୧୫୪ ରନରେ ଜିତି ସୁପର ଲିଗରେ ଓଡ଼ିଶା
କଟକ: ଚଳିତବର୍ଷ ୧୯ ବର୍ଷରୁ କମ୍ ମହିଳା ଟ୍ୱେଣ୍ଟି୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ସୁପର ଲିଗ୍ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିଛି ଓଡ଼ିଶା ଦଳ। କଟକରେ ଚାଲିଥିବା ଗ୍ରୁପ୍ ‘ବି’ ଲିଗ୍ର ୨ୟ ସ୍ଥାନରେ ରହି ଓଡ଼ିଶା ଏହି କୃତିତ୍ୱ ହାସଲ କରିଛି। ଚଳିତମାସ ୨୬ରୁ ନଭେମ୍ବର ୧ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାରେ ଜାତୀୟ ସୁପରଲିଗ୍ ମୁକାବିଲା ଖେଳାଯିବ। ଗ୍ରୁପ୍ ‘ବି’ର ପ୍ରଥମ ସ୍ଥାନରେ ରହି ଦିଲ୍ଲୀ ମଧ୍ୟ ସୁପରଲିଗ୍ରେ ପହଞ୍ଚିଛି। ମଙ୍ଗଳବାର ନିମପୁର ଗ୍ରାଉଣ୍ଡରେ ଓଡ଼ିଶା ତା’ର ୬ଷ୍ଠ ତଥା ଅନ୍ତିମ ମ୍ୟାଚ୍ରେ ଦୁର୍ବଳ ଅରୁଣାଚଳ ପ୍ରଦେଶକୁ ୧୫୪ ରନ୍ର ବିପୁଳ ବ୍ୟବଧାନରେ ପରାସ୍ତ କରିଛି।
ଅରୁଣାଚଳ ପ୍ରଦେଶର ଦୁର୍ବଳ ବୋଲିଂ ଓ ଫିଲ୍ଡିଂର ଫାଇଦା ଉଠାଇ ଓଡ଼ିଶାର ଓପ୍ନିଂ ଯୋଡ଼ି ପୂରା ୨୦ ଓଭର ଖେଳିଥିଲେ ଏବଂ ବିନା ୱିକେଟରେ ୧୭୬ ରନ୍ କରିଥିଲେ। ଏହାର ଜବାବରେ ଅରୁଣାଚଳ ପ୍ରଦେଶ ୧୯.୧ ଓଭର ବ୍ୟାଟିଂ କରିଥିଲା ଏବଂ ମାତ୍ର ୨୨ ରନ୍ରେ ଅଲ୍ଆଉଟ ହୋଇ ଯାଇଥିଲା। ଓଡ଼ିଶା ଟସ୍ ଜିତି ବ୍ୟାଟିଂ ନେଇଥିଲା। ଓଡ଼ିଶାର ଓପ୍ନର କାଜଲ ଜେନା ଶତକ ମାରିଥିଲେ। କାଜଲ ୬୫ ବଲ୍ରୁ ୧୮ଟି ଚୌକା ସହ ୧୦୮ ରନ୍କରି ଅପରାଜିତ ଥିଲେ। ଅନ୍ୟ ଓପ୍ନର ଶୁଭ୍ରା ନିର୍ଝରିଣୀ ସ୍ୱାଇଁ ୫୬ ବଲ୍ରୁ ୬ଟି ଚୌକା ସହ ୬୦ ରନ୍କରି ଅପରାଜିତ ଥିଲେ। ପରେ ଅରୁଣାଚଳ ପ୍ରଦେଶ ୨୨ ରନ୍ରେ ଅଲ୍ଆଉଟ ହୋଇଥିଲା। ଦଳର ସର୍ବାଧିକ ବ୍ୟକ୍ତିଗତ ସ୍କୋର୍ ଥିଲା ୬ ରନ୍। ଏହା ୮ ଅତିରିକ୍ତ ରନ୍ ପାଇଥିଲା। ୬ ଜଣ ଖାତା ଖୋଲି ପାରିନଥିଲେ। ଓଡ଼ିଶାର ସୋନାଲି ହେମ୍ବ୍ରମ୍ ୪ଟି ଓ କଳ୍ପନା ନାୟକ ୨ଟି ୱିକେଟ ନେଇଥିଲେ।