କୋରିଅରରେ ପୁଞ୍ଜିଲାଲଙ୍କ ମୃତ୍ୟୁ ଉପହାର ପାର୍ସଲ; ଇସ୍ରାଏଲ୍ ପଠାଯିବ ସିସିଟିଭି ଫୁଟେଜ୍
ଭୁବନେଶ୍ୱର: ପାଟଣାଗଡ ବ୍ରହ୍ମପୁରା ଛକ ପାର୍ସଲ ବୋମା ବିସ୍ଫୋରଣ ଭଳି ଏକ ରହସ୍ୟମୟ ଘଟଣାର ସତ୍ୟାସତ୍ୟ ପ୍ରକାଶ କରିଥିବା କ୍ରାଇମ୍ବ୍ରାଞ୍ଚ ହେପାଜତରେ ଥିବା ଏକମାତ୍ର ଅଭିଯୁକ୍ତ ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହରଙ୍କୁ ଜେରା ବେଳେ କ୍ରାଇମ୍ବ୍ରାଞ୍ଚ ପାଇଥିବା ତଥ୍ୟକୁ ନେଇ ବିଜ୍ଞାନଭିତ୍ତିକ ତଥ୍ୟ ଓ ପ୍ରମାଣ ଯୋଗାଡ଼ ହେବାରେ ଲାଗିଛି। ଏହି ମାମଲା କ୍ରାଇମ୍ବ୍ରାଞ୍ଚ ପାଇଁ ଏକ ଆହ୍ବାନ ଥିଲା। ସେହିପରି ଅଭିଯୁକ୍ତକୁ କୋର୍ଟରେ ଦୋଷୀସାବ୍ୟସ୍ତ କରିବା କ୍ରାଇମ୍ବ୍ରାଞ୍ଚର ତଦନ୍ତକାରୀ ଟିମ୍ ପାଇଁ ସବୁଠାରୁ ବଡ଼ ଚାଲେଞ୍ଜ ହୋଇଛି ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ପୁଞ୍ଜିଲାଲଙ୍କୁ ଦୋଷୀ ବୋଲି ପ୍ରମାଣ କରିବାକୁ ହେଲେ ପୁଲିସକୁ ତାଙ୍କ ବିରୋଧରେ ବିଜ୍ଞାନଭିତ୍ତିକ ତଥ୍ୟ ଯୋଗାଡ କରିବାକୁ ହେବ। ଯେଉଁ ଚିଠିରୁ ପୁଞ୍ଜିଲାଲ୍ ହିଁ ଅଭିଯୁକ୍ତ ବୋଲି ଜଣାପଡିଥିଲା, ଉକ୍ତ ଚିଠିରେ ପୁଞ୍ଜିଲାଲଙ୍କର ଅଙ୍ଗୁଳିର ଛାପ ରହିଛି କି ନାହିଁ ସେଥିପାଇଁ ଗାନ୍ଧିନଗରସ୍ଥିତ କେନ୍ଦ୍ରୀୟ ଲାବୋରେଟୋରିକୁ ପଠାଯିବ। ଯାହାକୁ ନିନ୍ହାଇଡ୍ରିନ୍ ପରୀକ୍ଷା କରାଯାଏ ବୋଲି କୁହାଯାଏ।
ସେହିପରି ପୁଞ୍ଜିଲାଲ୍ ଯେଉଁ ଲାପ୍ଟପ୍ରେ ଏହି ଚିଠିକୁ ନିଜେ ଟାଇପ୍ କରିଥିଲେ ତାକୁ ଡିଲିଟ୍ କରି ଦେଇଥିଲେ। କେବଳ ଲାପ୍ଟପ୍ରୁ ନୁହେଁ; ତାକୁ ସେ ଯେଉଁ ପେନ୍ଡ୍ରାଇଭ୍ରେ ନେଇ ଅନ୍ୟ ଏକ କମ୍ପ୍ୟୁଟରରେ ପ୍ରିଣ୍ଟ ବାହାର କରିଥିଲେ ତାକୁ ସେ ମଧ୍ୟ ଡିଲିଟ୍ କରି ଦେଇଥିଲେ। ପୁଞ୍ଜିଲାଲ୍ଙ୍କ ସ୍ୱୀକାର ପରେ ପାଟଣାଗଡ଼ର ଉକ୍ତ କମ୍ପ୍ୟୁଟରର ପ୍ରିଣ୍ଟରକୁ କ୍ରାଇମ୍ବ୍ରାଞ୍ଚ ଜବତ କରିଛି। ଜବତ ପ୍ରିଣ୍ଟର, ପେନ୍ ଡ୍ରାଇଭ୍ ଓ ପୁଞ୍ଜିଲାଲାଙ୍କ ଲାପଟ୍ପ୍ରୁ ଉକ୍ତ ଚିଠିକୁ ପୁନରୁଦ୍ଧାର କରାଯିବା ଲାଗି କ୍ରାଇମ୍ବ୍ରାଞ୍ଚ କଲକାତା ଫୋରେନ୍ସିକ୍ ଲାବୋରେଟୋରିକୁ ପଠାଇବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପାର୍ସଲ ବୋମାକୁ କୋରିଅର୍ରେ ପଠାଇବା ଲାଗି ରାୟପୁରକୁ ପୁଞ୍ଜିଲାଲ୍ ଫେବୃଆରୀ ୨୦ ତାରିଖରେ ଯାଇଥିଲେ। ସେ ସେଠାରୁ ସ୍କାଏ କିଙ୍ଗ କୋରିଅର୍ରୁ ଏହି ପାର୍ସଲ ପଠାଇଥିଲେ। ତେବେ ଏହାପୂର୍ବରୁ ସେ ରାୟପୁରସ୍ଥିତ ଡିଟିଡିସି କୋରିଅର୍କୁ ଯାଇଥିଲେ। ଜଣେ ରିକ୍ସାଚାଳକକୁ ପାର୍ସଲଟିକୁ ପଠାଇବାକୁ ଦେଇଥିଲେ। ପାର୍ସଲ ସମ୍ପର୍କରେ କୋରିଅର୍ ପକ୍ଷରୁ ଖୋଳତାଡ କରାଯିବାରୁ ପୁଞ୍ଜିଲାଲ୍ ଭିତରକୁ ଯାଇଥିଲେ ଏବଂ ସେଠାରୁ ପାର୍ସଲ ଫେରାଇ ଆଣିଥିଲେ। ଡିଟିଡିସି କୋରିଅର୍ରେ ସିସିଟିଭି ଲାଗିଛି। ପୁଞ୍ଜିଲାଲ୍ଙ୍କ ସିସିଟିଭି ଫୁଟେଜ୍ ସେଠାରୁ ମିଳିବା ନେଇ କ୍ରାଇମ୍ବ୍ରାଞ୍ଚ ଆନ୍ତର୍ଜାତିକ ସ୍ତରର ସଂସ୍ଥା ଉପରେ ନିର୍ଭର କରିବାକୁ ଯାଉଥିବା ଜଣାପଡିଛି। କୋରିଅର୍ରେ ୧୫ ଦିନର ଫୁଟେଜ୍ ଗଚ୍ଛିତ ରହିଥାଏ। ତେବେ ୪୫ ଦିନ ତଳର ସିସିଟିଭି ରେକର୍ଡିଂ ପାଇଁ କ୍ରାଇମ୍ବ୍ରାଞ୍ଚ ହାର୍ଡଡିସ୍କକୁ ଇସ୍ରାଏଲ୍ର ଏକ ସଂସ୍ଥା ସହିତ ଯୋଗାଯୋଗ କରିଛି। ଉକ୍ତ ସଂସ୍ଥା ନିକଟକୁ ହାର୍ଡଡିସ୍କ ପଠାଯିବ ବୋଲି ସେ ସୂଚନା ଦେଇଛନ୍ତି। ସେହିପରି ଯେଉଁ ଲଫାପାରେ ଚିଠି ଆସିଥିଲା ତାକୁ ବନ୍ଦ କରିବା ବେଳେ ଅଠା ବ୍ୟବହାର କରାଯାଇଥିଲା କି ସେ ତାଙ୍କ ଲାଳକୁ ବ୍ୟବହାର କରିଥିଲେ ସେନେଇ ମଧ୍ୟ କ୍ରାଇମ୍ବ୍ରାଞ୍ଚ ଯାଞ୍ଚଚଳାଇଛି। ଲଫାପାର ଡିଏନ୍ଏ ପରୀକ୍ଷା କରାଯାଇପାରେ ବୋଲି ସେ ସୂଚନା ଦେଇଛନ୍ତି।