ଅନ୍ୟର ଜୀବନ ବଞ୍ଚାଇଥିବା ଯୁବକଙ୍କୁ ୫୦ ଥର ଛୁରାମାଡ଼

0

ନୂଆଦିଲ୍ଲୀ: ଏକ ଶିଶୁର ଜୀବନ ବଞ୍ଚାଇଥିବା ଯୁବକଙ୍କୁ ୫୦ ଥର ଛୁରାମାଡ଼ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଦକ୍ଷିଣ ଦିଲ୍ଲୀସ୍ଥିତ ଖାନପୁର ଅଞ୍ଚଳରେ । ଗତ ଗୁରୁବାର ଅପରାହ୍ନ ୪ଟାରେ ଆଶିଷ ନାମକ ଜଣେ ଯୁବକ ଜିମ୍‌ ସେଣ୍ଟରରୁ ସ୍କୁଟି ଧରି ଘରକୁ ଫେରୁଥିବାବେଳେ ରାସ୍ତାରେ ଦୁଇଜଣ ଯୁବକ ତାଙ୍କୁ ଅଟକାଇଥିଲେ। ପରେ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗିଥିଲା। ଅଭିଯୁକ୍ତ ଦ୍ବୟ ସେମାନଙ୍କ ଅନ୍ୟ ସହଯୋଗୀଙ୍କୁ ଖବର ଦେଇଥିଲେ। ଫଳରେ ସେଠାକୁ ୨୦ଜଣ ଯୁବକ ଆସି ପହଞ୍ଚିଥିଲେ। ସମସ୍ତ ଅଭିଯୁକ୍ତମାନେ ଆଶିଷଙ୍କୁ ଘେରିଯାଇ ନିର୍ଘାତ ଛୁରାମାଡ଼ କରିବା ସହ ଲୁହାରଡରେ ପିଟି ରକ୍ତାକ୍ତ କରିଦେଇଥିଲେ। ପରେ ସେମାନେ ସେଠାରୁ ଫେରାର ହୋଇଥିଲେ। ସ୍ଥାନୀୟ ଲୋକେ ପହଞ୍ଚି ଆଶିଷଙ୍କୁ ଉଦ୍ଧାର କରି ମେଡିକାଲକୁ ନେଇଥିଲେ। ତେବେ ତାଙ୍କ ଅବସ୍ଥା ସଂକଟାପର୍ଣ୍ଣ ଥିବା ଜଣାପଡ଼ିଛି। ସୂଚନା ମୁତାବକ, ପ୍ରଥମେ ସମ୍ପୃକ୍ତ ଦୁଇ ଯୁବକଙ୍କୁ ଜଣେ ଶିଶୁ ପାଣି ରହିଥିବା ବେଲୁନ ମାରିଥିଲା। ସେହି ଶିଶୁକୁ ଆଶିଷ ଯୁବକମାନଙ୍କ କବଳରୁ ଉଦ୍ଧାର କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ସେମାନେ ଆଶିଷଙ୍କୁ ଆକ୍ରମଣ କରି ଲହୁଲୁହାଣ କରି ପକାଇଥିଲେ। ଏହି ସମସ୍ତ ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ପୁଲିସ ସିସିଟିଭି ଫୁଟେଜ ଆଧାରରେ ଅନୁସନ୍ଧାନ ଚଳାଇଛି।

Leave A Reply