www.samajalive.in
Friday, December 5, 2025
20.1 C
Bhubaneswar

ନୂଆ ଭାରତର ଆହ୍ବାନ:ଲୋକାଭିମୁଖୀ ନ୍ୟାୟ

ଅବଧୂତ ପରି ନିଃସଙ୍ଗ, ବହୁପାଠୀ ପ୍ରାଜ୍ଞ, ଭାଷା ସଂସ୍କୃତିପ୍ରିୟ, ନମ୍ର ତଥା କ୍ରାନ୍ତଦର୍ଶୀ ରାଜନୀତିଜ୍ଞ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଭାଷାରେ, ବାସ୍ତବିକ ଆମ ଭାରତବର୍ଷରେ ଯେଉଁ ନ୍ୟାୟ ଦିଆଯାଉଛି ତାହା ପ୍ରକୃତ ନ୍ୟାୟ ନୁହେଁ। କଥାଟା ଶତ ପ୍ରତିଶତ ସତ୍ୟ। ଆନୁଷ୍ଠାନିକ ଭାବରେ ମାମଲାଗୁଡ଼ିକର ଫଏସଲା କରାଯାଉଛି କେବଳ, ନିର୍ଦ୍ଦିଷ୍ଟ ସଂଖ୍ୟା ପୂରଣ କରିବା ଉଦ୍ଦେଶ୍ୟରେ। ସତ୍ୟ ଆଉ ନ୍ୟାୟ ଯୋଉଠି ରହୁଛି ରହୁ, ସେ ବିଷୟରେ ଆଦୌ ଚିନ୍ତା କରାଯାଉ ନାହିଁ। ଅନ୍ୟାୟ ହେଉଛି ଜାଣି ବି ପ୍ରତିକାର କରାଯାଉ ନାହିଁ। ସମତା ଆଉ ନ୍ୟାୟଠୁ ବହୁତ ଦୂରରେ ସାଧାରଣ ଲୋକ। ନ୍ୟାୟ ବ୍ୟବସ୍ଥାର ପରିବର୍ତ୍ତନ ପାଇଁ ଯେତେ ଚେଷ୍ଟା କରାଯିବା କଥା ହେଉ ନାହିଁ। ଅଧସ୍ତନ ଅଦାଲତରୁ ଉଚ୍ଚତମ ନ୍ୟାୟାଳୟ ଯାଏ ସମାନ ଅବସ୍ଥା। ସତ୍ୟାସତ୍ୟ ଅନୁସନ୍ଧାନ ସ୍ୱପ୍ନ ପ୍ରାୟ ରହିଯାଉଛି। ଏହା କ’ଣ ବ୍ୟତିକ୍ରମ ନୁହେଁ କି?
ସତରେ ଅଦାଲତ ବିରୁଦ୍ଧରେ ଏହା ଏକ ବଡ ଅଭିଯୋଗ। ବହୁତ ଦିନ ପୂର୍ବରୁ ଜଷ୍ଟିସ ଭରୁଚା କହିଥିଲେ, ତଳ ଅଦାଲତର ଶତକଡା ପଚିଶ ବିଚାରପତି ଦୁର୍ନୀତିଗ୍ରସ୍ତ। ଏବେ ତ ବରିଷ୍ଠ ଓକିଲ କେ କେ ମେନନ୍ ଅଧସ୍ତନ ଅଦାଲତର ଶତକଡା ନବେ ବିଚାରପତି ଦୁର୍ନୀତିଗ୍ରସ୍ତ ବୋଲି କହିଲେଣି! ନିଶ୍ଚୟ ତଥ୍ୟ ରଖିଥିବେ ବିଜ୍ଞ ଅଧିବକ୍ତା। ଉଚ୍ଚସ୍ତରରେ କ’ଣ ଥିବ କେଜାଣି! ଯାହା ବି ହେଉ, କୌଣସି ନା କୌଣସି ପ୍ରକାରେ ଦୁର୍ନୀତି ରହିଛି । ଏହା ବି ସତ୍ୟ ଯେ ବିଶ୍ୱାସ ହରାଉଛି ବିଚାର ବିଭାଗ। ନ୍ୟାୟ ମିଳୁ ନାହିଁ।
