www.samajalive.in
Saturday, December 6, 2025
26.1 C
Bhubaneswar

ଦାଗୀ ନେତାଙ୍କୁ ଦୂରେଇବା ଦାୟିତ୍ୱ ସଂସଦର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅପରାଧିକ ପୃଷ୍ଠଭୂମି ଥିବା ନେତାଙ୍କୁ ନିର୍ବାଚନରେ ଭାଗ ନେବାକୁ ଅନୁମତି ଦିଆଯିବ କି ନାହିଁ ସେହି ପ୍ରସଙ୍ଗରେ ଚାଲିଥିବା ତର୍କବିତର୍କରେ ଆଜି ସୁପ୍ରିମକୋର୍ଟ ତାଙ୍କ ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି। ଯେଉଁ ନେତାଙ୍କ ଅପରାଧିକ ପୃଷ୍ଠଭୂମି ରହିଛି ସେମାନଙ୍କୁ ଦୂରେଇ ରଖିବାର ସମୟ ଏବେ ସଂସଦ ପାଇଁ ଆସିଯାଇଛି ବୋଲି ମଙ୍ଗଳବାର ସୁପ୍ରିମକୋର୍ଟ କହିଛନ୍ତି। ଏଥିଲାଗି ଆଇନ ପ୍ରଣୟନ କରିବାର ଦାୟିତ୍ୱ ସଂସଦ ଉପରେ ଛାଡ଼ିଛନ୍ତି ସୁପ୍ରିମକୋର୍ଟ।
ଏ ସମ୍ପର୍କିତ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ କହିଛନ୍ତି ଯେ ଯେଉଁ ନେତାଙ୍କ ନାମରେ ଅପରାଧିକ ମାମଲା ରହିଛି ସେମାନଙ୍କୁ ନିର୍ବାଚନ ପାଇଁ ଅଯୋଗ୍ୟ ଘୋଷଣା କରିବାର ଅଧିକାର ସୁପ୍ରିମକୋର୍ଟଙ୍କ ନାହିଁ। ଉପଯୁକ୍ତ ଆଇନ ପ୍ରଣୟନ କରି ସଂସଦ ଏ ଦିଗରେ ବିହିତ ପଦକ୍ଷେପ ନେଇପାରିବେ। ପୂର୍ବରୁ ଏ ସମ୍ପର୍କିତ ମାମଲାର ବିଚାର କରି ସୁପ୍ରିମକୋର୍ଟ କହିଥିଲେ ଯେ ଯେଉଁ ନେତାଙ୍କ ନାମରେ କୌଣସି ଅପରାଧିକ ମାମଲା ରହିଛି ସେମାନଙ୍କୁ ଟିକେଟ୍‍ ନ ଦେବା ପାଇଁ ସମ୍ପୃକ୍ତ ଦଳ ମୁଖ୍ୟମାନଙ୍କୁ ନିର୍ବାଚନ କମିଶନ ନିର୍ଦେଶ ଦେଇପାରିବେ।
ମଙ୍ଗଳବାର ଚୂଡ଼ାନ୍ତ ରାୟରେ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ କେବଳ ଚାର୍ଜସିଟ୍‍ ଆଧାରରେ ଜଣେ ବ୍ୟକ୍ତିଙ୍କୁ ନିର୍ବାଚନ ପ୍ରକ୍ରିୟାରୁ ବଞ୍ଚିତ କରାଯାଇପାରିବ ନାହିଁ। ଜନପ୍ରତିନିଧି ଆଇନ୍‍ ଅନୁଯାୟୀ ଜଣେ ବ୍ୟକ୍ତି କୌଣସି ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ହିଁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ। ସୁପ୍ରିମକୋର୍ଟ ଏହି ନିୟମକୁ ସମ୍ମାନ ଜଣାଇବା ସହିତ ଅପରିବର୍ତ୍ତିତ ରଖିଛନ୍ତି।
ଏଥିସହିତ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ରାୟରେ କହିଛନ୍ତି ଯେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନେ ସେମାନଙ୍କ ଅପରାଧ ସମ୍ପର୍କିତ ବିବରଣୀ ସତ୍ୟପାଠରେ ବିସ୍ତୃତ ଭାବେ ଉଲ୍ଲେଖ କରିବା ଆବଶ୍ୟକ। ସତ୍ୟପାଠରେ ଯାହା ସବୁ ଲେଖା ରହିଛି ସେସବୁକୁ ସମ୍ପୃକ୍ତ ପ୍ରାର୍ଥୀମାନେ ଗଣମାଧ୍ୟମରେ ପ୍ରକାଶ କରିବେ। ଏଥିସହିତ ଦଳୀୟ ପ୍ରାର୍ଥୀମାନଙ୍କର ଅପରାଧିକ ପୃଷ୍ଠଭୂମି ସମ୍ପର୍କିତ ସବିଶେଷ ତଥ୍ୟ ଦଳର ୱେବ୍‍ସାଇଟ୍‍ରେ ଉଲ୍ଲେଖ ରହିବା ବାଧ୍ୟତାମୂଳକ।
ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପକୁ ପୂର୍ବରୁ କେନ୍ଦ୍ର ସରକାର ନାପସନ୍ଦ କରିଥିଲେ। ଜନପ୍ରତିନିଧି ଆଇନ୍‍ରେ ଦାଗୀ ନେତାଙ୍କ ଲକ୍ଷ୍ମଣରେଖା ବିଷୟରେ ଉଲ୍ଳେଖ ରହିଥିବାରୁ ସୁପ୍ରିମକୋର୍ଟଙ୍କ ଏଦିଗରେ ନୂଆ ଆଇନ୍‍ ପ୍ରଣୟନ ପାଇଁ ନିର୍ଦେଶ ଦେବା ଅନୁଚିତ ଏବଂ ଦୋଷୀ ସାବ୍ୟସ୍ତ ନହେବା ଯାଏ ଯଦି କୌଣସି ବ୍ୟକ୍ତିଙ୍କୁ ନିର୍ବାଚନରୁ ଦୂରେଇ ରଖାଯାଏ ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କ ଭୋଟ ଅଧିକାର କ୍ଷୁର୍ଣ୍ଣ ହେବ ବୋଲି ପୂର୍ବ ଶୁଣାଣି ଅବସରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା।

୩୬% ନେତାଙ୍କ ନାମରେ ମାମଲା
ସୁପ୍ରିମକୋର୍ଟରେ ସରକାର ଦାଖଲ କରିଥିବା ସତ୍ୟପାଠ ଅନୁଯାୟୀ, ଦେଶର ସଂସଦ, ସମସ୍ତ ବିଧାନ ସଭା ଓ ବିଧାନ ପରିଷଦର ମୋଟ ୪,୮୯୬ ଜଣ ଜଣ ସାଂସଦ ଓ ବିଧାୟକଙ୍କ ମଧ୍ୟରୁ ୩୬% ଅର୍ଥାତ୍‍ ୧,୭୬୫ ଜଣ ସାଂସଦ ଓ ବିଧାୟକଙ୍କ ନାମରେ ୩,୦୪୫ ଅପରାଧିକ ମାମଲା ଚାଲିଛି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories