍ଷରାଜି, ଖାଦ୍ୟ ଦେଉଥିବା ଉଦ୍ଭିଦ ଜଗତ, ତୃଷା ନିବାରକ ଜଳ। ଉଦ୍‌ବିଗ୍ନତା ଏବଂ ଚିନ୍ତାର ସହିତ ସଂଗୃହୀତ ଧନ ସମ୍ପଦ, ସଂଗ୍ରହକାରୀ ପକ୍ଷରେ ବିନାଶର କାରଣ ହୋଇଥାଏ ଏବଂ ଆଣେ କେବଳ ଦୁଃଖ ଓ ଅଶାନ୍ତି।’
ମୋତେ ଦେଖ, ମୁଁ ଜଙ୍ଗଲରେ ପତ୍ର ଉପରେ ଶୁଏ। ଜଗିବାପାଇଁ ମୋ ପାଖ​‌କୌଣସି ବସ୍ତୁ ନଥିବାରୁ ମୁଁ ଶାନ୍ତିରେ ନିଘୋଡ଼ ନିଦରେ ଶୁଏ। ମୋ ପାଖରେ ଯଦି କୌଣସି ମୂଲ୍ୟବାନ ବସ୍ତୁ ଥାଆନ୍ତା, ଏହାର ଚିନ୍ତା ମୋ ଆଖିରୁ ନିଦ କାଢ଼ି ନିଅନ୍ତା ମା’ ଯେପରି ଛୋଟ ଶିଶୁକୁ ସ୍ତନ୍ୟ ଦେଇ ବଞ୍ଚାଏ, ସେହିପରି ଧରିତ୍ରୀ ମୋତେ ମୋର ସବୁ ଆବଶ୍ୟକ ଜିନିଷ ଯୋଗାଇ ଦିଅନ୍ତି। କୌଣସି ଭୌତିକ ଚିନ୍ତା ନଥିବାରୁ ମୁଁ ଯେଉଁଠାକୁ ଇଚ୍ଛା ସେଠାକୁ ଯାଏ। ଆଲେକ୍‌ଜାଣ୍ଡାର ଯଦି ମୋର ଶିରଛେଦନ କରିବେ, ତେବେ ମଧ୍ୟ ସେ ମୋର ଆତ୍ମାର ବିନାଶ କରିପାରିବେ ନାହିଁ। ଶିରଛେଦନ ପରେ ମୋର ମସ୍ତିଷ୍କ ନୀରବ ହୋଇଯିବ ଏବଂ ମୋର ଶରୀର ଏକଛିନ୍ନ ପରିଧାନ କରି ଯେଉଁ ମାଟିରୁ ତା’ର ମୌଳିକ ଉପାଦାନ ସବୁ ନିଆଯାଇଥିଲା, ସେହିମାଟି ଉପରେ ପଡ଼ିରହିବ। ତା’ପରେ ମୁଁ ଆତ୍ମା ହୋଇ ପରମେଶ୍ବରଙ୍କ ନିକଟକୁ ଉଠିଯିବି। ପରମେଶ୍ବର ଆମକୁ ରକ୍ତମାଂସର ଶରୀର ଦେଇ ଏହି ସଂସାରକୁ ପଠାଇଛନ୍ତି ପ୍ରମାଣ କରିବାକୁ ଯେ ଆମେ ତାଙ୍କର ବିଧିବିଧାନ ପାଳନକରି ପୃଥିବୀରେ ଜୀବନଯାପନ କରୁଛୁ କି ନାହିଁ। ଏଠାରୁ ବିଦାୟ ନେଲାବେଳେ ସେହି ପରମେଶ୍ବର ଆମଠାରୁ ଆମ ଜୀବନର ଏକ ହିସାବନିକାଶ ଚାହିଁବେ। ସେ ହେଉଛନ୍ତି ସମସ୍ତ ଅନ୍ୟାୟ କର୍ମର ବିଚାରପତି। ଯାଅ ଆଲେକ୍‌ଜାଣ୍ଡାରଙ୍କୁ ଏତିକି କୁହ। ଆପଣଙ୍କର ଯାହା ଅଛି, ଦାଣ୍ଡାମିସ୍‌ ସେ ସବୁ କିଛି ଚାହେଁ ନାହିଁ। ତେଣୁ ସେ ଆପଣଙ୍କ ପାଖକୁ ଆସିବ ନାହିଁ। ଆଉ ଆପଣ ଯଦି ଦାଣ୍ଡାମିସ୍‌ଠାରୁ କିଛି ଚାହାନ୍ତି ଆପଣ ତାଙ୍କ ପାଖକୁ ଯାଆନ୍ତୁ।’
ଓନ୍‌ସିକ୍ରିଟସ୍‌ ଏହି ବାର୍ତ୍ତାକୁ ଗଭୀର ମନଯୋଗ ସହକାରେ ଆଲେକଜାଣ୍ଡାର ଶୁଣିବା ପରେ ଦାଣ୍ଡାମିସ୍‌ଙ୍କୁ ଦେଖିବା ପାଇଁ ତାଙ୍କର ଇଚ୍ଛା ଆଗ ଅପେକ୍ଷା ଆହୁରି ପ୍ରବଳ ହେଲା। ଦାଣ୍ଡାମିସ୍‌ ବୃଦ୍ଧ ଏବଂ ଉଲଗ୍ନ। ତଥାପି ବହୁରାଷ୍ଟ୍ରର ବିଜେତା ଆଲେକ୍‌ଜାଣ୍ଡାର ଜାଣିଲେ ଯେ ତାଙ୍କ ସମ୍ମୁଖରେ ସେ ଜଣେ ପ୍ରତିଦ୍ବନ୍ଦ୍ବୀ ପାଇଛନ୍ତି ଯେ ତାଙ୍କଠାରୁ ଅଧିକ ଶକ୍ତିଶାଳୀ ଅଟନ୍ତି।
ପିପିଲି, ପୁରୀ

kalyan agarbati

Comments are closed.