ଈଶ୍ବରୋପଲବ୍ଧିର ମାର୍ଗ

0

ଜାପାନୀ ଧର୍ମ ସାହିତ୍ୟରେ ଈଶ୍ବରୋପଲବ୍ଧିର ମାର୍ଗ ସମ୍ବନ୍ଧରେ ଏକ ରୋଚକ ପ୍ରସଙ୍ଗ ଅଛି। ନାନହେନ ନାମକ ଜଣେ ଜ୍ଞାନୀ, ତପସ୍ବୀ ଥିଲେ। ତାଙ୍କର ଅସାଧାରଣ ପ୍ରତିଭା, ବିଦ୍‌ବତ୍ତା ସମ୍ପର୍କରେ ସର୍ବତ୍ର ଆଲୋଚନା ହେଉଥାଏ।
ଏକଦା ଜଣେ ବ୍ୟକ୍ତି ତପସ୍ବୀଙ୍କ ନିକଟକୁ ଆସି କହିଲା ମହାଭାଗ! ମୁଁ ଆପଣଙ୍କଠାରୁ ସନ୍ନ୍ୟାସ ଦୀକ୍ଷା ନେବା ନିମନ୍ତେ ଆସିଛି। ଏହି କାରଣରୁ ମୁଁ ଘରଦ୍ବାର, ସ୍ତ୍ରୀ, ପିଲାଛୁଆ, ସବୁକିଛି ତ୍ୟାଗ କରି ଆସିଛି। ସକଳ ମୋହ ମଧ୍ୟ ତୁଟାଇ ଦେଇଛି। ନାନହେନ କିଛି ସମୟ ପାଇଁ ଧ୍ୟାନସ୍ଥ ହେଲେ ଓ ପଚାରିଲେ- ତୁମେ କ’ଣ ସତରେ ସବୁ ତ୍ୟାଗ କରି ଏକାକୀ ଆସିଛ।
ହଁ, ଦେଖୁ ନାହାନ୍ତି ମୋର ସାଥିରେ କେହିହେଲେ ନାହାନ୍ତି; ମୁଁ ସବୁକିଛି ଛାଡ଼ି ଦେଇ ଆସିଛି। ସତରେ କ’ଣ ତୁମେ ସବୁକିଛିର ମୋହ ଛାଡ଼ି ଦେଇଛ? ହଁ ମହାଶୟ- ଅାଗନ୍ତୁକ ଦୃଢ଼ତାର ସହ କହିଲେ।
ଏବେ ତପସ୍ବୀ ନାନ୍‌ହେନ ଇଙ୍ଗିତରେ, ସମ୍ମୁଖରେ ଥିବା ଏକ ବୃକ୍ଷମୂଳକୁ ଯିବାକୁ ନିର୍ଦେଶ ଦେଲେ। ସେଠାରେ ବସି ଅନ୍ତର୍ମନରେ କେହି ଅଛନ୍ତି କି ନାହାନ୍ତି ତାହା ଦେଖିବାକୁ କହିଥିଲେ।
ଆଗନ୍ତୁକ ଚକ୍ଷୁଦ୍ବୟ ବନ୍ଦ କରି ତାହାହିଁ କରିଥିଲେ। ହେଲେ ଦେଖିବାକୁ ପାଇଥିଲେ ସ୍ତ୍ରୀ, ପିତାମାତା, ପରିଜନ, ସନ୍ତାନସନ୍ତତିଙ୍କ ଚିତ୍ର। ସମସ୍ତଙ୍କ ଛବି ଆଖିଆଗରେ ନିରନ୍ତର ଭାସି ଉଠିଲା ଯାହାଙ୍କୁ ସେ ପଛରେ ଛାଡ଼ି ଆସିଛନ୍ତି ବୋଲି କହିଥିଲେ।
ନାନହେନ୍‌ ତାଙ୍କ ନିକଟକୁ ଯାଇ କହିଲେ- କ’ଣ ତୁମେ ସତରେ ସବୁକୁ ପଛରେ ଛାଡ଼ି ଆସିଛ ବୋଲି ଏବେ କହିପାରିବ? ଆଗନ୍ତୁକ ମୁଣ୍ଡ ହଲାଇ ନାସ୍ତିସୂଚକ ଉତ୍ତର ଦେଲେ। ଏହା ଶୁଣି ତପସ୍ବୀ କହିଲେ ଆରେ ଭାଇ, ଶୀଘ୍ର ଏସବୁକୁ ଛାଡ଼, ସନ୍ନ୍ୟାସୀ ଦୀକ୍ଷା ନେବାକୁ ହେବତ ଏସବୁର ବନ୍ଧନ ଛାଡ଼ିବାକୁ ହେବ। ଏହା କହି ତପସ୍ବୀ ଆଗନ୍ତୁକଙ୍କୁ ଏକ କକ୍ଷରେ ପ୍ରବେଶ କରିବାକୁ କହି ଦରଜା ବନ୍ଦ କରିଦେଇଥିଲେ। ଆବଦ୍ଧ କୋଠରି ଭିତରେ ଢ଼େର ସମୟ ପର୍ଯ୍ୟନ୍ତ ରହିବାପରେ ନିଜ ଅନ୍ତର୍ମନରେ ଦେଖିବାକୁ ପାଇଥିଲେ ଏବେ ସେ ନିଜେ ଏକାକୀ ଅଛନ୍ତି। ଏହି ଭାବନା ଆସିଲାପରେ ସେ ଦ୍ବାରଖୋଲି ବାହାରକୁ ଆସିଲେ। ନାନହେନଙ୍କ ନିକଟକୁ ଯାଇ ତାଙ୍କ ଦ୍ବାରରେ କରାଘାତ କଲେ। ତପସ୍ବୀ ଭିତରେ ଥାଇ ପଚାରିଥିଲେ ତୁମେ କିଏ?
ଉତ୍ତର ଆସିଥିଲା- ମୁଁ
ଏହା ଶୁଣି ତପସ୍ବୀ ସେହି ଘର ଭିତରେ ଥାଇ କହିଥିଲେ ଏବେ ବି ତୁମ ମନରେ ମୁଁ’ କାର ଭାବ ଜମାଟ ବାନ୍ଧିଛି। ଏହି ମୁଁ’ଟି କିଏ? ଏହାକୁ ମଧ୍ୟ ତ୍ୟାଗ କରିବାକୁ ପଡ଼ିବ। ଏହି ମୁଁ’ କାର ଭାବ ତ୍ୟାଗରେ ସଫଳତା ଅବଶ୍ୟ ଲାଭ ହେବ। ଅନ୍ୟଥା ନୁହେଁ। ଯଦି ବାସ୍ତବରେ ତୁମେ ଏହି ମୁଁ’ କାର ଭାବ ତ୍ୟାଗ କରିବାରେ ସକ୍ଷମ ହୋଇଥାନ୍ତ, ତେବେ ଏଠାକୁ ଅାସିବାର ଆବଶ୍ୟକତା ନଥାନ୍ତା। ଏହି ଭାବ ରହିଲେ ସମୟାନ୍ତରରେ ପୁଣି ଏହା ତୁମକୁ ଆସକ୍ତି, ମୋହର ବନ୍ଧନରେ ବାନ୍ଧି ଦେବ, ଏହାଦ୍ବାରା ତୁମେ ଈଶ୍ବରୋପଲବ୍ଧିରେ ସକ୍ଷମ ହୋଇପାରିବ ଠିକ୍‌ ମୋରି ଭଳି।’
ବାସ୍ତବରେ ପରମାତ୍ମାଙ୍କ ସହ ସାକ୍ଷାତ୍‌କାର, ସନ୍ନ୍ୟାସର ସାର୍ଥକତା ସେତିକିବେଳେ ହିଁ ସମ୍ଭବ ହୋଇଥାଏ ଯେତେବେଳେ ସକଳ ମୋହ, ଆସକ୍ତି, ସାଂସାରିକ ଆକର୍ଷଣ ତ୍ୟାଗ କରି ନିଜର ଅସ୍ତିତ୍ବ ଅର୍ଥାତ୍‌ ମୁଁ’ କାର ଭାବକୁ ଭୁଲିହୁଏ।

kalyan agarbati
Leave A Reply