ଉଚ୍ଚତମ ନ୍ୟାୟାଳୟରୁ ଆରମ୍ଭ କରି ସବୁଠାରୁ ତଳ ଅଦାଲତ ଯାଏ ସମସ୍ତେ ଦେଖିବାକଥା ଯେ ଆଇନ ଅନୁସାରେ ସବୁ କାର୍ଯ୍ୟ ହେଉଛି କି ନାହିଁ। ନିଜସ୍ବ କ୍ଷମତା ବଳରେ ହେଉ ପଛେ ଆଇନ ପ୍ରଣୟନ ସଂସ୍ଥା ଦ୍ୱାରା ପ୍ରଣୀତ ଆଇନ ବିରୁଦ୍ଧରେ କେହି ବି ଯାଇ ପାରିବେ ନାହିଁ। ଯଦି ଯିବେ, ତାହା ବି ବେଆଇନ, ଦୁର୍ନୀତିର ଭିନ୍ନରୂପ। ଏମିତି ନ ହେଉଛି ନୁହେଁ। ଉଭୟ ପକ୍ଷଙ୍କୁ ନ ଶୁଣି, ସୁଯୋଗ ନ ଦେଇ ତାଙ୍କ ବିରୁଦ୍ଧରେ ଆଦେଶ ଦେବା ଅନ୍ୟାୟ। ଏମିତି ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ଗଣତାନ୍ତ୍ରିକ ଆଉ ନ୍ୟାଯ୍ୟ ଅଧିକାର। ଆମ ଶାସନ ପ୍ରଣାଳୀରେ ‘ଆମେ, ନାଗରିକଗଣ ସାର୍ବଭୌମ କ୍ଷମତାର ଅଧିକାରୀ। ଲୋକଙ୍କ ଟିକସ ଟଙ୍କା ଖାଉଥିବା ଅନ୍ୟ କେହି ମାଲିକ ହୋଇ ନ ପାରେ ସ୍ୱାଧୀନ ଭାରତବର୍ଷରେ। ଦେଖାଯାଉଛି ସାଧାରଣ ଲୋକଙ୍କୁ ଅଦାଲତ ଅବମାନନା ଭୟ ଦେଖାଇ ଅଦାଲତକୁ ଆସିବାକୁ ନିର୍ଦେଶ ଦିଆଯାଉଛି। ଅର୍ଥହୀନ, ଆୟହୀନ ଲୋକଟିଏ ଖର୍ଚ୍ଚ କରି ଆସି ନ ପାରିଲେ ଏକତରଫା ଆଦେଶ ଦେବାରେ ଅଦାଲତ କୁଣ୍ଠାବୋଧ କରୁ ନାହିଁ। ଏହା ଗର୍ବ ଆଉ ଅହମିକା ନିଶ୍ଚୟ। ଅଭିଯୋଗ ହେଉଛି କେବଳ ଧନୀଙ୍କ ପାଇଁ ନ୍ୟାୟାଳୟ କାର୍ଯ୍ୟରତ। ‘ଗରିବ ନ କରିବୁ ହରି, ଗରିବ ସଭିଙ୍କ ବଇରୀ।’
ଯୋଉ ଦିନ ଅତି ଗରିବ ଲୋକଟି ପାଖରେ ନ୍ୟାୟ ପହଞ୍ଚିବ, ଜଣା ପଡ଼ିବ ଜୟ ଜୟକାର ହେଲା ସତ୍ୟର ନ୍ୟାୟର ସମତାର। ଆକାଶ କୁସୁମ ସଦୃଶ ଏଇଟା ହେଲେ ବି ଦିନ ଆସିବ ସମସ୍ତେ ବୁଝିବେ ଆଉ ହତାଶାରେ କେହି ରହିବେ ନାହିଁ। ଉଚ୍ଚତମ ନ୍ୟାୟାଳୟରୁ ପ୍ରଥମେ ଏହା ଆରମ୍ଭ ହେବା ଉଚିତ୍। ବୃଥା ଆର୍ଥିକ କ୍ଷତି କରାଇ ନୂଆଦିଲ୍ଲୀ ନ ଡକାଇ ସମୟୋପଯୋଗୀ ଇ-ମେଲ ଫୋନ ବା ପରୋକ୍ଷ ଭାବରେ ପଞ୍ଚାୟତ ମାଧ୍ୟମରେ ଦୃଶ୍ୟ ଶ୍ରାବ୍ୟ ଆଭାସି ମାଧ୍ୟମରେ ପକ୍ଷଙ୍କ ସହିତ ଯୋଗାଯୋଗ କରି ନିରପେକ୍ଷ ତଦନ୍ତ ଫଳରେ ନ୍ୟାୟର ମର୍ଯ୍ୟାଦା ଅକ୍ଷୁଣ୍ଣ ରଖିବାକୁ ହେବ। ଆର୍ଥିକ ଅନଗ୍ରସର ଲୋକ କେମିତି ଯିବ ବା ଯାଇ ପାରିବ ଉଚ୍ଚ ବା ଉଚ୍ଚତମ ନ୍ୟାୟାଳୟ? ଓକିଲ ନିଯୁକ୍ତିକୁ ବାଧ୍ୟତାମୂଳକ କରାଯିବା ଆଦୌ ଉଚିତ ନୁହେଁ। ଜଣେ ବ୍ୟକ୍ତି କୋଉଠୁ ପାଇବ ଟଙ୍କା ଯେ ଓକିଲଙ୍କୁ ଦେବ, ଦେଇ ପାରିବ! ସୁଲଭ ଆଇନ ସେବା ବ୍ୟର୍ଥ ପ୍ରମାଣିତ ହୋଇଛି କେମିତି କେଜାଣି! ଅନୁସନ୍ଧାନ ସାପେକ୍ଷ। ଡାକ ଯୋଗେ/ ଇ-ମେଲ ଯୋଗେ ସମସ୍ତ ଦରଖାସ୍ତ ଗ୍ରହଣ କରାଯାଇ ବିହିତ ପଦକ୍ଷେପ ନେବା ହୁଅନ୍ତୁ ମାନ୍ୟବର ଅଦାଲତଗଣ। ପ୍ରକୃତ ଦୋଷୀକୁ ଚିହ୍ନଟ କରି ଦଣ୍ଡ ଦିଆଯାଉ। ଦେଖାଯାଉଛି, ଶୁଆ ଖାଉଛି ଧାନ, ଆଉ ବଗ ପଡୁଚି ବନ୍ଧନରେ। ସତର୍କ ଦୃଷ୍ଟି ରଖିବା ହୁଅନ୍ତୁ ମାନ୍ୟବର ଅଦାଲତ। ପ୍ରାୟତଃ ସତ୍ୟ କଠୋର କର୍କଶ ହୋଇଥାଏ, ତାହା ବୋଲି ସତ୍ୟକୁ ସମ୍ମାନ ଦେବା ଛାଡି ସତ୍ୟ କହୁଥିବା ନିର୍ଦୋଷଙ୍କୁ ଦଣ୍ଡିତ କଲେ ଘୋର ଅନ୍ୟାୟ ହେବ। ଏମିତି ନ କରିବା ବୃହତ୍ତର ସମାଜ ପାଇଁ ମଙ୍ଗଳକର ଅଟେ।
ଅଭିଯୋଗ ପାଇଲାମାତ୍ରେ କାଳବିଳମ୍ବ ନ କରି ତୁରନ୍ତ ପଦକ୍ଷେପ ନେବା ଉଚିତ୍। ବିଳମ୍ବିତ ନ୍ୟାୟ ବିଡ଼ମ୍ବିତ। ଅଦାଲତଙ୍କ ଦୃଷ୍ଟିକୋଣ ସ୍ପଷ୍ଟ ଓ ତୀକ୍ଷ୍‌ଣ ରହିବା ଉଚିତ୍। ଏହା ହିଁ ନୂତନ ଭାରତବର୍ଷର ଆହ୍ବାନ।

ଗଜାନନ ମିଶ୍ର
ଟିଟିଲାଗଡ଼, ବଲାଙ୍ଗିର

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories