କାଠୁଆ ପୀଡ଼ିତାଙ୍କ ପରିଚୟ ସାର୍ବଜନୀନ କରିଥିବା ଗଣମାଧ୍ୟମ ସଂସ୍ଥା ଉପରେ ୧୦ଲକ୍ଷ ଟଙ୍କା ଜରିମାନା
ନୂଆଦିଲ୍ଲୀ: ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ କାଠୁଆ ପୀଡ଼ିତାଙ୍କ ପରିଚୟ ସର୍ବସାଧାରଣ କରିଥିବା ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଉପରେ ଆର୍ଥିକ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। କୋର୍ଟ ପକ୍ଷରୁ ଏଥିରେ ସମ୍ପୃକ୍ତ ଗଣମାଧ୍ୟମ ସଂସ୍ଥାନକୁ ନୋଟିସ ଜାରି କରିବା ସହ ପ୍ରତି ସଂସ୍ଥାନକୁ ୧୦ଲକ୍ଷ ଟଙ୍କା ଅର୍ଥିକ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ଅର୍ଥ ପୀଡ଼ିତାଙ୍କ କ୍ଷତିପୂରଣ ଦେବା ପାଇଁ ଉଦ୍ଦିଷ୍ଟ ଆକାଉଣ୍ଟରେ ଜମା କରାଯିବ। ଏହା ବ୍ୟତୀତ ଯେଉଁ ବ୍ୟକ୍ତି ଏଭଳି ଘଟଣାରେ ପୀଡ଼ିତାଙ୍କ ପରିଚୟ ସାର୍ବଜନୀନ କରିବ ତାଙ୍କୁ ୬ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯିବାର ରାୟ ପ୍ରକାଶ ପାଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୫ରେ ହେବ। କାଠୁଆ ଗଣବଳାତ୍କାର ମାମଲାରେ ପୀଡ଼ିତାଙ୍କ ପରିଚୟ ପ୍ରକାଶକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ସ୍ୱାଧୀନତାର ୭୦ବର୍ଷ ପରେ ଜଣେ ବଳାତ୍କାର ପୀଡ଼ିତାଙ୍କ ପରିଚୟ ସର୍ବସାଧାରଣ ହେବା ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ପ୍ରକାଶ କରିଛନ୍ତି।